ମାନନୀୟ, ଭାଇ–ଭଉଣୀମାନେ, ନମସ୍କାର, ଅୟୁବୋବନ, ୱନକ୍କମ!
ବନ୍ଧୁଗଣ,
ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ଆପଣମାନଙ୍କ ସହିତ ସାମିଲ ହେବା ହେଉଛି ମୋର ସୌଭାଗ୍ୟ । ଆମେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ରାଜନୈତିକ ଏବଂ ଆର୍ଥିକ ସମ୍ବନ୍ଧରେ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ କରୁଛୁ । ନାଗପଟ୍ଟିନମ୍ ଏବଂ କାନକେସନଥୁରାଇ ମଧ୍ୟରେ ନୌସେବାର ଶୁଭାରମ୍ଭ ଆମର ସମ୍ବନ୍ଧକୁ ସୁଦୃଢ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ସାବ୍ୟସ୍ତ ହେବ।
ବନ୍ଧୁଗଣ,
ଭାରତ ଓ ଶ୍ରୀଲଙ୍କା ହେଉଛନ୍ତି ସଂସ୍କୃତି, ବାଣିଜ୍ୟ ଏବଂ ସଭ୍ୟତାର ଏକ ଗଭୀର ଇତିହାସର ଭାଗିଦାର । ନାଗପଟ୍ଟିନମ୍ ଏବଂ ଏହାର ଆଖ– ପାଖର ସହର ଗୁଡିକ ଦୀର୍ଘ ସମୟ ଧରି ଶ୍ରୀଲଙ୍କା ସମେତ କେତେକ ଅନ୍ୟ ଦେଶ ସହିତ ସାମୁଦ୍ରିକ ବ୍ୟବସାୟ ପାଇଁ ବେଶ ଜଣାଶୁଣା । ପ୍ରାଚୀନ ତାମିଲ ସାହିତ୍ୟରେ ପୁମପୁହାରର ଐତିହାସିକ ବନ୍ଦରକୁ ଏକ କେନ୍ଦ୍ର ଭାବେ ଉଲ୍ଲେଖ କରାଯାଇଛି । ପଟ୍ଟିନପ୍ପଲାଇ ଏବଂ ମଣିମେକଲାଇ ଭଳି ସଙ୍ଗମ ଯୁଗର ସାହିତ୍ୟରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ନୌଯାତ୍ରା ଏବଂ ସାମୁଦ୍ରିକ ଜାହାଜ ଗୁଡ଼ିକ ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି । ମହାନ କବି ସୁବ୍ରମଣ୍ୟମ ଭାରତୀ ନିଜ ଗୀତ ‘ସିନ୍ଧୁ ନଧିୟିନୀ ମିସାଇ’ରେ ଦୁଇ ଦେଶକୁ ସଂଯୋଗ କରୁଥିବା ସେତୁ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଏହି ନୌସେବା ସେହି ସମସ୍ତ ଐତିହାସିକ ଏବଂ ସାଂସ୍କୃତିକ ସମ୍ବନ୍ଧକୁ ପୁଣି ଜୀବନ୍ତ ରୂପ ଦେଇଛି ।
ବନ୍ଧୁଗଣ,
ଶ୍ରୀଲଙ୍କା ରାଷ୍ଟ୍ରପତି ବିକ୍ରମସିଂଘେ ନିକଟରେ ଭାରତ ଗସ୍ତ ସମୟରେ ଆର୍ଥିକ ଭାଗିଦାରୀ ଉପରେ ଏକ ସଂଯୁକ୍ତ ଦୃଶ୍ୟପତ୍ରକୁ ଅଣାଯାଇଛି । ଯୋଗାଯୋଗ ହେଉଛି ଏହି ଭାଗିଦାରୀର କେନ୍ଦ୍ରୀୟ ବିଷୟ । ଏହି ଯୋଗାଯୋଗ କେବଳ ଦୁଇ ଦେଶକୁ ନିକଟତର କରାଇବା ବିଷୟରେ ହିଁ ନୁହେଁ ବରଂ ଏହା ଦୁଇ ଦେଶ ମଧ୍ୟରେ ପରସ୍ପରକୁ ନିକଟତର କରାଇବା ସହିତ ଆମର ଲୋକମାନଙ୍କୁ ଯୋଡ଼ୁଛି ଏବଂ ଆମର ହୃଦୟକୁ ମଧ୍ୟ ଯୋଡ଼ୁଛି । ଯୋଗାଯୋଗ ବ୍ୟବସ୍ଥା ବାଣିଜ୍ୟ, ପର୍ଯ୍ୟଟନ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ବୃଦ୍ଧି କରିଥାଏ । ଏହା ଦୁଇ ଦେଶର ଯୁବକମାନଙ୍କ ପାଇଁ ସୁ–ଅବସର ମଧ୍ୟ ସୃଷ୍ଟି କରିବ ।
ବନ୍ଧୁଗଣ,
2015ରେ ଶ୍ରୀଲଙ୍କାକୁ ମୋର ଯାତ୍ରା ପରେ, ଆମେ ଦିଲ୍ଲୀ ଏବଂ କଲମ୍ବୋ ମଧ୍ୟରେ ସିଧାସଳଖ ବିମାନସେବାର ଶୁଭାରମ୍ଭର ସାକ୍ଷୀ ରହିଛେ । ପରେ, ଆମେ ଶ୍ରୀଲଙ୍କାର ତୀର୍ଥ ନଗରୀ କୁଶୀନଗରରେ ପ୍ରଥମ ଅନ୍ତରାଷ୍ଟ୍ରୀୟ ବିମାନ ଆଗମନର ଆନନ୍ଦ ଉତ୍ସବ ମଧ୍ୟ ପାଳନ କଲୁ । ଚେନ୍ନାଇ ଏବଂ ଜାଫନା ମଧ୍ୟରେ ସିଧାସଳଖ ବିମାନସେବା 2019ରେ ଶୁଭାରମ୍ଭ କରାଯାଇଥିଲା ଆଉ ଏବେ ନାଗପଟ୍ଟିନମ୍ ଏବଂ କାନକେସନଥୁରାଇ ମଧ୍ୟରେ ନୌସେବା ଏହି ଦିଗରେ ହେଉଛି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
ବନ୍ଧୁଗଣ,
ଯୋଗାଯୋଗ ବ୍ୟବସ୍ଥା କ୍ଷେତ୍ରରେ ଆମର ଦୃଷ୍ଟିଭଙ୍ଗୀ ପରିବହନ କ୍ଷେତ୍ରର ସୀମାଗୁଡ଼ିକ ଠାରୁ ହେଉଛି ବହୁତ ଆଗରେ । ଭାରତ ଏବଂ ଶ୍ରୀଲଙ୍କା ଫିନ–ଟେକ୍ ଏବଂ ଉର୍ଜ୍ଜା ଭଳି କ୍ଷେତ୍ରର ଏକ ବିସ୍ତୃତ ଶୃଙ୍ଖଳାରେ ପୂର୍ଣ୍ଣ ସହଯୋଗ କରିଥାଆନ୍ତି । ୟୁପିଆଇ ଯୋଗୁଁ ଡିଜିଟାଲ ନେଣଦେଣ ଭାରତରେ ଏକ ଜନ ଆନ୍ଦୋଳନ ଏବଂ ଜୀବନ ଜୀଇଁବାର ଏକ କୌଶଳ ପାଲଟି ଯାଇଛି । ଆମେ ୟୁପିଆଇ ଏବଂ ଲଙ୍କା–ପେ’କୁ ମିଶାଇ ଫିନ–ଟେକ କ୍ଷେତ୍ରରେ ସଂଯୋଗ ଉପରେ କାର୍ଯ୍ୟ କରୁଛୁ । ଆମର ବିକାଶ ଯାତ୍ରାକୁ ଶକ୍ତି ପ୍ରଦାନ କରିବା ଦିଗରେ ଉଭୟ ଦେଶ ପାଇଁ ଉର୍ଜ୍ଜା ସୁରକ୍ଷା ହେଉଛି ଗୁରୁତ୍ୱପୂର୍ଣ୍ଣ । ଆମେ ଉର୍ଜ୍ଜା ସୁରକ୍ଷା ଏବଂ ବିଶ୍ୱସନୀୟତାକୁ ବୃଦ୍ଧି କରିବା ପାଇଁ ନିଜ ଉର୍ଜ୍ଜା ଗ୍ରୀଡ଼ଗୁଡ଼ିକୁ ସଂଯୋଗ କରୁଛୁ ।
ବନ୍ଧୁଗଣ,
ପ୍ରଗତି ଏବଂ ବିକାଶ ପାଇଁ ଭାଗିଦାରୀ ଭାରତ– ଶ୍ରୀଲଙ୍କାର ଦ୍ୱିପକ୍ଷୀୟ ସମ୍ବନ୍ଧର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦୃଢ଼ ଆଧାର ସ୍ତମ୍ଭ ମଧ୍ୟରୁ ହେଉଛି ଗୋଟିଏ । ଆମର ଦୃଷ୍ଟିକୋଣ ହେଉଛି ବିକାଶକୁ ସମସ୍ତଙ୍କ ପର୍ଯ୍ୟନ୍ତ ନେଇଯିବା, କାହାକୁ ମଧ୍ୟ ଏହାଠାରୁ ବଂଚିତ ନ କରିବା । ଶ୍ରୀଲଙ୍କାରେ ଭାରତର ସହାୟତା ଯୋଗୁଁ କାର୍ଯ୍ୟାନ୍ୱିତ ପ୍ରକଳ୍ପ ଗୁଡ଼ିକ ଲୋକଙ୍କ ଜୀବନକୁ ନୂତନ ରୂପ ଦେଇଛି । ଉତର ପ୍ରାନ୍ତରେ ଆବାସ, ଜଳ, ସ୍ୱାସ୍ଥ୍ୟ ଏବଂ ଆଜୀବିକା ସହାୟତା ସମ୍ବନ୍ଧିତ ଅନେକ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ଯାଇଛି । ମୁଁ ଖୁସି ଯେ ଆମେ କାନକେସନଥୁରାଇ ବନ୍ଦରର ଉନ୍ନୟନ ପାଇଁ ସହଯୋଗ କରିଛୁ । ସେ ଉତରରୁ ଦକ୍ଷିଣକୁ ଯୋଡ଼ୁଥିବା ରେଳ ଲାଇନର ବ୍ୟବସ୍ଥା ହେଉ; ପ୍ରତିଷ୍ଠିତ ଜାଫନା ସାଂସ୍କୃତିକ କେନ୍ଦ୍ରର ନିର୍ମାଣ; ସମ୍ପୂର୍ଣ୍ଣ ଶ୍ରୀଲଙ୍କାରେ ଜରୁରୀକାଳିନ ଆମ୍ବୁଲାନ୍ସ ସେବା ଆରମ୍ଭ କରିବା, ଡିକ ଓୟାରେ ମଲ୍ଟିସ୍ପେସାଲିଟି ହସ୍ପାତାଳ ହେଉ, ଆମେ ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ, ସମସ୍ତଙ୍କର ବିଶ୍ୱାସ ଏବଂ ସମସ୍ତଙ୍କର ପ୍ରୟାସର ଦୃଷ୍ଟିଭଙ୍ଗୀ ସହିତ କାର୍ଯ୍ୟ କରୁଛୁ ।
ବନ୍ଧୁଗଣ,
ଆପଣ ସମସ୍ତେ ଜାଣିଛନ୍ତି ଯେ ଭାରତ ନିକଟରେ ହିଁ G-20 ଶୀଖର ସମ୍ମିଳନୀର ଆୟୋଜନ କରିଥିଲା । ଆମର ବସୁଧୈବ କୁଟୁମ୍ବକମ୍ ର ଦୃଷ୍ଟିଭଙ୍ଗୀକୁ ଅନ୍ତରାଷ୍ଟ୍ରୀୟ ସମୁଦାୟ ସ୍ୱାଗତ କରିଛନ୍ତି । ଏହି ଦୃଷ୍ଟିଭଙ୍ଗୀର ଏକ ପକ୍ଷ ହେଉଛି ଆମର ପଡୋଶୀଙ୍କୁ ପ୍ରାଥମିକତା ଦେବା, ପ୍ରଗତି ଏବଂ ସମୃଦ୍ଧିର ଭାଗିଦାର କରିବା, G-20 ଶୀଖର ସମ୍ମିଳନୀ ଅବସରରେ ଭାରତ– ମଧ୍ୟପୂର୍ବ– ୟୁରୋପ ଆର୍ଥିକ କରିଡରର ଶୁଭାରମ୍ଭ କରାଯାଇଥିଲା । ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ କରିଡର ଯାହା ସମ୍ପୂର୍ଣ୍ଣ କ୍ଷେତ୍ର ଉପରେ ବୃହତ ଆର୍ଥିକ ପ୍ରଭାବ ସୃଷ୍ଟି କରିବ । ଶ୍ରୀଲଙ୍କାର ଲୋକମାନେ ମଧ୍ୟ ଏହାଦ୍ୱାରା ଲାଭବାନ ହେବେ, କାରଣ ଆମେ ଦୁଇ ଦେଶ ମଧ୍ୟରେ ମଲ୍ଟିମଡେଲ ଯୋଗାଯୋଗକୁ ସୁଦୃଢ଼ କରୁଛୁ । ମୁଁ ଆଜି ନୌସେବାର ସଫଳ ଶୁଭାରମ୍ଭ ଅବସରରେ ଶ୍ରୀଲଙ୍କାର ରାଷ୍ଟ୍ରପତି, ସରକାର ଏବଂ ଜନତାଙ୍କୁ କୃତଜ୍ଞତା ଜଣାଉଛି । ଆଜିକାର ଶୁଭାରମ୍ଭ ସହିତ, ଆମେ ରାମେଶ୍ୱରମ୍ ଏବଂ ତଲାଇମନ୍ନାର ମଧ୍ୟରେ ନୌସେବାକୁ ପୁଣିଥରେ ଆରମ୍ଭ କରିବା ଦିଗରେ ମଧ୍ୟ କାର୍ଯ୍ୟ କରିବା ।
ବନ୍ଧୁଗଣ,
ଭାରତ ନିଜର ଲୋକମାନଙ୍କର ପାରସ୍ପରିକ ଲାଭ ପାଇଁ ଆମର ଦ୍ୱିପକ୍ଷୀୟ ସମ୍ବନ୍ଧଗୁଡ଼ିକୁ ଆହୁରି ଦୃଢ଼ କରିବା ପାଇଁ ଶ୍ରୀଲଙ୍କା ସହିତ ମିଳିମିଶି କାର୍ଯ୍ୟ କରିବା ପାଇଁ ପ୍ରତିବଦ୍ଧ । ଆପଣମାନଙ୍କୁ ଧନ୍ୟବାଦ!
*****
AH
Ferry services between India and Sri Lanka will enhance connectivity, promote trade and reinforce the longstanding bonds between our nations. https://t.co/VH6O0Bc4sa
— Narendra Modi (@narendramodi) October 14, 2023