Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଉତ୍ତର-ପୂର୍ବାଂଚଳ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ 2 ହଜାର କୋଟି ଟଙ୍କାର ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ


ଉତ୍ତର-ପୂର୍ବାଂଚଳ ରାଜ୍ୟଗୁଡିକରେ ଦେଖାଦେଇଥିବା ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଇ ହଜାର କୋଟି ଟଙ୍କାରୁ ଅଧିକ ସହାୟତା ଘୋଷଣା କରିଛନ୍ତି । ଏହି ଅର୍ଥରେ ପ୍ରଭାବିତ ଅଂଚଳରେ ରିଲିଫ, ପୁନର୍ବାସ, ପୁନଃନିର୍ମାଣ ଓ ବନ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମମାନ ହାତକୁ ନିଆଯିବ । ଆଜି ପ୍ରଧାନମନ୍ତ୍ରୀ ଆସାମ ଗସ୍ତ କାଳରେ ଉତ୍ତର-ପୂର୍ବାଂଚଳ ମୁଖ୍ୟମନ୍ତ୍ରୀମାନଙ୍କ ସହ ପରିସ୍ଥିତିର ସମୀକ୍ଷା କରିବା ପରେ ଏହି ସହାୟତା ରାଶି ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆଜିର ଗସ୍ତ କାଳରେ ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁର ଏବଂ ନାଗାଲେଣ୍ଡର ବର୍ଷା ଓ ବନ୍ୟା ପରିସ୍ଥିତି ନେଇ ପୃଥକ ପୃଥକ ଭାବେ ସେଠାକର ମୁଖ୍ୟମନ୍ତ୍ରୀମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ସମୀକ୍ଷା ବୈଠକରେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ସେଠାକର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସମୀକ୍ଷା ବୈଠକକୁ ପହଂଚିପାରିନଥିବା ମିଜୋରାମ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା ।

ବନ୍ୟା ପ୍ରଭାବିତ ଅଂଚଳରେ ଭିତିଭୂମି ନିର୍ମାଣ ଲାଗି କେନ୍ଦ୍ର ସରକାର 1200 କୋଟି ଟଙ୍କାରୁ ଅଧିକ ସହାୟତା ଦେବେ । ଏହି ଅର୍ଥ କ୍ଷତିଗ୍ରସ୍ତ ସମ୍ପତ୍ତିର ମରାମତି, ରକ୍ଷଣାବେକ୍ଷଣ, ସଡକ, ଜାତୀୟ ରାଜପଥ, ସେତୁ ଏବଂ ଅନ୍ୟାନ୍ୟ ସରକାରୀ ସମ୍ପତ୍ତିର ପୁନରୁଦ୍ଧାର କରାଯିବ ।
ବ୍ରହ୍ମପୁତ୍ର ନଦୀରେ ବନ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଏହାର ଜଳଧାରଣ କ୍ଷମତା ବୃଦ୍ଧି କରିବା ଲାଗି 400 କୋଟି ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିବେ ।

ଚଳିତ ଆର୍ଥିକ ବର୍ଷ ରାଜ୍ୟ ବିପର୍ଯ୍ୟୟ ରିଲିଫ ପାଣ୍ଠି ବାବଦକୁ କେନ୍ଦ୍ର ସରକାର ଏହି ଅଂଚଳ ପାଇଁ 600 କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସେଥି ମଧ୍ୟରୁ 345 କୋଟି ଟଙ୍କା ବର୍ତ୍ତମାନ ସୁଦ୍ଧା ପ୍ରଦାନ କରାଯାଇ ସାରିଛି ଏବଂ ଅବଶିଷ୍ଟ ଅର୍ଥ ତୁରନ୍ତ ପ୍ରଦାନ କରାଯିବ । ଏହା ବନ୍ୟା ପ୍ରଭାବିତ ଉତ୍ତର-ପୂର୍ବାଂଚଳ ରାଜ୍ୟଗୁଡିକରେ ରିଲିଫ ଓ ଥଇଥାନ କାର୍ଯ୍ୟରେ ସହାୟକ ହେବ ।

କେନ୍ଦ୍ର ସରକାର ଉତ୍ତର-ପୂର୍ବାଂଚଳରେ ବାରମ୍ବାର ଘଟୁଥିବା ବନ୍ୟା ପରିସ୍ଥିତିର ଦୀର୍ଘସ୍ଥାୟୀ ସମାଧାନ ପନ୍ଥା ବାହାର କରିବା ଦିଗରେ ଆବଶ୍ୟକ ଅନୁଧ୍ୟାନ ପାଇଁ ଆଉ 100 କୋଟି ଟଙ୍କା ପ୍ରଦାନ କରିବେ ।

ଦେଶର ମୋଟ ଭୂ-ଭାଗର 8 ପ୍ରତିଶତ ହେଉଛି ଉତ୍ତର-ପୂର୍ବାଂଚଳ । କିନ୍ତୁ ଏହି ଅଂଚଳରେ ଦେଶର ମୋଟ ଜଳ ସମ୍ବଳର ଏକ-ତୃତୀୟାଂଶ ରହିଛି । ଉତ୍ତର-ପୂର୍ବାଂଚଳରେ ଜଳସମ୍ପଦର ଯଥାଯଥ ପରିଚାଳନା ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିବେ । ଏଥିରେ ଭାରତ ସରକାରଙ୍କ ସମ୍ପୃକ୍ତ ମନ୍ତ୍ରଣାଳୟ ଏବଂ ସେହି ଅଂଚଳର ସବୁ ରାଜ୍ୟର ପ୍ରତିନିଧିମାନେ ସଦସ୍ୟ ରହିବେ ।
ସମୀକ୍ଷା ବୈଠକରୁ ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ଉତ୍ତର-ପୂର୍ବାଂଚଳ ବନ୍ୟାରେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ 2 ଲକ୍ଷ ଟଙ୍କା ଏବଂ ଗୁରୁତର ଭାବେ ଆହତଙ୍କ ଲାଗି 50 ହଜାର ଟଙ୍କାର ଅନୁକମ୍ପା ରାଶି ମଞ୍ଜୁର କରାଯାଇଛି ।

****