ଅନିଶାବାଦଠାରେ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣକର 11.35 ଏକର ଜମି ବଦଳରେ ସମାନ ପରିମାଣର ଜମି ପାଟନାଠାରେ ଯୋଗାଇ ଦେବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି । ପ୍ରସ୍ତାବିତ ଜମିରେ ପାଟନାସ୍ଥିତ ଜୟ ପ୍ରକାଶ ନାରାୟଣ ଆନ୍ତର୍ଜାତିକ ବିମାନ ବନ୍ଦରର ପରିସର ସମ୍ପ୍ରସାରଣ କରାଯିବ । ନୂଆ ଟର୍ମିନାଲ୍ ବିଲ୍ଡିଂ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଭିତ୍ତିଭୂମି ନିର୍ମାଣ କରାଯିବ । ବିହାର ସରକାର ମଧ୍ୟ ଏହି ଭୂମି ହସ୍ତାନ୍ତର ପ୍ରସ୍ତାବରେ ରାଜି ହୋଇଥିଲେ । ପାଟନାଠାରେ ନୂଆ ଟର୍ମିନାଲ୍ ବିଲ୍ଡିଂ ନିର୍ମାଣ ହେଲେ ଏଠାରେ ବାର୍ଷିକ 30 ଲକ୍ଷ ଯାତ୍ରୀଙ୍କ ଯାତାୟାତ ପାଇଁ ସୁବନ୍ଦୋବସ୍ତ ହୋଇପାରିବ । ଏହାବ୍ୟତୀତ ପାଟନା ବିମାନବନ୍ଦର ଯାତ୍ରୀ ଧାରଣ କ୍ଷମତା ବୃଦ୍ଧି ପାଇବା ସହ ଏଠାରେ ଯାତ୍ରୀଙ୍କୁ ଆବଶ୍ୟକ ସ୍ଥାନ ଓ ସୁବିଧା ମିଳିପାରିବ । ବର୍ତ୍ତମାନ ପାଟନା ବିମାନବନ୍ଦରରେ ଯାତ୍ରୀ ଧାରଣ କ୍ଷମତା ବାର୍ଷିକ 5 ଲକ୍ଷ ହୋଇଥିବା ବେଳେ ଏଠାରେ ବାର୍ଷିକ 15 ଲକ୍ଷ ଯାତ୍ରୀଙ୍କ ଭିଡ଼ ଜମୁଥିଲା । ଫଳରେ ବିମାନଯାତ୍ରୀମାନେ ସ୍ଥାନାଭାବର ସମ୍ମୁଖୀନ ହେଉଥିଲେ ।