Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ “ମନ୍ କି ବାତ୍’


 

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ର ୧୧୦ତମ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ । ପ୍ରତିଥର ପରି ଏଥର ମଧ୍ୟ ଆମକୁ ଆପଣଙ୍କ ବହୁତଗୁଡ଼ିଏ ପ୍ରସ୍ତାବ, ପରାମର୍ଶ ଏବଂ ମତାମତ ମିଳିଛି ଆଉ ପ୍ରତିଥର ପରି ଏହି ଅଧ୍ୟାୟରେ ମଧ୍ୟ ସେଗୁଡ଼ିକରୁ କେଉଁ କେଉଁ ବିଷୟକୁ ସାମିଲ୍ କରାଯିବ ତାହା ଆହ୍ୱାନ ସୃଷ୍ଟି କରିଛି । ମୋତେ ସକାରାତ୍ମକତାରେ ଭରପୂର ଏକରୁ ବଳି ଅନେକ ଇନପୁଟ୍ ମିଳିଛି । ଏସବୁରେ ଏଭଳି ଅନେକ ଦେଶବାସୀଙ୍କ ବିଷୟରେ ଉଲ୍ଲେଖ ରହିଛି, ଯେଉଁମାନେ ଅନ୍ୟମାନଙ୍କ ପାଇଁ ଆଶାର କିରଣ ସଦୃଶ ସେମାନଙ୍କ ଜୀବନକୁ ଉନ୍ନତ କରିବାରେ ଲାଗିଛନ୍ତି ।

ବନ୍ଧୁଗଣ, ମାତ୍ର କିଛିଦିନ ପରେ ମାର୍ଚ୍ଚ ୮ ତାରିଖ ଦିନ ଆମେ ମହିଳା ଦିବସ ପାଳନ କରିବାକୁ ଯାଉଛୁ । ଏହି ବିଶେଷ ଦିନଟି ଦେଶର ବିକାଶ ଯାତ୍ରାରେ ନାରୀ ଶକ୍ତିର ଯୋଗଦାନକୁ ସମ୍ମାନ କରିବାର ଦିବସ । ମହାକବି ଭାରତିୟାର କହିଛନ୍ତି ଯେ – ବିଶ୍ୱ ସେଦିନ ସମୃଦ୍ଧ ହେବ, ଯେଉଁଦିନ ମହିଳାମାନଙ୍କୁ ସମାନ ସୁଯୋଗ ମିଳିବ । ଆଜି ଭାରତର ନାରୀଶକ୍ତି ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତିର ନୂତନ ଶିଖରକୁ ସ୍ପର୍ଶ କରୁଛି । କିଛିବର୍ଷ ପୂର୍ବେ ଏ କଥା କିଏ ଚିନ୍ତା କରିଥିଲା ଯେ ଆମ ଦେଶରେ ଗାଁରେ ରହୁଥିବା ମହିଳାମାନେ ମଧ୍ୟ ଡ୍ରୋନ୍ ଉଡ଼ାଇବେ! କିନ୍ତୁ ଆଜି ଏହା ସମ୍ଭବ ହୋଇପାରିଛି । ଆଜିକାଲି ତ ଗାଁ ଗାଁରେ ଡ୍ରୋନ୍ ଦିଦିଙ୍କ ବିଷୟରେ ଏତେ ଆଲୋଚନା ହେଉଛି ଯେ, ସମସ୍ତଙ୍କ ମୁଖରୁ ନମୋ ଡ୍ରୋନ୍ ଦିଦି, ନମୋ ଡ୍ରୋନ୍ ଦିଦି ଶୁଣାଯାଉଛି । ସମସ୍ତେ ଏମାନଙ୍କ ବିଷୟରେ ଆଲୋଚନା କରୁଛନ୍ତି । ସମସ୍ତଙ୍କ ମନରେ ଗୋଟିଏ ବିରାଟ ଜିଜ୍ଞାସା ସୃଷ୍ଟି ହୋଇଛି । ତେଣୁ, ମୁଁ ଭାବିଲି ଯେ, ଏଥର ‘ମନ୍ କି ବାତ୍’ରେ ଜଣେ ଡ୍ରୋନ୍ ଦିଦିଙ୍କ ସହିତ ଆଳାପ-ଆଲୋଚନା କରାଯାଉ । ଆମ ସହିତ ବର୍ତ୍ତମାନ ଯୋଡ଼ିହୋଇଛନ୍ତି ଉତ୍ତରପ୍ରଦେଶ – ସୀତାପୁରର ନମୋ ଡ୍ରୋନ୍ ଦିଦି ସୁନିତା ଜୀ । ଆସନ୍ତୁ, ତାଙ୍କ ସହିତ କଥା ହେବା ।

ମୋଦି ଜୀ : ସୁନୀତା ଜୀ, ଆପଣଙ୍କୁ ନମସ୍କାର କରୁଛି ।

ସୁନୀତା ଦେବୀ : ସାର୍, ନମସ୍କାର ।

ମୋଦି ଜୀ : ଆଚ୍ଛା, ସୁନୀତା ଜୀ, ପ୍ରଥମେ ମୁଁ ଆପଣଙ୍କ ବିଷୟରେ ଏବଂ ଆପଣଙ୍କ ପରିବାର ବିଷୟରେ ଜାଣିବାକୁ ଚାହୁଁଛି । ସେ ବିଷୟରେ ଅଳ୍ପ କିଛି କୁହନ୍ତୁ ।

ସୁନୀତା ଦେବୀ : ସାର୍, ଆମ ପରିବାରରେ ଆମର ଦୁଇଟି ସନ୍ତାନ ଅଛନ୍ତି, ମୁଁ, ମୋ ସ୍ୱାମୀ ଆଉ ମୋ ମା’ ଅଛନ୍ତି ।

ମୋଦି ଜୀ : ଆପଣ କେତେ ପାଠ ପଢ଼ିଛନ୍ତି?

ସୁନୀତା ଦେବୀ : ସାର୍, ବି.ଏ. ଫାଇନାଲ୍ ଯାଏଁ ।

ମୋଦି ଜୀ : ଆପଣ କ’ଣ କରନ୍ତି?

ସୁନୀତା ଦେବୀ : ଆଜ୍ଞା, ଆମେ ଚାଷବାସ କରୁ ।

ମୋଦି ଜୀ : ଆଚ୍ଛା ସୁନୀତା ଜୀ, ଡ୍ରୋନ୍ ଦିଦି ହେବାର ଆପଣଙ୍କ ଯାତ୍ରା କିଭଳି ଆରମ୍ଭ ହେଲା? ଆପଣଙ୍କୁ କେଉଁଠୁ ତାଲିମ ମିଳିଲା, କଣ ସବୁ ପରିବର୍ତ୍ତନ ହେଲା, ଆରମ୍ଭରୁ ମୁଁ ଜାଣିବାକୁ ଚାହୁଁଛି ।

ସୁନୀତା ଦେବୀ : ଆଜ୍ଞା, ଆମ ତାଲିମ ଆହ୍ଲାବାଦର ଫୁଲ୍ପୁର୍ ଇଫ୍କୋ କମ୍ପାନୀରେ ହୋଇଥିଲା, ଆମକୁ ସେହିଠାରୁ ହିଁ ତାଲିମ ମିଳିଛି । 

ମୋଦି ଜୀ : ତା ଆଗରୁ ଆପଣ ଡ୍ରୋନ୍ ବିଷୟରେ କେବେ ଶୁଣିଥିଲେ?

ସୁନୀତା ଦେବୀ : ସାର୍ ଆଗରୁ ଏ ବିଷୟରେ ଶୁଣି ନ ଥିଲି । ଥରେ ସୀତାପୁରର କୃଷିବିଜ୍ଞାନ କେନ୍ଦ୍ରରେ ଦେଖିବାକୁ ପାଇଲି । ସେଇଠି ପ୍ରଥମ ଥର ମୁଁ ଡ୍ରୋନ୍ ଦେଖିଲି ।

ମୋଦି ଜୀ : ସୁନୀତା ଜୀ, ମୁଁ ଏ କଥା ବୁଝିବାକୁ ଚାହୁଁଛି – ଯେମିତିକି ପ୍ରଥମ ଦିନ, ଆପଣ ସେଠାକୁ ଗଲେ…

ସୁନୀତା ଦେବୀ : ଆଜ୍ଞା…

ମୋଦି ଜୀ : ପ୍ରଥମ ଦିନ ଆପଣଙ୍କୁ ଡ୍ରୋନ୍ ଦେଖାଇଥିବେ, ପରେ କଳାପଟାରେ କିଛି ପଢ଼େଇଥିବେ, କାଗଜରେ କିଛି ପଢ଼େଇଥିବେ, ତା’ପରେ ଯାଇ ପଡ଼ିଆକୁ ନେଇ ଅଭ୍ୟାସ କରାଇଥିବେ! କ’ଣ ସବୁ ହୋଇଥିଲା, ସେ ବିଷୟରେ ଆପଣ ବିସ୍ତୃତ ଭାବେ ମୋତେ ବର୍ଣ୍ଣନା କରି ବୁଝାଇପାରିବେ କି?

ସୁନୀତା ଦେବୀ : ହଁ ଆଜ୍ଞା, ଆମେ ଯେଉଁଦିନ ଯାଇଥିଲୁ, ତା’ପରଦିନ ଠାରୁ ଆମ ତାଲିମ ଆରମ୍ଭ ହୋଇଥିଲା। ପ୍ରଥମେ ଥ୍ୟୋରୀ ପଢ଼ାଗଲା, ଦୁଇ ଦିନ କ୍ଲାସ୍ ହେଲା । କ୍ଲାସ୍ରେ ଡ୍ରୋନ୍ର ବିଭିନ୍ନ ଅଂଶ, ଏହାକୁ କିଭଳି ଚାଳନା କରାଯାଏ, ଏ ସବୁ ବିଷୟରେ ଥ୍ୟୋରୀରେ ପଢ଼ାଗଲା । ତୃତୀୟ ଦିନ ଆମର ଗୋଟିଏ ପରୀକ୍ଷା ହୋଇଥିଲା । ତା ପରେ କମ୍ପ୍ୟୁଟରରେ ମଧ୍ୟ ଗୋଟିଏ ପରୀକ୍ଷା ହୋଇଥିଲା । ମାନେ ପ୍ରଥମେ କ୍ଲାସ୍ ହେଲା ଆଉ ତା’ପରେ ପରୀକ୍ଷା ହେଲା । ତା’ପରେ ଆମମାନଙ୍କୁ ପ୍ରାକ୍ଟିକାଲ୍ ଶିଖାଗଲା – ଡ୍ରୋନ୍ କେମିତି ଉଡ଼ାହୁଏ, ଏହାକୁ କିଭଳି ନିୟନ୍ତ୍ରଣ କରାଯାଏ, ପ୍ରାକ୍ଟିକାଲରେ ଏହିସବୁ କଥା ଶିକ୍ଷା ଦିଆଗଲା । 

ମୋଦି ଜୀ : ହେଲେ ଡ୍ରୋନ୍ ଦ୍ୱାରା କ’ଣ କରାଯିବ, ତାହା କେମିତି ଶିଖାଗଲା?

ସୁନୀତା ଦେବୀ : ସାର୍, ଡ୍ରୋନ୍ ଏଭଳି କାମ କରିବ – ଯେମିତିକି ଫସଲ ବଢ଼ୁଛି, ଆଉ ସେତେବେଳେ ବର୍ଷାଦିନ ଚାଲିଛି । ସେତେବେଳେ ବିଲରେ ପଶିବାରେ ବି ବହୁତ ଅସୁବିଧା ହୁଏ । ଏଭଳି ପରିସ୍ଥିତିରେ କୃଷକ ବି ଭିତରକୁ କେମିତି ଯିବେ? ସେତେବେଳେ ଏହାଦ୍ୱାରା ଚାଷୀମାନଙ୍କୁ ବହୁତ ଲାଭ ହେବ । ବିଲବାଡ଼ି ଭିତରକୁ ବି ଯିବା ଦରକାର ପଡ଼ିବନି । ଆମେ ମୂଲିଆ ଲଗାଇ ଯୋଉ କାମ କରୁଛୁ, ତାହା ମଂଚା ଉପରେ ଛିଡ଼ା ହେଇ ଡ୍ରୋନ୍ ସାହାଯ୍ୟରେ କରିପାରିବା । ବିଲରେ ଯଦି ସେମିତି କୌଣସି ବିଷାକ୍ତ ପୋକଜୋକ ଥାଆନ୍ତି ସେଥିରୁ ମଧ୍ୟ ଆମକୁ ସୁରକ୍ଷା ମିଳିବ । ଚାଷୀମାନଙ୍କୁ ମଧ୍ୟ ଏହା ଖୁବ୍ ଭଲ ଲାଗୁଛି । ସାର୍, ଏ ଯାଏଁ ଆମେ ୩୫ ଏକର ଜମି ଉପରେ ସ୍ପ୍ରେ କରିସାରିଲୁଣି ।

ମୋଦି ଜୀ : ତା’ମାନେ ଚାଷୀମାନେ ବି ଏହାର ଲାଭ ସମ୍ପର୍କରେ ବୁଝିଲେଣି?

ସୁନୀତା ଦେବୀ : ହଁ ଆଜ୍ଞା, ଚାଷୀମାନେ ମଧ୍ୟ ଏଥିରେ ବହୁତ ସନ୍ତୋଷ ଅନୁଭବ କରୁଛନ୍ତି । ସେମାନଙ୍କୁ ମଧ୍ୟ ଏହା ବେଶ୍ ଭଲ ଲାଗୁଛି । ସମୟ ମଧ୍ୟ କମ୍ ଲାଗୁଛି । ସବୁ ସୁବିଧା ବିଷୟରେ ଆମେ ନିଜେ ବ୍ୟବସ୍ଥା କରୁଛୁ । ପାଣି, ଔଷଧ – ସବୁ କିଛି ସାଙ୍ଗରେ ରଖୁଛୁ । ସେମାନଙ୍କୁ କେବଳ ଆମକୁ ତାଙ୍କର ଜମିର ସୀମା କହିବାକୁ ପଡ଼ୁଛି । ଅଧଘଣ୍ଟାରେ ସବୁ କାମ ସାରି ଦେଉଛି ।

ମୋଦି ଜୀ : ଡ୍ରୋନ୍ ଦେଖିବାକୁ ବି ଅନେକ ଲୋକ ଆସୁଥିବେ?

ସୁନୀତା ଦେବୀ : ହଁ ଆଜ୍ଞା, ବହୁତ ଭିଡ଼ ହେଉଛି । ଡ୍ରୋନ୍ ଦେଖିବାକୁ ବହୁତ ଲୋକ ଚାଲିଆସୁଛନ୍ତି । ବଡ଼ ବଡ଼ ଚାଷୀମାନେ ଆମ ଫୋନ୍ ନମ୍ବର ମଧ୍ୟ ପଚାରି ବୁଝୁଛନ୍ତି । କହୁଛନ୍ତି, ଆମେ ବି ସ୍ପ୍ରେ ପାଇଁ ଆପଣଙ୍କୁ ଡାକିବୁ । 

ମୋଦି ଜୀ : ବହୁତ ଭଲ କଥା । କାରଣ, ମୋର ଗୋଟିଏ ମିଶନ୍ ରହିଛି – ଲକ୍ଷପତି ଦିଦି ସୃଷ୍ଟି କରିବାର। ଆଜି ଯଦି ଦେଶଯାକର ଭଉଣୀମାନେ ଶୁଣୁଛନ୍ତି, ଯେ ଜଣେ ଡ୍ରୋନ୍ ଦିଦି ପ୍ରଥମ ଥର ମୋ ସହିତ କଥା ହେଉଛନ୍ତି । ଏହା ଉପରେ ଆପଣ କ’ଣ କହିବେ?

ସୁନୀତା ଦେବୀ : ଆଜି ଯେମିତି ମୁଁ ଏଠାରେ ଜଣେ ମାତ୍ର ଡ୍ରୋନ୍ ଦିଦି ରହିଛି, ସେମିତି ହଜାର ହଜାର ଭଉଣୀମାନେ ଆଗେଇ ଆସନ୍ତୁ ଓ ଆଉ ମୋ ଭଳି ଡ୍ରୋନ୍ ଦିଦି ହୁଅନ୍ତୁ । ବର୍ତ୍ତମାନ ମୁଁ ଏକା ଅଛି, କିନ୍ତୁ ଆଗାମୀ ଦିନରେ ମୋ ସହିତ ମୋ ଭଳି ହଜାର ହଜାର ଲୋକ ଠିଆ ହୋଇଥିବେ, ସେତେବେଳେ ବହୁତ ଭଲ ଲାଗିବ । ଆମେ ସମସ୍ତେ ଡ୍ରୋନ୍ ଦିଦି ନାଁରେ ପରିଚିତ ହେବୁ ।

ମୋଦି ଜୀ : ହଉ, ସୁନୀତା ଜୀ, ମୋ ତରଫରୁ ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ । ନମୋ ଡ୍ରୋନ୍ ଦିଦିମାନେ ଦେଶରେ କୃଷିକୁ ଆଧୁନିକୀକରଣ କରିବାର ବହୁତ ବଡ଼ ମାଧ୍ୟମ ସାଜିଛନ୍ତି । ମୋ ତରଫରୁ ଅନେକ ଅନେକ ଶୁଭକାମନା । 

ସୁନୀତା ଦେବୀ : ଥ୍ୟାଙ୍କ୍ ୟୁ, ଥ୍ୟାଙ୍କ୍ ୟୁ ସାର୍ । 

ମୋଦି ଜୀ : ଥ୍ୟାଙ୍କ୍ ୟୁ ।

ବନ୍ଧୁଗଣ, ଦେଶରେ ଆଜି ଏଭଳି କୌଣସି କ୍ଷେତ୍ର ନାହିଁ, ଯେଉଁଥିରେ ନାରୀଶକ୍ତି ପଛୁଆ ହୋଇ ରହିଛି । ଆଉ ଗୋଟିଏ କ୍ଷେତ୍ର, ଯେଉଁଠି ମହିଳାମାନେ ନିଜର ସୁନ୍ଦର ନେତୃତ୍ୱ କ୍ଷମତା ପ୍ରଦର୍ଶନ କରିଛନ୍ତି, ତାହା ହେଉଛି ପ୍ରାକୃତିକ ଉପାୟରେ ଚାଷ, ଜଳ ସଂରକ୍ଷଣ ଏବଂ ସ୍ୱଚ୍ଛତା । ରାସାୟନିକ ଦ୍ରବ୍ୟ ଦ୍ୱାରା ଆମ ଧରିତ୍ରୀ ମାଆକୁ ଯେଉଁ କଷ୍ଟ ହେଉଛି, ଯେଉଁ ପୀଡ଼ା ହେଉଛି, ଯେଉଁ ଯନ୍ତ୍ରଣା ହେଉଛି – ଆମ ଧରିତ୍ରୀ ମା କୁ ରକ୍ଷା କରିବା ଦିଗରେ ଆମର ମାତୃଶକ୍ତି ବହୁତ ବଡ଼ ଭୂମିକା ନିର୍ବାହ କରୁଛି । ଦେଶର କୋଣ-ଅନୁକୋଣରେ ମହିଳାମାନେ ଏବେ ପ୍ରାକୃତିକ ଉପାୟରେ ଚାଷକୁ ସମୃଦ୍ଧ କରିଚାଲିଛନ୍ତି । ଦେଶରେ ଯଦି ଆଜି ଜଳ ଜୀବନ ମିଶନ୍ ଜରିଆରେ ଏତେ କାମ ହେଉଛି, ତାହେଲେ ତା ପଛରେ ଜଳ ସମିତିଗୁଡ଼ିକର ବହୁତ ବଡ଼ ଭୂମିକା ରହିଛି । ଏହି ଜଳ ସମିତିଗୁଡ଼ିକର ନେତୃତ୍ୱ ମହିଳାମାନଙ୍କ ହାତରେ ହିଁ ରହିଛି । ଏହାକୁ ଛାଡ଼ି ମଧ୍ୟ ମା-ଭଉଣୀମାନେ ଜଳ ସଂରକ୍ଷଣ ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିଚାଲିଛନ୍ତି । ମୋ ସହିତ ଫୋନ୍ ଲାଇନରେ ସେହିଭଳି ଜଣେ ମହିଳା ଅଛନ୍ତି – କଲ୍ୟାଣୀ ପ୍ରଫୁଲ୍ଲ ପାଟିଲ୍। ସେ ମହାରାଷ୍ଟ୍ରର ବାସିନ୍ଦା । ଆସନ୍ତୁ, କଲ୍ୟାଣୀ ପ୍ରଫୁଲ୍ଲ ପାଟିଲଙ୍କ ସହିତ କଥା ହୋଇ ତାଙ୍କ ଅନୁଭୁତି ସମ୍ପର୍କରେ ଜାଣିବା –

ପ୍ରଧାନମନ୍ତ୍ରୀ : ନମସ୍କାର କଲ୍ୟାଣୀ ଜୀ ।

କଲ୍ୟାଣୀ ଦେବୀ : ନମସ୍କାର ଆଜ୍ଞା, ନମସ୍କାର । 

ପ୍ରଧାନମନ୍ତ୍ରୀ : କଲ୍ୟାଣୀ ଜୀ, ପ୍ରଥମେ ଆପଣ ନିଜ ବିଷୟରେ, ନିଜ ପରିବାର ଓ କାମଧନ୍ଦା ସମ୍ପର୍କରେ କିଛି କୁହନ୍ତୁ । 

କଲ୍ୟାଣୀ ଦେବୀ : ସାର୍, ମୁଁ ମାଇକ୍ରୋବାୟୋଲଜିରେ ଏମ.ଏସ୍.ସି. କରିଛି । ଘରେ ମୋ ସ୍ୱାମୀ, ମୋ ଶାଶୂ ଆଉ ମୋର ଦୁଇଟି ପିଲା ଅଛନ୍ତି । ତିନିବର୍ଷ ଧରି ମୁଁ ମୋ ଗ୍ରାମପଞ୍ଚାୟତରେ କାମ କରୁଛି । 

ପ୍ରଧାନମନ୍ତ୍ରୀ : ଆଉ ତା’ପରେ କ’ଣ ଚାଷବାସରେ ଲାଗିପଡ଼ିଛନ୍ତି? କାରଣ ଆପଣଙ୍କ ପାଖରେ ଆବଶ୍ୟକ ଜ୍ଞାନ ରହିଛି, ଏ ବିଷୟରେ ଆପଣ ପାଠ ମଧ୍ୟ ପଢ଼ିଛନ୍ତି, ଆଉ ଏବେ ଚାଷବାସ କରୁଛନ୍ତି । ଆପଣ କ’ଣ ସବୁ ନୂଆ ପରୀକ୍ଷାନିରୀକ୍ଷା କରିଛନ୍ତି?

କଲ୍ୟାଣୀ ଦେବୀ : ସାର୍, ମୁଁ ଦଶ ପ୍ରକାର ଉଦ୍ଭିଦକୁ ମିଶାଇ ସେଥିରୁ ଜୈବିକ ସିଂଚନ ତିଆରି କରିଛି । କାରଣ କୀଟନାଶକ ସିଞ୍ଚନ କରିବା ଦ୍ୱାରା ଆମର ଉପକାରୀ କୀଟ ମଧ୍ୟ ନଷ୍ଟ ହୋଇଯାଉଛନ୍ତି ଆଉ ଆମ ମାଟି ମଧ୍ୟ ପ୍ରଦୂଷିତ ହେଉଛି । ରାସାୟନିକ ପଦାର୍ଥ ପାଣିରେ ମିଶିବା ଦ୍ୱାରା ଆମ ଶରୀରରେ ମଧ୍ୟ ଏହାର କ୍ଷତିକାରକ ଉପାଦାନ ଦେଖିବାକୁ ମିଳୁଛି । ତେଣୁ ଆମେ ଏହି ରାସାୟନିକ ପଦାର୍ଥଗୁଡ଼ିକୁ ଯଥାସମ୍ଭବ କମ ମାତ୍ରାରେ ବ୍ୟବହାର କରିବା ଉଚିତ ।

ପ୍ରଧାନମନ୍ତ୍ରୀ : ଅର୍ଥାତ୍, ଆପଣ ସମ୍ପୂର୍ଣ୍ଣ ଭାବେ ପ୍ରାକୃତିକ ଉପାୟରେ ଚାଷ ଆଡ଼କୁ ଯାଉଛନ୍ତି?

କଲ୍ୟାଣୀ ଦେବୀ : ଆଜ୍ଞା ହଁ, ଆମର ଯେଉଁ ପାରମ୍ପରିକ ଚାଷ ପଦ୍ଧତି ରହିଛି, ଗତବର୍ଷ ଆମେ ସେମିତି ହିଁ ଚାଷ କରିଥିଲୁ । 

ପ୍ରଧାନମନ୍ତ୍ରୀ : ପ୍ରାକୃତିକ ଉପାୟରେ ଚାଷ କରିବାରେ ଆପଣଙ୍କ ଅନୁଭୁତି କିଭଳି ରହିଲା?

କଲ୍ୟାଣୀ ଦେବୀ : ସାର୍, ଆମର ମହିଳାମାନଙ୍କୁ ଏଥିରେ ବହୁତ କମ ଖର୍ଚ୍ଚ କରିବାକୁ ପଡ଼ିଲା, ଉତ୍ପାଦନ ମଧ୍ୟ (ଭଲ ହେଲା), ଏହି ଉପାୟରେ ଆମେ ବିନା କୀଟନାଶକରେ ଚାଷ କଲୁ । କାରଣ, ଆଜିକାଲି କର୍କଟ ରୋଗର ପ୍ରାଦୁର୍ଭାବ ଯେଭଳି ଦେଖାଗଲାଣି । ସହରାଞ୍ଚଳରେ ତ ରହିଛି, କିନ୍ତୁ ଆଜିକାଲି ଗ୍ରାମାଞ୍ଚଳରେ ମଧ୍ୟ ଏହାର ସଂଖ୍ୟା ବଢ଼ି ବଢ଼ି ଚାଲିଛି । ତେଣୁ ଭବିଷ୍ୟତରେ ପରିବାରଗୁଡ଼ିକୁ ସୁରକ୍ଷିତ ରଖିବାକୁ ହେଲେ ଏହି ବାଟ ଆପଣେଇବା ନିହାତି ଆବଶ୍ୟକ । ତେଣୁ, ମହିଳାମାନେ ମଧ୍ୟ ଏଥିପ୍ରତି ଆଗ୍ରହ ପ୍ରଦର୍ଶନ କରି ଏ ଦିଗରେ ସକ୍ରିୟ ସହଯୋଗ କରୁଛନ୍ତି । 

ପ୍ରଧାନମନ୍ତ୍ରୀ : ଆଚ୍ଛା କଲ୍ୟାଣୀ ଜୀ, ଆପଣ ଜଳ ସଂରକ୍ଷଣ ଦିଗରେ ବି କିଛି କାମ କରିଛନ୍ତି କି? ସେଥିରେ ଆପଣ କି କାମ କରିଛନ୍ତି?

କଲ୍ୟାଣୀ ଦେବୀ : ହଁ ସାର୍, ରେନ୍ ୱାଟର୍ ହାର୍ଭେଷ୍ଟିଂ (ବର୍ଷାଜଳ ସଂରକ୍ଷଣ) ଦିଗରେ ବି କରିଛି । ଆମର ଯେତେସବୁ ସର୍ବସାଧାରଣ କୋଠାବାଡ଼ି ରହିଛି, ଯେମିତିକି ପ୍ରାଥମିକ ବିଦ୍ୟାଳୟ ହେଉ, ଅଙ୍ଗନବାଡ଼ି କେନ୍ଦ୍ର ହେଉ, ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ହେଉ, ସେଠାରେ ଛାତ ଉପରେ ପଡ଼ୁଥିବା ବର୍ଷାଜଳକୁ ଆମେ ଗୋଟିଏ ଜାଗାରେ ଏକତ୍ର କରୁଛୁ । ରିଚାର୍ଜ ଶାଫ୍ଟ ଜରିଆରେ, ବର୍ଷାଜଳ ମାଟିରେ ଭେଦି ଭୂଗର୍ଭକୁ ଯିବା ଉଚିତ । ତେଣୁ ଆମେ ଆମ ଗାଁରେ ୨୦ଟି ରିଚାର୍ଜ ଶାଫ୍ଟ ତିଆରି କରିଛୁ । ତା ଛଡ଼ା ଆହୁରି ୫୦ଟି ରିଚାର୍ଜ ଶାଫ୍ଟ ପାଇଁ ଅନୁମୋଦନ ମଧ୍ୟ ମିଳିସାରିଲାଣି । ଖୁବ୍ ଶୀଘ୍ର ତା’ପାଇଁ ମଧ୍ୟ କାମ ଆରମ୍ଭ ହୋଇଯିବ । 

ପ୍ରଧାନମନ୍ତ୍ରୀ : ହଉ, କଲ୍ୟାଣୀ ଜୀ, ଆପଣଙ୍କ ସହିତ କଥା ହୋଇ ବହୁତ ଖୁସି ଲାଗିଲା । ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା । 

କଲ୍ୟାଣୀ ଦେବୀ : ସାର୍ ଧନ୍ୟବାଦ । ସାର୍ ଧନ୍ୟବାଦ । ଆପଣଙ୍କ ସହିତ କଥା ହୋଇ ମୋତେ ବି ବହୁତ ଖୁସି ଲାଗିଲା । ମୋ ଜୀବନ ସମ୍ପୂର୍ଣ୍ଣ ରୂପେ ସାର୍ଥକ ହେଲା ବୋଲି ମୁଁ ଭାବୁଛି । 

ପ୍ରଧାନମନ୍ତ୍ରୀ : ବାସ୍, ଏମିତି ସେବା କରିଚାଲିଥାଆନ୍ତୁ । ଆପଣଙ୍କର ତ ନାଁ ହିଁ କଲ୍ୟାଣୀ । ତେଣୁ କଲ୍ୟାଣ ତ ଆପଣଙ୍କୁ କରିବାକୁ ହିଁ ହେବ । ଧନ୍ୟବାଦ । ନମସ୍କାର । 

କଲ୍ୟାଣୀ ଦେବୀ : ଧନ୍ୟବାଦ ସାର୍ । ଧନ୍ୟବାଦ । 

ବନ୍ଧୁଗଣ, ସୁନୀତା ଜୀ ହୁଅନ୍ତୁ କି କଲ୍ୟାଣୀ ଜୀ, ଭିନ୍ନ ଭିନ୍ନ କ୍ଷେତ୍ରରେ ନାରୀ-ଶକ୍ତିର ସଫଳତା ବହୁତ ପ୍ରେରଣାଦାୟକ। ମୁଁ ପୁଣିଥରେ ଆମର ନାରୀ-ଶକ୍ତିର ଏହି ସାହସକୁ ହୃଦୟର ସହ ପ୍ରଶଂସା କରୁଛି ।

ମୋର ପ୍ରିୟ ଦେଶବାସୀଗଣ, ଆଜି ଆମ ସମସ୍ତଙ୍କ ଜୀବନରେ ପ୍ରଯୁକ୍ତିବିଦ୍ୟାର ମହତ୍ତ୍ୱ ବହୁତ ବଢ଼ିଯାଇଛି । ମୋବାଇଲ ଫୋନ୍‌, ଡିଜିଟାଲ୍‌ ଗେଜେଟ୍‌ ଆମ ସଭିଙ୍କ ଜୀବନରେ ଗୋଟିଏ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଯାଇଛି । କିନ୍ତୁ ଆପଣ କ’ଣ କଳ୍ପନା କରିପାରିବେ ଯେ ଡିଜିଟାଲ୍‌ ଗେଜେଟ୍‌ ସାହାଯ୍ୟରେ ଏବେ ବନ୍ୟପ୍ରାଣୀଙ୍କ ସହିତ ସମନ୍ୱୟ ସ୍ଥାପନ କରିବାରେ ମଧ୍ୟ ସହାୟତା ମିଳୁଛି । କିଛିଦିନ ପରେ, ମାର୍ଚ୍ଚ ୩ ତାରିଖ ହେଉଛି “ବିଶ୍ୱ ବନ୍ୟପ୍ରାଣୀ ଦିବସ’ । ଏହି ଦିନଟିକୁ ବନ୍ୟପ୍ରାଣୀଙ୍କ ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି ଉଦେ୍ଦଶ୍ୟରେ ପାଳନ କରାଯାଇଥାଏ । ଚଳିତ ବର୍ଷ ବିଶ୍ୱ ବନ୍ୟପ୍ରାଣୀ ଦିବସର Themeରେ ଡିଜିଟାଲ୍‌ ଇନ୍ନୋଭେସନକୁ ସର୍ବାଗ୍ରେ ରଖାଯାଇଛି । ଆପଣ ଜାଣି ଖୁସିହେବେ ଯେ ଆମ ଦେଶର ଅଲଗା ଅଲଗା ଅଞ୍ଚଳରେ ବନ୍ୟପ୍ରାଣୀଙ୍କର ସୁରକ୍ଷା ପାଇଁ ପ୍ରଯୁକ୍ତିବିଦ୍ୟାର ବହୁତ ଉପଯୋଗ ହେଉଛି । ଗତ କିଛିବର୍ଷ ଭିତରେ ସରକାରଙ୍କ ଉଦ୍ୟମରେ ଦେଶରେ ବାଘଙ୍କ ସଂଖ୍ୟା ବଢ଼ିଛି । ମହାରାଷ୍ଟ୍ରର ଚନ୍ଦ୍ରପୁର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରେ ବାଘଙ୍କ ସଂଖ୍ୟା ଅଢ଼େଇ ଶହରୁ ଅଧିକ ହୋଇଛି । ଚନ୍ଦ୍ରପୁର ଜିଲାରେ ମଣିଷ ଓ ବାଘଙ୍କ ମଧ୍ୟରେ ସଂଘର୍ଷ କମ୍‌ କରିବା ପାଇଁ କୃତ୍ରିମ ମେଧାର ସାହାଯ୍ୟ ନିଆଯାଉଛି । ଏଠାରେ ଗାଁ ଓ ଜଙ୍ଗଲ ସୀମାରେ କ୍ୟାମେରା ଲଗାଯାଇଛି । ଯେତେବେଳେ କୌଣସି ବାଘ ଗାଁ ନିକଟକୁ ଆସେ ସେତେବେଳେ କୃତ୍ରିମ ମେଧା ସହାୟତାରେ ସ୍ଥାନୀୟ ଲୋକଙ୍କୁ ମୋବାଇଲରେ ସତର୍କ ସୂଚନା ମିଳିଯାଏ । ଆଜି ଏହି ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ଆଖପାଖର ୧୩ଟି ଗାଁରେ ଏହି ବ୍ୟବସ୍ଥା ଦ୍ୱାରା ଲୋକଙ୍କର ବହୁତ ସୁବିଧା ହୋଇଯାଇଛି ଓ ବାଘଙ୍କୁ ମଧ୍ୟ ସୁରକ୍ଷା ମିଳୁଛି ।

ବନ୍ଧୁଗଣ, ଆଜି ଯୁବ ଉଦ୍ୟୋଗୀମାନେ ମଧ୍ୟ ବନ୍ୟପ୍ରାଣୀ ସଂରକ୍ଷଣ ଓ ପରିବେଶ ଅନୁକୂଳ ପର୍ଯ୍ୟଟନ ପାଇଁ ନୂଆନୂଆ ଇନୋଭେସନ ସାମ୍ନାକୁ ଆଣୁଛନ୍ତି । ଉତ୍ତରାଖଣ୍ଡର ରୁଡ଼କିରେ ରୋଟର ପ୍ରିସିସନ୍ ଗ୍ରୁପ୍‌ସ ୱାଇଲ୍ଡଲାଇଫ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ଇଣ୍ଡିଆ ସହଯୋଗରେ ଏଭଳି ଡ୍ରୋନ୍‌ ତିଆରି କରିଛି, ଯାହାଦ୍ୱାରା କେନ୍‌ ନଦୀରେ ଘଡ଼ିଆଳ ପ୍ରଜାତିର କୁମ୍ଭୀରଙ୍କ ଉପରେ ନଜର ରଖିବାରେ ସହାୟତା ମିଳୁଛି । ସେହିପରି ବେଙ୍ଗାଲୁରୁର ଏକ କମ୍ପାନୀ “ବଘିରା’ ଓ “ଗରୁଡ଼’ ନାମକ ଆପ୍‌ ପ୍ରସ୍ତୁତ କରିଛି । ବଘିରା ଆପ୍‌ ଦ୍ୱାରା ଜଙ୍ଗଲ ସଫାରି ବେଳେ ବାହନର ବେଗ ଓ ଅନ୍ୟ ଗତିବିଧି ଉପରେ ନଜର ରଖାଯାଇପାରିବ । ଦେଶର ଅନେକ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ଏହାର ଉପଯୋଗ ହେଉଛି । କୃତ୍ରିମ ମେଧା ଏବଂ ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗ୍‌ସ ଉପରେ ଆଧାରିତ ଗରୁଡ଼ ଆପ୍‌କୁ କୌଣସି ସିସିଟିଭିରେ ସଂଯୋଗ କଲେ ତାକ୍ରାଳିକ ସତର୍କ ସୂଚନା ମିଳିପାରୁଛି । ବନ୍ୟପ୍ରାଣୀଙ୍କ ସୁରକ୍ଷା ଦିଗରେ ଏହିଭଳି ପ୍ରତ୍ୟେକ ଉଦ୍ୟମ ଦ୍ୱାରା ଆମ ଦେଶର ଜୈବବିବିଧତା ଆହୁରି ସମୃଦ୍ଧ ହେଉଛି ।

ବନ୍ଧୁଗଣ, ଭାରତରେ ତ ପ୍ରକୃତି ସହିତ ସମନ୍ୱୟ ସ୍ଥାପନ ଆମ ସଂସ୍କୃତିର ଅଭିନ୍ନ ଅଙ୍ଗ ରହିଆସିଛି । ଆମେ ହଜାର ହଜାର ବର୍ଷ ଧରି ପ୍ରକୃତି ଓ ବନ୍ୟପ୍ରାଣୀଙ୍କ ସହିତ ସହାବସ୍ଥାନ ରଖି ରହିଆସିଛୁ । ଯଦି ଆପଣ କେବେ ମହାରାଷ୍ଟ୍ରର ମେଲଘାଟ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳକୁ ଯାଆନ୍ତି ତ ସେଠାରେ ସ୍ୱୟଂ ଏହାକୁ ଅନୁଭବ କରିପାରିବେ । ଏହି ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ନିକଟରେ ଖଟକଲି ଗାଁରେ ରହୁଥିବା ଆଦିବାସୀ ପରିବାର ସରକାରଙ୍କ ସହାୟତାରେ ନିଜ ଘରକୁ ହୋମ୍‌ ଷ୍ଟେ’ରେ ବଦଳାଇ ଦେଇଛନ୍ତି । ଏହା ସେମାନଙ୍କ ଆୟର ବହୁତ ବଡ଼ ସାଧନ ହେଉଛି । ଏହି ଗାଁରେ ରହୁଥିବା କୋରକୁ ଜନଜାତିର ପ୍ରକାଶ ଜାମକର ଜୀ ନିଜର ଦୁଇ ହେକ୍ଟର ଜମିରେ ସାତଟି କୋଠରି ଥିବା ହୋମ୍‌ ଷ୍ଟେ ନିର୍ମାଣ କରିଛନ୍ତି । ସେଠାରେ ରହୁଥିବା ପର୍ଯ୍ୟଟକଙ୍କ ଖାଦ୍ୟପାନୀୟର ବ୍ୟବସ୍ଥା ତାଙ୍କ ପରିବାର ହିଁ କରିଥାଏ । ନିଜ ଘର ଆଖପାଖରେ ସେ ଔଷଧୀୟ ଗଛ ସହିତ ଆମ୍ବ ଓ କଫି ଗଛ ମଧ୍ୟ ଲଗାଇଛନ୍ତି । ଏହାଦ୍ୱାରା ପର୍ଯ୍ୟଟକଙ୍କ ଆକର୍ଷଣ ତ ବଢ଼ୁଛି, ଅନ୍ୟ ଲୋକଙ୍କ ପାଇଁ ମଧ୍ୟ ରୋଜଗାରର ନୂଆ ସୁଯୋଗ ସୃଷ୍ଟି ହୋଇଛି ।

ମୋର ପ୍ରିୟ ଦେଶବାସୀଗଣ, ଆମେ ଯେତେବେଳେ ପଶୁପାଳନ କଥା ହେଉ ତ ପ୍ରାୟ ଗାଈମଇଁଷି ପର୍ଯ୍ୟନ୍ତ ଆସି ଅଟକିଯାଉ । କିନ୍ତୁ ଛେଳି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଶୁଧନ, ଯାହା ବିଷୟରେ ସେତିକି ଆଲୋଚନା ହୁଏ ନାହିଁ । ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଅନେକ ଲୋକ ଛେଳିପାଳନ ସହିତ ସଂପୃକ୍ତ ଅଛନ୍ତି । ଓଡ଼ିଶାର କଳାହାଣ୍ଡିରେ ଛେଳି ପାଳନ ଗାଁ ଲୋକଙ୍କର ଜୀବିକା ସହିତ ସେମାନଙ୍କ ଜୀବନ ସ୍ତରକୁ ଉପରକୁ ଆଣିବାରେ ମଧ୍ୟ ଏକ ବଡ଼ ମାଧ୍ୟମ ପାଲଟୁଛି । ଏହି ଉଦ୍ୟମ ପଛରେ ଜୟନ୍ତୀ ମହାପାତ୍ର ଜୀ ଓ ତାଙ୍କ ପତି ବୀରେନ ସାହୁ ଜୀଙ୍କ ବଡ଼ ନିଷ୍ପତ୍ତି ରହିଛି । ଏହି ଦୁଇଜଣ ବେଙ୍ଗାଲୁରୁରେ ମେନେଜମେଣ୍ଟ ପ୍ରଫେସନାଲ୍‌ ଥିଲେ, କିନ୍ତୁ ସେମାନେ ସେଠାରୁ ବିରତି ନେଇ କଳାହାଣ୍ଡିର ସାଲେଭଟା ଗାଁକୁ ଆସିବାର ନିଷ୍ପତ୍ତି ନେଲେ । ସେମାନେ ଏପରି କିଛି କରିବାକୁ ଚାହୁଁଥିଲେ ଯାହାଦ୍ୱାରା ସେଠାକାର ଗ୍ରାମାଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ତ ହେବ, ତା’ସହିତ ସେମାନେ ସଶକ୍ତ ମଧ୍ୟ ହୋଇପାରିବେ । ସେବା ଓ ସମର୍ପଣରେ ପୂର୍ଣ୍ଣ ନିଜର ଏହି ଭାବନା ସହିତ ସେମାନେ ମାଣିକାସ୍ତୁ ଏଗ୍ରୋ ସ୍ଥାପନ କଲେ ଏବଂ ଚାଷୀଙ୍କ ସହିତ କାମ ଆରମ୍ଭ କରିଦେଲେ । ଜୟନ୍ତୀ ଜୀ ଓ ବୀରେନ୍‌ ଜୀ ସେଠାରେ ଏକ ନିଆରା ମାଣିକାସ୍ତୁ ଛେଳି ବ୍ୟାଙ୍କ୍‌ ମଧ୍ୟ ଖୋଲିଛନ୍ତି । ସେମାନେ ଗୋଷ୍ଠୀଗତ ଭାବେ ଛେଳି ପାଳନକୁ ପ୍ରୋତ୍ସାହନ ଦେଉଛନ୍ତି । ସେମାନଙ୍କ ଛେଳିଗୋଠରେ ପ୍ରାୟ କେଇ ଡଜନ ଛେଳି ଅଛନ୍ତି । ମାଣିକାସ୍ତୁ ଛେଳି ବ୍ୟାଙ୍କ ଜରିଆରେ ସେମାନେ ଚାଷୀଙ୍କ ପାଇଁ ଏକ ସମଗ୍ର ବ୍ୟବସ୍ଥା ତିଆରି କରିଛନ୍ତି । ତା’ ମାଧ୍ୟମରେ ଚାଷୀଙ୍କୁ ୨୪ ମାସ ପାଇଁ ୨ଟି ଛେଳି ଦିଆଯାଏ । ୨ ବର୍ଷରେ ଛେଳି ୯ରୁ ୧୦ଟି ଛୁଆ ଜନ୍ମ କରନ୍ତି, ସେଥିରୁ ୬ଟି ଛୁଆଙ୍କୁ ବ୍ୟାଙ୍କ ରଖେ ଓ ବାକି ଛୁଆଙ୍କୁ ସେହି ପରିବାରକୁ ଦେଇଦିଆଯାଏ ଯିଏ ସେଗୁଡ଼ିକୁ ପାଳନ କରନ୍ତି । କେବଳ ସେତିକି ନୁହେଁ, ଛେଳିଙ୍କ ଲାଳନପାଳନ ପାଇଁ ଜରୁରୀ ସେବାଯତ୍ନ ମଧ୍ୟ ପ୍ରଦାନ କରାଯାଏ । ଆଜି ୫୦ଟି ଗାଁର ୧୦୦୦ରୁ ଅଧିକ ଚାଷୀ ଏହି ଦମ୍ପତିଙ୍କ ସହ ଯୋଡ଼ି ହୋଇଛନ୍ତି । ତାଙ୍କ ସହାୟତାରେ ଗାଁର ଲୋକେ ପଶୁପାଳନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଆଡ଼କୁ ଗତି କରୁଛନ୍ତି । ଏହାଦେଖି ମୋତେ ଖୁସି ଲାଗୁଛି ଯେ ବିଭିନ୍ନ କ୍ଷେତ୍ରରେ ସଫଳ ପେସାଦାରମାନେ ଛୋଟ ଚାଷୀଙ୍କୁ ସଶକ୍ତ ଓ ଆତ୍ମନିର୍ଭର କରିବା ପାଇଁ ନୂଆନୂଆ ଉପାୟ ଆପଣାଉଛନ୍ତି । ତାଙ୍କର ଏହି ପ୍ରୟାସ ପ୍ରତ୍ୟେକଙ୍କ ପାଇଁ ପ୍ରେରଣାଦାୟକ ଅଟେ ।

ମୋର ପ୍ରିୟ ଦେଶବାସୀଗଣ, ଆମ ସଂସ୍କୃତିର ଶିକ୍ଷା ହେଉଛି- “ପରମାର୍ଥ ପରମୋ ଧର୍ମଃ’ ଅର୍ଥାତ ଅନ୍ୟର ସାହାଯ୍ୟ କରିବା ହିଁ ସବୁଠୁ ବଡ଼ କର୍ତ୍ତବ୍ୟ । ଏହି ଭାବନାକୁ ନେଇ ଚାଲୁଥିବା ଆମର ଦେଶରେ ଅଗଣିତ ଲୋକ ନିଃସ୍ୱାର୍ଥ ଭାବନାରେ ଅନ୍ୟର ସେବା କରିବାରେ ନିଜ ଜୀବନକୁ ସମର୍ପିତ କରିଦେଇଥାନ୍ତି । ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ବିହାର ଭୋଜପୁରର ଭୀମ ସିଂହ ଭବେଶ ଜୀ । ନିଜ ଅଞ୍ଚଳର ମୁସହର ଜାତିର ଲୋକଙ୍କ ମଧ୍ୟରେ ତାଙ୍କ କାର୍ଯ୍ୟର ବହୁତ ଚର୍ଚ୍ଚା ହୋଇଥାଏ । ସେଇଥିପାଇଁ ମୁଁ ଭାବିଲି ଯେ ଆଜି ତାଙ୍କ ସମ୍ପର୍କରେ ଆପଣଙ୍କ ସଂଗେ କିଛି ଆଲୋଚନା କରିବି । ବିହାରରେ ମୁସହର ଏକ ଅତ୍ୟନ୍ତ ବଞ୍ଚିତ ସମ୍ପ୍ରଦାୟ ଅଟେ, ବହୁତ ଗରିବ ସମ୍ପ୍ରଦାୟ । ଭୀମ ସିଂହ ଭବେଶ ଜୀ ଏହି ସମ୍ପ୍ରଦାୟର ପିଲାଙ୍କର ଶିକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି, ଯେପରିକି ସେମାନଙ୍କର ଭବିଷ୍ୟ ଉଜ୍ୱଳ ହୋଇପାରିବ । ସେ ମୁସହର ଜାତିର ପ୍ରାୟ ୮ ହଜାର ପିଲାଙ୍କର ସ୍କୁଲ୍‌ରେ ନାଁ ଲେଖାଇଛନ୍ତି । ସେ ଏକ ବଡ଼ ପାଠାଗାର ଖୋଲିଛନ୍ତି, ଯାହାଦ୍ୱାରା ପିଲାଙ୍କୁ ପଢ଼ାଲେଖା ପାଇଁ ଭଲ ସୁବିଧା ମିଳିପାରୁଛି । ଭୀମ ସିଂହ ଜୀ ନିଜ ସମ୍ପ୍ରଦାୟ ସଦସ୍ୟଙ୍କର ଜରୁରୀ ଦସ୍ତାବିଜ୍‌ ତିଆରିରେ, ସେମାନଙ୍କର ଫର୍ମ ପୂରଣ କରିବାରେ ମଧ୍ୟ ସହାୟତା କରନ୍ତି । ଏହାଦ୍ୱାରା ଜରୁରୀ ସମ୍ବଳ ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ପହଞ୍ଚ ଆହୁରି ସହଜ ହୋଇପାରିଛି । ଲୋକଙ୍କର ସ୍ୱାସ୍ଥ୍ୟ କିଭଳି ଭଲ ରହିବ, ସେଥିପାଇଁ ସେ ୧୦୦ରୁ ଅଧିକ ଚିକିତ୍ସା ଶିବିର ଆୟୋଜନ କରିଛନ୍ତି । ଯେତେବେଳେ କରୋନାର ମହାସଙ୍କଟ ଆସିଥିଲା, ସେତେବେଳେ ଭୀମ ସିଂହ ଜୀ ନିଜ ଅଞ୍ଚଳର ଲୋକଙ୍କୁ ଟିକା ନେବାପାଇଁ ମଧ୍ୟ ବହୁତ ପ୍ରୋତ୍ସାହିତ କରିଥିଲେ । ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଭୀମ ସିଂହ ଭବେଶ ଜୀଙ୍କ ଭଳି ଅନେକ ଲୋକ ଅଛନ୍ତି, ଯେଉଁମାନେ ଏଭଳି ସମାଜ ପାଇଁ ଉତ୍ତମ କାର୍ଯ୍ୟ କରିବାରେ ଲାଗିପଡ଼ିଛନ୍ତି । ଜଣେ ଦାୟିତ୍ୱବାନ ନାଗରିକ ଭାବେ ଆମେ ଏହିପରି ନିଜ କର୍ତ୍ତବ୍ୟର ପାଳନ କରିବା ଯାହା ଏକ ସଶକ୍ତ ରାଷ୍ଟ୍ର ନିର୍ମାଣରେ ବହୁତ ସାହାଯ୍ୟକାରୀ ସାବ୍ୟସ୍ତ ହେବ ।

ମୋର ପ୍ରିୟ ଦେଶବାସୀଗଣ, ଭାରତର ସୌନ୍ଦର୍ଯ୍ୟ ତା’ର ବିବିଧତା ଏବଂ ଆମ ସଂସ୍କୃତିର ଭିନ୍ନ ଭିନ୍ନ ରଙ୍ଗ ମଧ୍ୟରେ ସମାହିତ । ଏହା ଦେଖି ମୋତେ ବହୁତ ଖୁସି ଲାଗେ ଅନେକ ଲୋକ ଭାରତୀୟ ସଂସ୍କୃତିର ସଂରକ୍ଷଣ ତଥା ତା’ର ସୌନ୍ଦର୍ଯ୍ୟ ରକ୍ଷା ଦିଗରେ ଦୃଢ଼ ପ୍ରୟାସ କରିଚାଲିଛନ୍ତି । ଏହିଭଳି ଲୋକ ଆପଣଙ୍କୁ ଭାରତର ପ୍ରତ୍ୟେକ ଅଞ୍ଚଳରେ ଦେଖିବାକୁ ମିଳିବେ । ଏମାନଙ୍କ ମଧ୍ୟରେ ଭାଷା କ୍ଷେତ୍ରରେ କାମ କରୁଥିବା ଲୋକମାନେ ବହୁସଂଖ୍ୟାରେ ଦେଖିବାକୁ ମିଳିବେ । ଜାମ୍ମୁକାଶ୍ମୀରର ଗାନ୍ଦରବଲ୍ ଅଞ୍ଚଳର ମହମ୍ମଦ ମାନ ଶାହ୍ ଜଣେ ଏପରି ଲୋକ ଯିଏ ଗତ ତିନିଦଶନ୍ଧି ଧରି ଗୋଜରୀ ଭାଷାକୁ ସଂରକ୍ଷିତ କରିବାର ପ୍ରଚେଷ୍ଟାରେ ଲାଗିରହିଛନ୍ତି । ସେ ଗୁଜ୍ଜର ବକରୱାଲ୍ ସମ୍ପ୍ରଦାୟ ଲୋକ ଯାହାକି ଏକ ଜନଜାତୀୟ ସମ୍ପ୍ରଦାୟ । ତାଙ୍କୁ ପିଲାଦିନେ ପାଠ ପଢ଼ିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିଥିଲା, ସେ ଦିନକୁ ୨୦ କିଲୋମିଟର ରାସ୍ତା ପାଦରେ ଚାଲି ଚାଲି ଯାଉଥିଲେ । ଏହିଭଳି ପରିସ୍ଥିତି ଭିତରେ ସେ ସ୍ନାତକୋତ୍ତର ଡିଗ୍ରୀ ପ୍ରାପ୍ତ କରିଥିଲେ । ଏହିଭଳି ଭାବରେ ତାଙ୍କର ନିଜ ଭାଷାକୁ ସଂରକ୍ଷିତ କରିବାର ସଂକଳ୍ପ ଦୃଢ଼ ହୋଇଥିଲା ।

ସାହିତ୍ୟ କ୍ଷେତ୍ରରେ ମାନଶାହଙ୍କ କାର୍ଯ୍ୟର ପରିସର ଏତେ ବଡ଼ ଯେ ସେଗୁଡ଼ିକୁ ସଂଗ୍ରହ କରିବାକୁ ପ୍ରାୟ ୫୦ଟି ସଂସ୍କରଣ କରିବାକୁ ପଡ଼ିଲା । ଏଥିରେ ଅନେକ କବିତା ଏବଂ ଲୋକଗୀତ ମଧ୍ୟ ରହିଛି । ସେ ଅନେକ ପୁସ୍ତକର ଅନୁବାଦ ମଧ୍ୟ ଗୋଜରୀ ଭାଷାରେ କରିଛନ୍ତି । ସାଥିଗଣ, ଅରୁଣାଚଳ ପ୍ରଦେଶ ତିରପ ଅଞ୍ଚଳର ବନବଙ୍ଗ ଲୋସୁଜୀ ଜଣେ ଶିକ୍ଷକ । ସେ ବାଂଚୋ ଭାଷାର ପ୍ରସାର କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ଏହି ଭାଷା ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ ଓ ଆସାମର କେତେକ ଅଞ୍ଚଳରେ ପ୍ରଚଳିତ । ସେ ଗୋଟିଏ ଭାଷା ବିଦ୍ୟାଳୟ (LanguageSchool) ପ୍ରତିଷ୍ଠା କରିଛନ୍ତି । ତା’ଛଡ଼ା ସେ ବାଂଚୋ ଭାଷାର ଗୋଟିଏ ଲିପି ମଧ୍ୟ ପ୍ରସ୍ତୁତ କରିଛନ୍ତି। ବାଂଚୋ ଭାଷା ବିଲୁପ୍ତ ନ ହେବାକୁ ଦେଇ ରକ୍ଷା କରିବାକୁ ସେ ଆଗାମୀ ପିଢ଼ୀର ପିଲାମାନଙ୍କୁ ବାଂଚୋ ଭାଷା ଶିଖାଉଛନ୍ତି ।

ସାଥିଗଣ, ଆମ ଦେଶରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଗୀତ ଏବଂ ନୃତ୍ୟ ମାଧ୍ୟମରେ ଆମ ସଂସ୍କୃତି ଏବଂ ଭାଷାକୁ ସଂରକ୍ଷିତ କରିବା କାମରେ ଲାଗିପଡ଼ିଛନ୍ତି । କର୍ଣ୍ଣାଟକର ଭେଙ୍କପ୍ପା ଅମ୍ବାଜୀ ସୁଗେତ୍କରଙ୍କ ଜୀବନ ମଧ୍ୟ ଏ ବିଷୟରେ ଅତ୍ୟନ୍ତ ପ୍ରେରଣାଦାୟୀ । ଏଠାକାର ବାଗଲକୋଟ୍ର ନିବାସୀ ସୁଗେତ୍ କରଜୀ ଜଣେ ଲୋକସଂଗୀତଗାୟକ । ସେ ପ୍ରାୟ ଏକହଜାରରୁ ଅଧିକ ଗୋଂଧଲୀ ଗୀତ ଗାଇଛନ୍ତି, ତା’ସଙ୍ଗେ ସଙ୍ଗେ ଏହି ଭାଷାରେ ଗପଗୁଡ଼ିକର ମଧ୍ୟ ଖୁବ୍ ପ୍ରଚାର ପ୍ରସାର କରିଛନ୍ତି । ସେ ବିନା ପଇସାରେ ଶହ ଶହ ପିଲାଙ୍କୁ ତାଲିମ୍ ମଧ୍ୟ ଦେଇଛନ୍ତି । ଭାରତରେ ଏଭଳି ଉତ୍ସାହ ଏବଂ ଉଦ୍ଦୀପନା ଭରା ଅନେକ ଲୋକ ଅଛନ୍ତି ଯେଉଁମାନେ ଆମ ସଂସ୍କୃତିକୁ ନିରନ୍ତର ସମୃଦ୍ଧ କରିବାରେ ଲାଗିଛନ୍ତି । ଆପଣମାନେ ମଧ୍ୟ ଏମାନଙ୍କଠାରୁ ପ୍ରେରଣା ନେଇ, ନିଜସ୍ୱ କିଛି କରିବାର ପ୍ରୟାସ କରନ୍ତୁ । ଆପଣଙ୍କୁ ବହୁତ ଆତ୍ମସନ୍ତୋଷ ମିଳିବ ।

ମୋର ପ୍ରିୟ ଦେଶବାସୀଗଣ, ଦୁଇଦିନ ଆଗରୁ ମୁଁ ବାରାଣସୀରେ ଥିଲି ଏବଂ ସେଠି ମୁଁ ଗୋଟିଏ ବହୁତ ବଢ଼ିଆ ଫଟୋ ପ୍ରଦର୍ଶନୀ ଦେଖିଲି । କାଶୀ ତଥା ଆଖପାଖ ଅଞ୍ଚଳର ଯୁବବର୍ଗ ଯେଉଁଭଳି ମୁହୂର୍ତ୍ତ ସବୁ Capture କରିଛନ୍ତି ସେଗୁଡ଼ିକ ଅଦ୍ଭୁତ । ଏଥିରେ ବହୁତ ଫଟୋ ଏଭଳି ଅଛି ଯାହାକି Mobile କ୍ୟାମେରାରେ ଉଠାଯାଇଥିଲା । ବାସ୍ତବରେ ଆଜି ଯାହାପାଖରେ ମୋବାଇଲ୍ ଅଛି, ସେ ଗୋଟିଏ ବଡ଼ Content Creator ବନିଯାଇଛି । ଲୋକମାନଙ୍କୁ ନିଜର ପ୍ରତିଭା ଓ କୌଶଳ ପ୍ରଦର୍ଶନ କରିବାରେ Social Media ବହୁତ ସହାୟକ ହୋଇପାରୁଛି। ଭାରତର ଆମ ଯୁବବନ୍ଧୁମାନେ Content Creation କ୍ଷେତ୍ରରେ ଚମକ୍ରାର ପ୍ରଦର୍ଶନ କରିଛନ୍ତି । ସେ ଯେକୌଣସି Social Media Platform ହେଉ ନା କାହିଁକି ସବୁଠି ଭିନ୍ନ ଭିନ୍ନ ବିଷୟରେ ଅଲଗା ଅଲଗା Content Share କରୁଥିବା ଆମ ଯୁବବନ୍ଧୁମାନେ ମିଳିଯିବେ । ପର୍ଯ୍ୟଟନ ହେଉ, Social Cause ହେଉ, ଜନଭାଗିଦାରୀ ହେଉ ବା କୌଣସି ପ୍ରେରଣାଦାୟୀ ଜୀବନଯାତ୍ରା ହେଉ, ଏସବୁ ସମ୍ବନ୍ଧୀୟ ବିଭିନ୍ନ ପ୍ରକାରର Contents ସାମାଜିକ ଗଣମାଧ୍ୟମରେ ଉପଲବ୍ଧ। Content Create କରୁଥିବା ଆଜିକାଲିର ଯୁବବର୍ଗଙ୍କର ସ୍ୱର ଆଜି ବହୁତ ପ୍ରଭାବଶାଳୀ ହୋଇପଡ଼ିଛି । ସେମାନଙ୍କର ପ୍ରତିଭାକୁ ସମ୍ମାନ ଜଣାଇବା ପାଇଁ ଦେଶରେ National Creators Award ଆରମ୍ଭ କରାଯାଇଛି । ଏହାଦ୍ୱାରା ଭିନ୍ନ ଭିନ୍ନ ବର୍ଗରେ ସେହି Change Makers ମାନଙ୍କୁ ସମ୍ମାନିତ କରାଯିବାର ପ୍ରସ୍ତୁତି କରାଯାଇଛି, ଯେଉଁମାନେ ସାମାଜିକ ପରିବର୍ତ୍ତନର ପ୍ରଭାବଶାଳୀ ବ୍ୟକ୍ତିତ୍ୱ ହେବା ନିମନ୍ତେ Technologyର ଉପଯୋଗ କରୁଛନ୍ତି । ଏହି Contest, MyGovରେ ଚାଲିଛି । ମୁଁ Content Creatorମାନଙ୍କୁ ଏଥିରେ ଯୋଗଦେବାକୁ ଅନୁରୋଧ କରୁଛି । ଆପଣ ମଧ୍ୟ ଯଦି ଏଭଳି Content Creatorଙ୍କୁ ଜାଣିଛନ୍ତି, ତେବେ ସେମାନଙ୍କୁ ଘବଗ୍ଧସକ୍ଟଦ୍ଭବକ୍ଷ ଉକ୍ସରବଗ୍ଧକ୍ଟକ୍ସଗ୍ଦ ଇଙ୍ଗବକ୍ସୟ ପାଇଁ ନିଶ୍ଚୟ ମନୋନୀତ କରନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ, ମୁଁ ଖୁସି ଯେ ଏଇ କିଛିଦିନ ତଳେ ନିର୍ବାଚନ କମିଶନ ଏକ ଅଭିଯାନ ଆରମ୍ଭ କରିଛନ୍ତି । “ମେରା ପହଲା ଭୋଟ୍ – ଦେଶ୍ କେ ଲିଏ” । ଏହା ମାଧ୍ୟମରେ ବିଶେଷକରି First Time Voterମାନଙ୍କୁ ଅଧିକରୁ ଅଧିକ ଭୋଟ ଦେବାକୁ ଆହ୍ୱାନ କରାଯାଇଛି । ଉତ୍ସାହ ଓ ଉର୍ଜାରେ ପରିପୂର୍ଣ୍ଣ ନିଜର ଯୁବଶକ୍ତି ପାଇଁ ଭାରତ ଗର୍ବିତ । ଆମର ଯୁବବନ୍ଧୁମାନେ ନିର୍ବାଚନ ପ୍ରକ୍ରିୟାରେ ଯେତିକି ଭାଗୀଦାର ହେବେ ତା’ର ଫଳ ଦେଶ ପାଇଁ ସେତିକି ଲାଭଦାୟକ ହେବ । ମୁଁ ମଧ୍ୟ First Time Voterମାନଙ୍କୁ ଅନୁରୋଧ କରିବି ଯେ ସେମାନେ ରେକର୍ଡ ସଂଖ୍ୟାରେ ଭୋଟ ଦିଅନ୍ତୁ । ଅଠରବର୍ଷର ହେଲାପରେ ଆପଣଙ୍କୁ ଅଷ୍ଟାଦଶ (ଅଠରତମ) ଲୋକସଭା ପାଇଁ ସଦସ୍ୟ ନିର୍ବାଚିତ କରିବାର ଅଧିକାର ମିଳିଛି । ଅର୍ଥାତ୍ ଏହି ଅଷ୍ଟାଦଶ ଲୋକସଭା ମଧ୍ୟ ଯୁବ ଆକାଂକ୍ଷାର ପ୍ରତୀକ ହେବ । ଏଥିପାଇଁ ଆପଣଙ୍କ ଭୋଟ୍ର ମହତ୍ତ୍ୱ ଆହୁରି ବଢ଼ିଯାଇଛି । ସାଧାରଣ ନିର୍ବାଚନର ଏହି ବାତାବରଣ ଭିତରେ ଆପଣ ଯୁବବର୍ଗ ଖାଲି ରାଜନୈତିକ ଗତିବିଧିରେ ଭାଗ ନେବେ ସେତିକି ନୁହେଁ, ବରଂ ଏହି ସମୟରେ ଚର୍ଚ୍ଚା ଏବଂ ବିତର୍କକୁ ନେଇ ମଧ୍ୟ ସଚେତନ ରୁହନ୍ତୁ । ଆଉ ମନେ ରଖିବେ – “ମୋର ପ୍ରଥମ ଭୋଟ – ଦେଶ ପାଇଁ” । ମୁଁ ଦେଶର Influencerମାନଙ୍କୁ ମଧ୍ୟ ଅନୁରୋଧ କରିବି ଯେ – ସେମାନେ ଖେଳଜଗତର ହୁଅନ୍ତୁ, ଫିଲ୍ମ ଜଗତ ବା ସାହିତ୍ୟ ଜଗତର ହୁଅନ୍ତୁ, ଅନ୍ୟ ପ୍ରଫେସନ୍ର ହୁଅନ୍ତୁ କିମ୍ବା ଆମ Instagram ଓ YouTubeର influencer ହୁଅନ୍ତୁ – ସେମାନେ ମଧ୍ୟ ଏହି ଅଭିଯାନରେ ଅଧିକରୁ ଅଧିକ ଭାଗ ନିଅନ୍ତୁ ଏବଂ ଆମ First Time Voterଙ୍କୁ Motivate କରନ୍ତୁ ।

ସାଥିଗଣ, ‘ମନ୍ କି ବାତ୍’ର ଏହି ଅଧ୍ୟାୟରେ ଆଜିପାଇଁ ଏତିକି । ଦେଶରେ ଲୋକସଭା ନିର୍ବାଚନର ବାତାବରଣ ସୃଷ୍ଟି ହେଲାଣି । ସମ୍ଭବତଃ ମାର୍ଚ୍ଚ ମାସରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯିବ । ଏହା ‘ମନ୍ କି ବାତ୍’ର ବହୁତ ବଡ଼ ସଫଳତା ଯେ ବିଗତ ଶହେଦଶ ଅଧ୍ୟାୟ ମଧ୍ୟରେ ଆମେ ଏହାକୁ ସରକାରର ଛାୟାଠାରୁ ମଧ୍ୟ ଦୂରେଇ ରଖିଛୁ । ‘ମନ୍ କି ବାତ୍’ରେ ଦେଶର ସାମୂହିକ ଶକ୍ତିର କଥା ହୋଇଥାଏ, ଦେଶର ଉପଲବଧିର କଥା ହୋଇଥାଏ । ଏକ ପ୍ରକାର ଏହା ‘ଲୋକମାନଙ୍କର, ଲୋକମାନଙ୍କ ପାଇଁ, ଲୋକମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା କାର୍ଯ୍ୟକ୍ରମ’ ଅଟେ । ତଥାପି ରାଜନୈତିକ ମର୍ଯ୍ୟାଦାର ପାଳନ କରି ଲୋକସଭା ନିର୍ବାଚନର ଏହି ଦିନଗୁଡ଼ିକରେ ଏବେ ଆଗାମୀ ତିନିମାସ ପାଇଁ ‘ମନ୍ କି ବାତ୍’ର ପ୍ରସାରଣ ହେବନାହିଁ । ଏଥର ଯେବେ ଆପଣମାନଙ୍କ ସାଥିରେ ‘ମନ୍ କି ବାତ୍’ରେ କଥୋପକଥନ ହେବ, ତାହା ‘ମନ୍ କି ବାତ୍’ର ୧୧୧ତମ ଅଧ୍ୟାୟ ହେବ । ଆରଥର ‘ମନ୍ କି ବାତ୍’ର ଆରମ୍ଭ ଯଦି ୧୧୧ର ଶୁଭସଂଖ୍ୟା ସହିତ ଆରମ୍ଭ ହେବ ତ ୟା’ଠାରୁ ଭଲ ଆଉ କ’ଣ ହୋଇପାରେ । କିନ୍ତୁ ସାଥିଗଣ, ଆପଣମାନଙ୍କୁ ମୋର ଗୋଟିଏ କାମ କରିବାକୁ ହେବ । ‘ମନ୍ କି ବାତ୍’ ସିନା ତିନିମାସ ପାଇଁ ବନ୍ଦ ହେବ, କିନ୍ତୁ ଦେଶର ଉପଲବଧିଗୁଡ଼ିକ କ’ଣ ବନ୍ଦ ହେବ, ସେଥିପାଇଁ ଆପଣମାନେ ‘ମନ୍ କି ବାତ୍’ hastag(#) ସହିତ ସମାଜ ଓ ଦେଶର ଉପଲବଧିଗୁଡ଼ିକୁ Social Mediaରେ ପୋଷ୍ଟ କରନ୍ତୁ । କିଛି ସମୟ ପୂର୍ବରୁ ଜଣେ ଯୁବକ ମୋତେ ଗୋଟିଏ ଭଲ ପ୍ରସ୍ତାବ ଦେଇଥିଲେ । ପ୍ରସ୍ତାବଟି ଥିଲା – ‘ମନ୍ କି ବାତ୍’ର ଏ ଯାଏଁ ହୋଇଥିବା ଅଧ୍ୟାୟଗୁଡ଼ିକରୁ ଛୋଟ ଛୋଟ ଭିଡିଓ, YouTube Shorts ରୂପରେ କ୍ଟ୍ରକ୍ଟଗ୍ଦଗ୍ଧ କରିବା ଉଚିତ । ଏଥିପାଇଁ ମୁଁ ‘ମନ୍ କି ବାତ୍’ର ଶ୍ରୋତାମାନଙ୍କୁ ଅନୁରୋଧ କରିବି କି ଏଭଳି shortକୁ ଖୁବ୍ ଶେୟାର କରନ୍ତୁ ।

ସାଥିଗଣ, ଆରଥର ଯେତେବେଳେ ଆପଣମାନଙ୍କ ସହିତ କଥାବାର୍ତ୍ତା ହେବ, ସେତେବେଳେ ନୂତନ ଶକ୍ତି ଓ ନୂଆ ସୂଚନା ସହିତ ଆପଣମାନଙ୍କୁ ଭେଟିବି । ଆପଣମାନେ ନିଜର ଧ୍ୟାନ ରଖନ୍ତୁ । ବହୁତ ବହୁତ ଧନ୍ୟବାଦ । ନମସ୍କାର ।