Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

(କ) ଓଡିଶାରେ ଅନୁସୂଚୀତ ଜାତି ତାଲିକାରେ ପରିବର୍ତ୍ତନ ପାଇଁ ସାମ୍ବିଧାନିକ (ଅନୁସୂଚୀତ ଜାତି) ଆଦେଶ 1950ରେ ସଂଶୋଧନ


(ଖ) କେନ୍ଦ୍ରଶାସିତ ଅଂଚଳ ପଣ୍ଡିଚେରୀର ନାମକୁ ପୁଡୁଚେରୀରେ ବଦଳାଇବା ପାଇଁ ସାମ୍ବିଧାନିକ (ପଣ୍ଡିଚେରୀ) ଅନୁସୂଚୀତ ଜାତି ଆଦେଶ, 1964ର ସଂଶୋଧନ ପାଇଁ କ୍ୟାବିନେଟର ଅନୁମୋଦନ

(କ) ଓଡିଶାରେ ଅନୁସୂଚୀତ ଜାତି ତାଲିକାରେ ପରିବର୍ତ୍ତନ ପାଇଁ ସାମ୍ବିଧାନିକ (ଅନୁସୂଚୀତ ଜାତି) ଆଦେଶ 1950ରେ ସଂଶୋଧନ ଏବଂ (ଖ) କେନ୍ଦ୍ରଶାସିତ ଅଂଚଳ ପଣ୍ଡିଚେରୀର ନାମକୁ ପୁଡୁଚେରୀରେ ବଦଳାଇବା ପାଇଁ ସାମ୍ବିଧାନିକ (ପଣ୍ଡିଚେରୀ) ଅନୁସୂଚୀତ ଜାତି ଆଦେଶ, 1964ର ସଂଶୋଧନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଛନ୍ତି । ଉପରୋକ୍ତ ପରିବର୍ତ୍ତନ ଆଣିବା ଲାଗି ସାମ୍ବିଧାନିକ (ଅନୁସୂଚୀତ ଜାତି) ଆଦେଶ (ସଂଶୋଧନ) ବିଲ, 2017 ସଂସଦରେ ଆଗତ କରାଯିବ ।
ଏହି ଅନୁମୋଦନର ଅଂଶବିଶେଷ ସ୍ୱରୂପ ସୁଆଲଗିରି, ସ୍ୱାଲଗିରି ଜାତିକୁ ଓଡିଶାର ଅନୁସୂଚୀତ ଜାତି ତାଲିକାର କ୍ରମିକ ସଂଖ୍ୟା 79ରେ ସବାଖିଆ ଜାତି ନାମରେ ସାମିଲ କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବ ଯୋଗ୍ୟ ବିବେଚିତ ହୋଇଛି । ପୁନଶ୍ଚ 01.10.2016ରେ ପଣ୍ଡିଚେରୀ (ନାମ ପରିବର୍ତ୍ତନ) ନିୟମ, 2016 ଅନୁସାରେ କେନ୍ଦ୍ରଶାସିତ ଅଂଚଳ ପଣ୍ଡିଚେରୀର ନାମ ପରିବର୍ତ୍ତନ କରାଯାଇ ପୁଡୁଚେରୀ ରଖାଯାଇଛି । ଏଥିପାଇଁ ସାମ୍ବିଧାନିକ (ପଣ୍ଡିଚେରୀ) ଅନୁସୂଚୀତ ଜାତି ଆଦେଶ, 1964ରେ ଏକ ସଂଶୋଧନ ଆବଶ୍ୟକ ।

ଅନୁସୂଚୀତ ଜାତି ଏବଂ ଜନଜାତି ତାଲିକାରେ ପରିବର୍ତ୍ତନ ଆଣିବା ପାଇଁ ପ୍ରସ୍ତାବ ଗ୍ରହଣ କରିବା ଲାଗି ଆବଶ୍ୟକ ବ୍ୟବସ୍ଥାକୁ ସରକାର ଜୁନ 1999ରେ ଅନୁମୋଦନ କରିଥିଲେ ଏବଂ ଜୁନ 2002ରେ ଏହାର ସଂଶୋଧନ କରାଯାଇଥିଲା । ଅନୁମୋଦିତ ବ୍ୟବସ୍ଥା ଅନୁଯାୟୀ ଏ ସମ୍ବନ୍ଧରେ ରେଜିଷ୍ଟାର ଜେନେରାଲ ଅଫ ଇଣ୍ଡିଆ (ଆରଜିଆଇ) ଏବଂ ଜାତୀୟ ଅନୁସୂଚୀତ ଜାତି ଆୟୋଗ (ଏନସିଏସସି) ଦ୍ୱାରା ଅନୁମୋଦିତ ହୋଇଥିବା ରାଜ୍ୟ ସରକାର କିମ୍ବା କେନ୍ଦ୍ରଶାସିତ ଅଂଚଳର ପ୍ରସ୍ତାବକୁ କେବଳ ଆବଶ୍ୟକୀୟ ସାମ୍ବିଧାନିକ ଆଦେଶ ସଂଶୋଧନ ପାଇଁ ଗ୍ରହଣ କରାଯିବ ।
ଭାରତୀୟ ସମ୍ବିଧାନର ଧାରା 341ର ବ୍ୟବସ୍ଥା ଅନୁଯାୟୀ ସୂଚିତ ଅନୁସୂଚୀତ ଜାତିମାନଙ୍କୁ କେତେକ ନିର୍ଦ୍ଦିଷ୍ଟ ସୁବିଧା ଏବଂ ରିହାତି ପ୍ରଦାନ କରାଯାଇଥାଏ । ସଂପୃକ୍ତ ରାଜ୍ୟ ସରକାରଙ୍କ ସହ ପରାମର୍ଶ ପରେ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଆଦେଶ ପରେ କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଂଚଳର ଅନୁସୂଚୀତ ଜାତିମାନଙ୍କର ପ୍ରାଥମିକ ତାଲିକା ପ୍ରକାଶ ପାଇଥାଏ । ଅନୁଛେଦ 341ର ଧାରା (2)ରେ ଉଲ୍ଲେଖିତ ସଂସଦୀୟ ଆଇନ ଅନୁଯାୟୀ ଅନୁସୂଚୀତ ଜାତି ତାଲିକାରେ ପରବର୍ତୀ ସମୟରେ କୌଣସି ଯୋଗ କିମ୍ବା ବିଯୋଗ କରାଯିବ ।

ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳରେ ଅନୁସୂଚୀତ ଜାତିମାନଙ୍କୁ ନିର୍ଦ୍ଧିଷ୍ଟ କରିବା ପାଇଁ 1950ରୁ 1978 ମଧ୍ୟରେ 6ଟି ରାଷ୍ଟ୍ରପତି ଆଦେଶ ଦିଆଯାଇଛି । ସମ୍ବିଧାନର ଅନୁଚ୍ଛେଦ 341(2) ରେ ବ୍ୟବସ୍ଥା ଥିବା ସଂସଦୀୟ ଆଇନ ଅନୁଯାୟୀ 1956 ରୁ 2016 ମଧ୍ୟରେ ଏହି ଆଦେଶରେ ସଂଶୋଧନ ଅଣାଯାଇଛି ।

ଏହି ବିଲ ଆଇନରେ ପରିଣତ ହେବା ପରେ ଅନୁସୂଚୀତ ଜାତି ତାଲିକାରେ ଯୁକ୍ତ ହୋଇଥିବା ସମ୍ପ୍ରଦାୟ ଅନୁସୂଚୀତ ଜାତି ଙ୍କ ପାଇଁ ଉପଲବ୍ଧ ବିଭିନ୍ନ ପ୍ରଚଳିତ ଯୋଜନାର ଲାଭ ଉଠାଇ ପାରିବେ । ଏହିପରି କେତେକ ମୁଖ୍ୟ ଯୋଜନାଗୁଡ଼ିକ ହେଲା- ମ୍ୟାଟ୍ରିକ ପରର ବୃତ୍ତି, ଜାତୀୟ ବୈଦେଶିକ ବୃତ୍ତି, ରାଜୀବ ଗାନ୍ଧୀ ଜାତୀୟ ଫେଲୋସିପ, ଉଚ୍ଚସ୍ତରୀୟ ଶିକ୍ଷା, ଜାତୀୟ ଅନୁସୂଚୀତ ଜାତି ଆର୍ଥିକ ଏବଂ ବିକାଶ କର୍ପୋରେସନ ପ୍ରଦାନ କରୁଥିବା ରିହାତି ହାରରେ ଋଣ, ହରିଜନ ବାଳକ ଏବଂ ବାଳିକାଙ୍କ ପାଇଁ ଛାତ୍ରାବାସ ସୁବିଧା ଇତ୍ୟାଦି । ଉପରୋକ୍ତ ସୁବିଧା ସହିତ ସେମାନେ ଚାକିରି କ୍ଷେତ୍ରରେ ଏବଂ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ସଂରକ୍ଷଣର ସୁବିଧା ମଧ୍ୟ ପାଇବେ ।