ମହାମହିମ ରାଷ୍ଟ୍ରପତି ଟିନୁବୁ
ନାଇଜେରିଆର ଜାତୀୟ ପୁରସ୍କାର ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ଦି ନାଇଜର’ରେ ସମ୍ମାନିତ ହୋଇଥିବାରୁ ମୁଁ ଆପଣଙ୍କର, ନାଇଜେରିଆ ସରକାର ଏବଂ ଜନସାଧାରଣଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। ଏହି ସମ୍ମାନକୁ ମୁଁ ବି ନମ୍ରତା ଓ ଆଦର ପୂର୍ବକ ସହ ଗ୍ରହଣ କରୁଛି। ମୁଁ ଏହି ସମ୍ମାନ ୧୪୦ କୋଟି ଭାରତୀୟଏବଂ ଭାରତ ଓ ନାଇଜେରିଆର ଗଭୀର ବନ୍ଧୁତାକୁ ସମର୍ପିତ କରୁଛି । ଏହି ସମ୍ମାନ ଆମକୁ ଭାରତ ଓ ନାଇଜେରିଆ ମଧ୍ୟରେ ରଣନୈତିକ ଭାଗୀଦାରୀକୁ ନୂତନ ଶିଖରକୁ ନେବା ପାଇଁ ପ୍ରେରଣା ଯୋଗାଇବ ।
ସାଥିମାନେ,
ଭାରତ ଓ ନାଇଜେରିଆ ମଧ୍ୟରେ ସମ୍ପର୍କ ପାରସ୍ପରିକ ସହଯୋଗ, ସଦ୍ଭାବ ଏବଂ ପାରସ୍ପରିକ ସମ୍ମାନ ଉପରେ ଆଧାରିତ । ଦୁଇଟି ଜୀବନ୍ତ ଗଣତନ୍ତ୍ର ଏବଂ ଗତିଶୀଳ ଅର୍ଥନୀତି ଭାବରେ ଆମେ ଉଭୟ ଦେଶର ଲୋକଙ୍କ ହିତ ପାଇଁ ଏକାଠି କାମ କରୁଛୁ । ଉଭୟ ଦେଶର ସାମାଜିକ ଓ ସାଂସ୍କୃତିକ ବିବିଧତା ହେଉଛି ଆମର ପରିଚୟ, ଆମର ଶକ୍ତି । ନାଇଜେରିଆର ‘ନବୀକରଣ ଆଶା ଏଜେଣ୍ଡା’ ଏବଂ ବିକଶିତ ଭାରତ ୨୦୪୭ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି। ଗତବର୍ଷ ରାଷ୍ଟ୍ରପତି ଟିନୁବୁଙ୍କ ଭାରତ ଗସ୍ତ ଆମ ସମ୍ପର୍କରେ ଏକ ନୂଆ ଅଧ୍ୟାୟ ଯୋଡ଼ିଥିଲା। ଆଜି ଆମେ ଆମର ସହଯୋଗକୁ ଆହୁରି ସୁଦୃଢ଼ ଓ ବ୍ୟାପକ କରିବା ଉପରେ ବିସ୍ତୃତ ଭାବେ ଆଲୋଚନା କରିଛୁ। ଅର୍ଥନୀତି, ଶକ୍ତି, କୃଷି, ନିରାପତ୍ତା, ଫିନଟେକ୍, କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ ଓ ସାଂସ୍କୃତିକ କ୍ଷେତ୍ରରେ ନୂଆ ସମ୍ଭାବନା ଚିହ୍ନଟ ହୋଇଛି। ଏକ ଘନିଷ୍ଠ ଏବଂ ବିଶ୍ୱସ୍ତ ସହଯୋଗୀ ଭାବରେ ନାଇଜେରିଆର ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଦକ୍ଷତା ବିକାଶ ଏବଂ କ୍ଷମତା ନିର୍ମାଣ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ନାଇଜେରିଆରେ ଥିବା ୬୦,୦୦୦ରୁ ଅଧିକ ଭାରତୀୟ ସମ୍ପ୍ରଦାୟ ଆମ ସମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ଅଟନ୍ତି । ସେମାନଙ୍କର ଯତ୍ନ ନେଇଥିବାରୁ ମୁଁ ରାଷ୍ଟ୍ରପତି ଟିନୁବୁକୁ ଏବଂ ତାଙ୍କ ସରକାରଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ।
ସାଥିମାନେ,
ଆଫ୍ରିକାରେ ନାଇଜେରିଆର ଏକ ବିରାଟ ଏବଂ ସକାରାତ୍ମକ ଭୂମିକା ରହିଛି । ଏବଂ ଆଫ୍ରିକା ସହ ଅତି ଘନିଷ୍ଠ ସହଯୋଗ ଭାରତ ପାଇଁ ଏକ ଉଚ୍ଚ ପ୍ରାଥମିକତା ହୋଇଛି । ଆମର ସମସ୍ତ ପ୍ରୟାସରେ ଆମେ ନାଇଜେରିଆ ଭଳି ଏକ ବନ୍ଧୁ ରାଷ୍ଟ୍ର ସହିତ କାନ୍ଧରେ କାନ୍ଧ ମିଳାଇ ଆଗକୁ ଚାଲିଛୁ ।
ଯେମିତି ଆଫ୍ରିକାରେ କୁହାଯାଇଥାଏ: ବନ୍ଧୁ ହେଉଛି ଏମିତି ଜଣେ ବ୍ୟକ୍ତି ଯାହାଙ୍କ ସହିତ ଆପଣ ବାଟ ବାଣ୍ଟିଥାନ୍ତି । ଭାରତ ଏବଂ ନାଇଜେରିଆ ମଧ୍ୟ ଆମ ଦୁଇ ଦେଶ ଏବଂ ସମଗ୍ର ଆଫ୍ରିକା ମହାଦେଶର ଲୋକଙ୍କ ସମୃଦ୍ଧି ପାଇଁ ଏକାଠି କାମ କରିବେ ।
ଆମେ ଘନିଷ୍ଠ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବୁ ଏବଂ ଗ୍ଲୋବାଲ ସାଉଥର ସ୍ୱାର୍ଥ ଏବଂ ପ୍ରାଥମିକତାକୁ ଗୁରୁତ୍ୱ ଦେବୁ ।
ମହାମହିମ,
ପୁଣି ଥରେ ୧୪୦ କୋଟି ଭାରତୀୟଙ୍କ ତରଫରୁ, ମୁଁ ଏହି ସମ୍ମାନ ପାଇଁ, କୃତଜ୍ଞତା ଜ୍ଞାପନ କରୁଛି ।
*****
NS/SLP