ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ଫୋନ୍ ଯୋଗେ କଥା ହୋଇଛନ୍ତି ।
ନିକଟରେ ନେପାଳ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କ ସଫଳ ଭାରତ ଗସ୍ତ ସମେତ ବିଗତ ଦିନଗୁଡ଼ିକରେ ଭାରତ-ନେପାଳ ସମ୍ପର୍କରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ଦୁଇ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ ।
ଦେଶରେ ସମ୍ବିଧାନ କାର୍ଯ୍ୟକାରୀ କରିବା ଲାଗି ସମସ୍ତ ସହଭାଗୀଙ୍କ ସହ ତାଙ୍କ ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ସୂଚନା ଦେଇଥିଲେ । ୨୦ ବର୍ଷ ପରେ ନେପାଳରେ ସ୍ଥାନୀୟ ନିର୍ବାଚନ ହେବାକୁ ଯାଉଥିବାରୁ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଏଥିପାଇଁ ଭାରତର ସହଯୋଗ ଲୋଡ଼ିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭାରତବାସୀ ଏବଂ ଭାରତ ସରକାରଙ୍କ ପକ୍ଷରୁ ନେପାଳର ବନ୍ଧୁଭାବସମ୍ପନ୍ନ ଲୋକମାନଙ୍କ ପ୍ରତି ଶୁଭକାମନା ଜଣାଇବା ସହିତ ଶାନ୍ତି, ସ୍ଥିରତା ଏବଂ ସାମାଜିକ ରୂପାନ୍ତରଣ ହାସଲ କରିବା ଲାଗି ସେମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।
ନେପାଳରେ ହେବାକୁ ଥିବା ସ୍ଥାନୀୟ ନିର୍ବାଚନ ଲାଗି ଭାରତ ସବୁପ୍ରକାର ସହାୟତା ଯୋଗାଇଦେବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନେପାଳ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।
ଦୁଇ ଦେଶର ଲୋକମାନଙ୍କ କଲ୍ୟାଣ ପାଇଁ ଭାରତ-ନେପାଳ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ଲାଗି ଦୁଇ ପ୍ରଧାନମନ୍ତ୍ରୀ ପରସ୍ପରକୁ ପ୍ରତିଶ୍ରୁତି ଦେଇଥିଲେ ।