Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଫେବୃଆରୀ ୧୬ ରେ ରେୱାରି ଗସ୍ତ କରିବେ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ଫେବୃଆରୀ, ୨୦୨୪ରେ ହରିୟାଣାର ରେୱାରି ଗସ୍ତ କରିବେ । ଅପରାହ୍ନ ପ୍ରାୟ ୧ ଟା ୧୫ରେ ସମୟରେ ସେ ସହରାଞ୍ଚଳ ପରିବହନ, ସ୍ୱାସ୍ଥ୍ୟ, ରେଳ ଓ ପର୍ଯ୍ୟଟନ କ୍ଷେତ୍ର ସହିତ ଜଡିତ ୯୭୫୦ କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

ପ୍ରଧାନମନ୍ତ୍ରୀ ପାଖାପାଖି ୫୪୫୦ କୋଟି ଟଙ୍କା ବ୍ୟୟରେ ବିକଶିତ ହେବାକୁ ଥିବା ଗୁରୁଗ୍ରାମ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ । ମୋଟ ୨୮.୫ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ପ୍ରକଳ୍ପ ମିଲେନିୟମ ସିଟି ସେଣ୍ଟରକୁ ଉଦ୍ୟୋଗ ବିହାର ଫେଜ୍ -୫ ସହିତ ସଂଯୋଗ କରିବ ଏବଂ ସାଇବର ସିଟି ନିକଟରେ ମୌଲସରୀ ଆଭେନ୍ୟୁ ଷ୍ଟେସନରେ ରାପିଡ୍ ମେଟ୍ରୋ ରେଳ ଗୁରୁଗ୍ରାମର ବର୍ତ୍ତମାନର ମେଟ୍ରୋ ନେଟୱାର୍କରେ ମିଶ୍ରଣ ହେବ । ଦ୍ୱାରକା ଏକ୍ସପ୍ରେସୱେ ଉପରେ ମଧ୍ୟ ଏହାର ବିସ୍ତାର ହେବ । ନାଗରିକ ମାନଙ୍କୁ ବିଶ୍ୱସ୍ତରୀୟ ପରିବେଶ ଅନୁକୂଳ ଦ୍ରୁତ ସହରାଞ୍ଚଳ ପରିବହନ ବ୍ୟବସ୍ଥା ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଏହି ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ସମଗ୍ର ଦେଶରେ ଜନସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ ହରିୟାଣାର ରେୱାରିସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ)ର ଶିଳାନ୍ୟାସ କରାଯିବ । ପାଖାପାଖି ୧୬୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏମ୍ସ , ରେୱାରିର ମାଜରା ମୁସ୍ତିଲ୍ ଭାଲଖୀ ଗ୍ରାମରେ ୨୦୩ ଏକର ଜମିରେ ନିର୍ମାଣ କରାଯିବ । ଏଥିରେ ୭୨୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଗୃହ, ୧୦୦ ଆସନ ବିଶିଷ୍ଟ ମେଡିକାଲ କଲେଜ, ୬୦ ଆସନ ବିଶିଷ୍ଟ ନର୍ସିଂ କଲେଜ, ୩୦ ଶଯ୍ୟା ବିଶିଷ୍ଟ ଆୟୁଷ ବ୍ଲକ, ଅଧ୍ୟାପକ ଓ କର୍ମଚାରୀଙ୍କ ପାଇଁ ଆବାସିକ ବାସଗୃହ, ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ଆବାସ, ରାତ୍ରି ଆଶ୍ରୟସ୍ଥଳୀ, ଗେଷ୍ଟ ହାଉସ୍‌, ଅଡିଟୋରିୟମ ଇତ୍ୟାଦି ସୁବିଧା ଉପଲବ୍ଧ ହେବ । ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା (ପିଏମଏସ୍‌ଏସ୍‌ୱାଇ) ଅଧୀନରେ ସ୍ଥାପିତ ରେୱାରିସ୍ଥିତ ଏମ୍ସ ହରିଆଣାର ଲୋକମାନଙ୍କୁ ଗୁଣାତ୍ମକ ଏବଂ ସାମଗ୍ରିକ ତୃତୀୟ ସ୍ତରୀୟ ସ୍ୱାସ୍ଥ୍ୟ ସେବା ଯତ୍ନ ପ୍ରଦାନ କରିବ । 

ଏହି ସୁବିଧାଗୁଡିକ ମଧ୍ୟରେ କାର୍ଡିଓଲୋଜି, ଗ୍ୟାଷ୍ଟ୍ରୋ-ଏଣ୍ଟୋଲୋଜି, ନେଫ୍ରୋଲୋଜି, ୟୁରୋଲୋଜି, ନ୍ୟୁରୋଲୋଜି, ନ୍ୟୁରୋସର୍ଜରୀ, ମେଡିକାଲ ଅଙ୍କୋଲୋଜି, ସର୍ଜିକାଲ ଅଙ୍କୋଲୋଜି, ଏଣ୍ଡୋକ୍ରିନୋଲୋଜି, ବର୍ଣ୍ଣସ ଏବଂ ପ୍ଲାଷ୍ଟିକ ସର୍ଜରୀ ସମେତ ୧୮ଟି ସ୍ପେଶାଲିଟି ଏବଂ ୧୭ଟି ସୁପର ସ୍ପେଶାଲିଟି ରୋଗୀ ସେବା ଅନ୍ତର୍ଭୁକ୍ତ । ଅନୁଷ୍ଠାନରେ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍‌, ଜରୁରୀକାଳୀନ ଏବଂ ଟ୍ରମା ୟୁନିଟ୍‌, ଷୋଳଟି ମଡ୍ୟୁଲାର ଅପରେସନ୍ ଥିଏଟର, ଡାଇଗ୍ନୋଷ୍ଟିକ୍ ଲାବୋରେଟୋରି, ବ୍ଲଡ ବ୍ୟାଙ୍କ, ଫାର୍ମାସି ଇତ୍ୟାଦି ପାଇଁ ମଧ୍ୟ ସୁବିଧା ରହିବ । ହରିୟାଣାରେ ଏମ୍ସ ପ୍ରତିଷ୍ଠା ହରିୟାଣାବାସୀଙ୍କୁ ବ୍ୟାପକ, ଗୁଣାତ୍ମକ ଏବଂ ସାମଗ୍ରିକ ତୃତୀୟ ସ୍ତରୀୟ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ।

ପ୍ରଧାନମନ୍ତ୍ରୀ କୁରୁକ୍ଷେତ୍ରର ଜ୍ୟୋତିସର ଠାରେ ନବନିର୍ମିତ ଅନୁଭବ କେନ୍ଦ୍ର ଉଦ୍‌ଘାଟନ କରିବେ । ପାଖାପାଖି ୨୪୦ କୋଟି ଟଙ୍କା ବ୍ୟୟରେ ଏହି ସଂଗ୍ରହାଳୟ ନିର୍ମାଣ କରାଯାଇଛି । ୧୭ ଏକର ପରିମିତ ଏହି ସଂଗ୍ରହାଳୟରେ ୧,୦୦,୦୦୦ ବର୍ଗଫୁଟରୁ ଅଧିକ ଆଭ୍ୟନ୍ତରୀଣ ସ୍ଥାନ ରହିଛି । ଏହା ମହାଭାରତର ମହାକାବ୍ୟ କାହାଣୀ ଏବଂ ଗୀତାର ଶିକ୍ଷାକୁ ଜୀବନ୍ତ କରିବ । ସଂଗ୍ରହାଳୟରେ ପର୍ଯ୍ୟଟକଙ୍କ ଅନୁଭୂତିକୁ ସମୃଦ୍ଧ କରିବା ପାଇଁ ଅଗମେଣ୍ଟେଡ୍ ରିଆଲିଟି (ଏଆର), ଥ୍ରିଡି ଲେଜର ଏବଂ ପ୍ରୋଜେକ୍ସନ ମ୍ୟାପିଂ ସମେତ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରାଯାଇଛି । କୁରୁକ୍ଷେତ୍ରସ୍ଥିତ ଜ୍ୟୋତିସର ହେଉଛି ଏକ ପବିତ୍ର ସ୍ଥାନ , ଯେଉଁଠାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଭଗବତ ଗୀତାର ଅନନ୍ତ ଜ୍ଞାନ ପ୍ରଦାନ କରିଥିଲେ ।

ପ୍ରଧାନମନ୍ତ୍ରୀ ଏକାଧିକ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ସେଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଯେଉଁ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ ହେବ ସେଗୁଡ଼ିକ ମଧ୍ୟରେ ରେୱାରି – କାଥୁୱାସ ରେଳ ଲାଇନର ଦୋହରୀକରଣ (୨୭.୭୩ କିଲୋମିଟର); କାଥୁୱାସ- ନାରନୌଲ ରେଳ ଲାଇନର ଦୋହରୀକରଣ (୨୪.୧୨ କିଲୋମିଟର); ଭିୱାନୀ – ଙୋଭ ଭାଲି ରେଳ ଲାଇନର ଦୋହରୀକରଣ (୪୨.୩୦ କିଲୋମିଟର); ଏବଂ ମନହେରୁ – ବାୱାନୀ ଖେରା ରେଳ ଲାଇନର ଦୋହରୀକରଣ (୩୧.୫୦ କିଲୋମିଟର) ଅନ୍ତର୍ଭୁକ୍ତ । ଏହି ରେଳ ଲାଇନର ଦୋହରୀକରଣ ଦ୍ୱାରା ଏହି ଅଞ୍ଚଳରେ ରେଳ ଭିତ୍ତିଭୂମି ବୃଦ୍ଧି ପାଇବ ଏବଂ ଉଭୟ ଯାତ୍ରୀବାହୀ ଏବଂ ମାଲବାହୀ ଟ୍ରେନ୍ ଠିକ୍ ସମୟରେ ଚଳାଚଳ ହେବାରେ ଏହା ସହାୟକ ହେବ । ପ୍ରଧାନମନ୍ତ୍ରୀ ରୋହତକ – ମେହମ – ହଂସି ରେଳ ଲାଇନ (୬୮ କିଲୋମିଟର)କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ, ଯାହା ରୋହତକ ଏବଂ ହିସାର ମଧ୍ୟରେ ଯାତ୍ରା ସମୟକୁ ହ୍ରାସ କରିବ । ସେ ରୋହତକ – ମେହମ – ହାନ୍ସି ସେକ୍ସନରେ ଟ୍ରେନ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ, ଯାହା ରୋହତକ ଏବଂ ହିସାର ଅଞ୍ଚଳରେ ରେଳ ଯୋଗାଯୋଗରେ ଉନ୍ନତି ଆଣିବ ଏବଂ ରେଳ ଯାତ୍ରୀମାନେ ଉପକୃତ ହେବେ ।

***

 

SSP