Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସରକାରୀ ପଦବୀ ସହିତ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ବ୍ୟାଙ୍କ, ବୀମା ପ୍ରତିଷ୍ଠାନ ପଦବୀର ସମତୁଲତାକୁ କ୍ୟାବିନେଟର ଅନୁମୋଦନ,


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସରକାରୀ ପଦବୀ ସହିତ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସୟୁ), ବ୍ୟାଙ୍କ, ବୀମା ପ୍ରତିଷ୍ଠାନରେ କାର୍ଯ୍ୟରତ ନିମ୍ନ ଶ୍ରେଣୀର କର୍ମଚାରୀଙ୍କ ପାଇଁ ପଦବୀର ସମତୁଲତା ତଥା ଅନ୍ୟ ପଛୁଆ ବର୍ଗ ସଂରକ୍ଷଣ ଲାଭର ଦାବି ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି । ଏହା ଫଳରେ ପାଖାପାଖି 24 ବର୍ଷ ଧରି ବିଳମ୍ବିତ ହୋଇଥିବା ପ୍ରସଙ୍ଗ ସମାପ୍ତ ହୋଇଯିବ । ଏହାଦ୍ୱାରା ପିଏସୟୁ ଏବଂ ଅନ୍ୟ କେନ୍ଦ୍ରୀୟ ପ୍ରତିଷ୍ଠାନରେ ନିମ୍ନ ପାହ୍ୟାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସନ୍ତାନମାନଙ୍କୁ ଅନ୍ୟ ସରକାରୀ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ସନ୍ତାନଙ୍କ ଭଳି ଓବିସି ସଂରକ୍ଷଣର ଲାଭ ମିଳିପାରିବ । ପୂର୍ବରୁ ଓବିସିଙ୍କ ନିମନ୍ତେ ସଂରକ୍ଷିତ ସରକାରୀ ପଦବୀକୁ ଏଡ଼ାଇ ଦେଇ ଆୟ ମାପଦଣ୍ଡର ଭୁଲ ବ୍ୟାଖ୍ୟା କାରଣରୁ ତଥା ପଦବୀର ସମତୁଲତା ଅଭାବରେ ଏମାନଙ୍କୁ ଅଣ-କ୍ରିମିଲେୟାର ବୋଲି ଗ୍ରହଣ କରାଯାଉଥିଲା ଏବଂ ବାସ୍ତବିକ ଅଣ-କ୍ରିମିଲେୟାର ପ୍ରାର୍ଥୀ ଏହି ସଂରକ୍ଷଣର ସୁବିଧାରୁ ବଞ୍ଚିତ ହେଉଥିଲେ । ହେଲେ ଏହାଦ୍ୱାରା ଏପରି ପ୍ରତିଷ୍ଠାନର ବରିଷ୍ଠ ପଦବୀରେ କାମ କରୁଥିବା ଲୋକମାନଙ୍କର ସନ୍ତାନମାନଙ୍କୁ ଏପରି ଲାଭ ନେବା ଉପରେ ପ୍ରତିବନ୍ଧ ଲାଗିପାରିବ ।

କେନ୍ଦ୍ର କ୍ୟାବିନେଟ ଦେଶରେ ସାମାଜିକ ଦୃଷ୍ଟିରୁ ଆଗୁଆ ବ୍ୟକ୍ତି/ବର୍ଗ (କ୍ରିମିଲେୟାର)ଙ୍କୁ ଓବିସି ସଂରକ୍ଷଣ ପରିଧିରୁ ବାହାର କରିବା ଲାଗି କ୍ରିମିଲେୟାର ପ୍ରତିବନ୍ଧିତ ବ୍ୟବସ୍ଥା ନିମନ୍ତେ ବର୍ତ୍ତମାନ 6 ଲକ୍ଷ ଟଙ୍କା ବାର୍ଷିକ ଆୟର ମାନଦଣ୍ଡକୁ ବଢ଼ାଇବାକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ନୂଆ ଆୟର ମାନଦଣ୍ଡ ବାର୍ଷିକ 8 ଲକ୍ଷ ଟଙ୍କା ହେବ । ଏହାଦ୍ୱାରା ଅଧିକରୁ ଅଧିକ ଓବିସି ବର୍ଗଙ୍କୁ ସରକାରୀ ସେବାରେ ପ୍ରଦାନ କରାଯାଉଥିବା ଲାଭ ତଥା କେନ୍ଦ୍ରୀୟ ଶୈକ୍ଷିକ ପ୍ରତିଷ୍ଠାନରେ ନାମଲେଖା କ୍ଷେତ୍ରରେ ସୁବିଧା ମିଳିପାରିବ ।

ସରକାରଙ୍କ ପ୍ରୟାସରେ ଏହି ଉପାୟରେ ଓବିସି ବର୍ଗର ଲୋକ/ପ୍ରାର୍ଥୀଙ୍କୁ ବୃହତ୍ତର ସାମାଜିକ ନ୍ୟାୟ ଏବଂ ଅନ୍ତର୍ଭୂକ୍ତିକରଣ ସୁନିଶ୍ଚିତ ହୋଇପାରିବ । ସରକାର ଜାତୀୟ ପଛୁଆ ବର୍ଗ କମିଶନକୁ ସାମ୍ବିଧାନିକ ମାନ୍ୟତା ଦେବା ଲାଗି ସଂସଦରେ ପ୍ରଥମରୁ ହିଁ ଏକ ବିଧେୟକ ଉପସ୍ଥାପନ କରିସାରିଛନ୍ତି । ସରକାର ସମ୍ବିଧାନର ଅନୁଚ୍ଛେଦ 340 ଅନ୍ତର୍ଗତ ଓବିସିର ଉପ-ଶ୍ରେଣୀ ବର୍ଗୀକରଣ ନିମନ୍ତେ ଏକ କମିଶନ ପ୍ରତିଷ୍ଠା କରିଛନ୍ତି ଯାହାଦ୍ୱାରା ଓବିସି ସମୁଦାୟଙ୍କ ମଧ୍ୟରେ ଆହୁରି ଅଧିକ ପଛୁଆ ବର୍ଗର ଲୋକମାନଙ୍କୁ ଶିକ୍ଷା ଅନୁଷ୍ଠାନ ଏବଂ ସରକାରୀ ଚାକିରୀରେ ସଂରକ୍ଷଣ ଲାଭ ମିଳିପାରିବ । ଏକ ସମୟରେ ନିଆଯାଇଥିବା ଏହି ସମସ୍ତ ନିଷ୍ପତ୍ତି ଦ୍ୱାରା ଏହା ଆଶା କରାଯାଉଛି ଯେ ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଚାକିରୀରେ ଓବିସି ବର୍ଗର ବୃହତ୍ତର ପ୍ରତିନିଧିତ୍ୱ ସୁନିଶ୍ଚିତ ହୋଇପାରିବ । ଅନ୍ୟପଟେ ଏହି ଶ୍ରେଣୀ ମଧ୍ୟରେ ଅଧିକ ବଞ୍ଚିତ ଲୋକମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସେମାନଙ୍କ ସୁବିଧା ସୁଯୋଗରୁ ବଞ୍ଚିତ ହେବାକୁ ପଡ଼ିବ ନାହିଁ ।

**********