Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କର୍ଣ୍ଣାଟକର ୟାଦଗିରି ଜିଲ୍ଲାର କୋଡେକାଲରେ ବିକାଶ ମୂଳକ ପ୍ରକଳ୍ପଗୁଡ଼ିକର ଲୋକର୍ପଣ ଓ ଶିଳାନ୍ୟାସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

କର୍ଣ୍ଣାଟକର ୟାଦଗିରି ଜିଲ୍ଲାର କୋଡେକାଲରେ ବିକାଶ ମୂଳକ ପ୍ରକଳ୍ପଗୁଡ଼ିକର ଲୋକର୍ପଣ ଓ ଶିଳାନ୍ୟାସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ


ଭାରତ ମାତା କୀ- ଜୟ

ଭାରତ ମାତା କୀ- ଜୟ

କର୍ଣ୍ଣାଟକର ରାଜ୍ୟପାଳ ଶ୍ରୀ ଥାୱରଚନ୍ଦ ଗହଲୋଟ ମହୋଦୟ, ମୁଖ୍ୟମନ୍ତ୍ରୀ ଶ୍ରୀ ବାସବରାଜ ବୋମାଇ ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ଭଗୱନ୍ତ ଖୁବା ମହାଶୟ, କର୍ଣ୍ଣାଟକ ସରକାରଙ୍କର ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକଗଣ, ଆଉ ବିଶାଳ ସଂଖ୍ୟାରେ ଆମକୁ ଆଶୀର୍ବାଦ ଦେବା ପାଇଁ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ!

କର୍ଣ୍ଣାଟକ ଦା, ଏଲ୍ଲା, ସହୋଦରା ସହୋଦରିୟାରିଗେ, ନନ୍ନା ୱନ୍ଦାନେଗେଡ଼ୁ! ଯେଉଁଠି- ଯେଉଁଠି ମୋର ଦୃଷ୍ଟି ପହଂଚୁଛି, ସେହିଠାରେ ମୋତେ ଲୋକ ଦୃଷ୍ଟିଗୋଚର ହେଉଛନ୍ତି । ହେଲିପ୍ୟାଡ଼ରେ ମଧ୍ୟ ଚାରିପଟୁ ଲୋକ ଘେରି ହୋଇ ରହିଛନ୍ତି । ଆଉ ଏଠାରେ ମଧ୍ୟ ମୁଁ ଦେଖୁଛି ଚାରିପଟେ, ଏହି ପେଣ୍ଡାଲ ବାହାରେ ହଜାର-ହଜାର ଲୋକ ଖରାରେ ଠିଆ ହୋଇଛନ୍ତି । ଆପଣମାନଙ୍କର ଏହି ଭଲ ପାଇବା, ଆପଣମାନଙ୍କର ଏହି ଆଶୀର୍ବାଦ ହେଉଛି ଆମ ସମସ୍ତଙ୍କର ବହୁତ ବଡ଼ ଶକ୍ତି ।

ସାଥୀଗଣ,

ୟାଦଗିରି ଗୋଟିଏ ସମୃଦ୍ଧ ଇତିହାସକୁ ଗୁନ୍ଥି ରଖିଛି । ରଟ୍ଟିହଲ୍ଲୀର ପ୍ରାଚୀନ ଦୁର୍ଗ ଆମର ଅତୀତ, ହେଉଛି ଆମର ପୂର୍ବଜମାନଙ୍କର ସମର୍ଥ୍ୟର ପ୍ରତୀକ । ଆମର ପରମ୍ପରା, ଆମର ସଂସ୍କୃତି ଏବଂ ଆମର ଐତିହ୍ୟ ସହିତ ଜଡ଼ିତ ଅନେକ ଅଂଶ, ଅନେକ ସ୍ଥାନ ଆମର ଏହି ଅଂଚଳରେ ଦଣ୍ଡାୟମାନ ହୋଇ ରହିଛି । ଏହିଠାରେ ସେହି ସୁରାପୁର ସାମ୍ରାଜ୍ୟର ଐତିହ୍ୟ ରହିଛି, ଯାହାକୁ ମହାନ ରାଜା ଭେଙ୍କଟପ୍ପା ନାୟକ ନିଜର ସ୍ୱରାଜ ଏବଂ ସୁଶାସନ ଦ୍ୱାରା ଦେଶରେ ବିଖ୍ୟାତ କରି ଦେଇଥିଲେ । ଏହି ଐତିହ୍ୟ ଓ ପରମ୍ପରା ଉପରେ ଆମେ ସମସ୍ତେ ଗର୍ବିତ ।

ଭାଇ ଓ ଭଉଣୀମାନେ,

ମୁଁ ଆଜି କର୍ଣ୍ଣାଟକର ବିକାଶ ସହିତ ଜଡିତ ହଜାର- ହଜାର କୋଟି-କୋଟି ଟଙ୍କାର ପ୍ରକଳ୍ପ ଆପଣମାନଙ୍କୁ ଅର୍ପଣ କରିବାକୁ ଏବଂ ନୂତନ ପ୍ରକଳ୍ପର ଶୁଭାରମ୍ଭ କରିବାକୁ ଆସିଛି । ଏବେ ଏଠାରେ ଜଳ ଏବଂ ସଡ଼କ ସହିତ ଜଡ଼ିତ ବହୁତ ବଡ଼ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ ହୋଇଛି । ନାରାୟଣପୁର ଜଳଭଣ୍ଡାର ବାମ କେନାଲର ସଂପ୍ରସାରଣ ଏବଂ ଆଧୁନିକୀକରଣ ସହିତ ୟାଦଗିରି, କଲବୁର୍ଗୀ ଏବଂ ବିଜୟପୁର ଜିଲ୍ଲାର ଲକ୍ଷ- ଲକ୍ଷ କୃଷକଙ୍କୁ ସିଧାସଳଖ ଲାଭ ହେବାକୁ ଯାଉଛି । ୟାଦଗିରି ଗ୍ରାମ ବହୁମୁଖୀ ଜଳ ଯୋଗାଣ ଯୋଜନା ଦ୍ୱାରା ମଧ୍ୟ ଜିଲ୍ଲାର ଲକ୍ଷ- ଲକ୍ଷ ପରିବାରଙ୍କୁ ସ୍ୱଚ୍ଛ ପାନୀୟ ଜଳ ମିଳିବାକୁ ଯାଉଛି ।

ସୁରଟ- ଚେନ୍ନାଇ ଅର୍ଥନୈତିକ କରିଡରର ଯେଉଁ ଅଂଶ କର୍ଣ୍ଣାଟକରେ ପଡ଼ୁଛି, ଆଜି ତାହା ଉପରେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇଛି । ଏହା ଫଳରେ ୟାଦଗିରି, ରାୟଚୁର ଏବଂ କଲବୁର୍ଗୀ ସହିତ ଏହି ସମ୍ପୂର୍ଣ୍ଣ ଅଂଚଳରେ ସହଜରେ ସହବସ୍ଥାନ ମଧ୍ୟ ବୃଦ୍ଧି ହେବ, ଆଉ ଏଠାକାର ଉଦ୍ୟେଗ ଗୁଡ଼ିକୁ, ରୋଜଗାରକୁ ମଧ୍ୟ ବହୁତ ବଡ଼ ଶକ୍ତି ମିଳିବାକୁ ଯାଉଛି । ବିକାଶର ଏହି ସମସ୍ତ ପ୍ରକଳ୍ପଗୁଡ଼ିକ ପାଇଁ ୟାଦଗିରିର, କର୍ଣ୍ଣାଟକର ସମସ୍ତ ଲୋକଙ୍କୁ ବହୁତ- ବହୁତ ଶୁଭେଚ୍ଛା । ମୁଁ ବୋମାଇ ମହାଶୟଙ୍କୁ ଆଉ ତାଙ୍କର ସମଗ୍ର ଟିମକୁ ମଧ୍ୟ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି । ଯେଉଁଭଳି ଭାବେ ଉତର କର୍ଣ୍ଣାଟକର ବିକାଶ ପାଇଁ ଦ୍ରୁତ ଗତିରେ କାର୍ଯ୍ୟ ହେଉଛି, ତାହା ପ୍ରକୃତରେ ହେଉଛି ପ୍ରଶଂସନୀୟ ।

ଭାଇ ଓ ଭଉଣୀମାନେ,

ଭାରତ ସ୍ୱାଧୀନତାର 75 ବର୍ଷ ପୂରଣ ହୋଇ ସାରିଛି । ଏବେ ଦେଶ ଆଗାମୀ 25 ବର୍ଷର ନୂତନ ସଂକଳ୍ପଗୁଡ଼ିକୁ ସିଦ୍ଧ କରିବା ପାଇଁ ଆଗକୁ ବଢ଼ୁଛି । ଏହି 25 ବର୍ଷ ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ହେଉଛି ଅମୃତକାଳ, ପ୍ରତ୍ୟେକ ରାଜ୍ୟ ପାଇଁ ହେଉଛି ଅମୃତକାଳ । ଏହି ଅମୃତକାଳରେ ଆମକୁ ବିକଶିତ ଭାରତର ନିର୍ମାଣ କରିବାକୁ ହେବ । ଭାରତ ସେତେବେଳେ ବିକଶିତ ହୋଇ ପାରିବ, ଯେତେବେଳେ ଦେଶର ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ପରିବାର, ପ୍ରତ୍ୟେକ ରାଜ୍ୟ ଏହି ଅଭିଯାନ ସହିତ ଯୋଡ଼ିହେବ । ଭାରତ ସେତେବେଳେ ବିକଶିତ ହୋଇ ପାରିବ, ଯେତେବେଳେ କ୍ଷେତରେ କାର୍ଯ୍ୟ କରୁଥିବା କୃଷକ ହୁଅନ୍ତୁ କିମ୍ବା ଉଦ୍ୟୋଗରେ କାର୍ଯ୍ୟ କରୁଥିବା ଶ୍ରମିକ, ସମସ୍ତଙ୍କ ଜୀବନ ସହଜ ଓ ଉନ୍ନତ ହୋଇଥିବ । ଭାରତ ସେତେବେଳେ ବିକଶିତ ହୋଇ ପାରିବ, ଯେତେବେଳେ କ୍ଷେତରେ ଭଲ ଫସଲ ମଧ୍ୟ ହେବ ଏବଂ କାରଖାନା ଗୁଡ଼ିକର ବିସ୍ତାର ମଧ୍ୟ ହେବ। ଆଉ ସାଥୀଗଣ, ଏହା ସେତେବେଳେ ସମ୍ଭବ ହେବ, ଯେତେବେଳେ ଆମେ ବିଗତ ଦଶକ ଗୁଡ଼ିକର ଖରାପ ଅନୁଭବ, ଭୁଲ ନୀତି- ରଣନୀତିରୁ ଶିଖିବା, ସେଗୁଡ଼ିକୁ ପୁଣିଥରେ ଦୋହରାଇବା ନାହିଁ । ଆମ ସମ୍ମୁଖରେ ୟାଦଗିରିର, ଉତର କର୍ଣ୍ଣାଟକର ଉଦାହରଣ ରହିଛି । ଏହି ଅଂଚଳର ସାମର୍ଥ୍ୟ କାହାଠାରୁ କମ୍ ନୁହେଁ । ଏହି ସାମର୍ଥ୍ୟ ରହିଥିବା ସତ୍ୱେ ଏହି ଅଂଚଳ ବିକାଶର ଯାତ୍ରାରେ ବହୁତ ପଛରେ ରହି ଯାଇଥିଲା । ପୂର୍ବର ଯେଉଁ ସରକାର ଥିଲେ, ସେ ୟାଦଗିରି ସମେତ ଅନେକ ଜିଲ୍ଲାଗୁଡ଼ିକୁ ପଛୁଆ ଜିଲ୍ଲା ଭାବେ ଘୋଷିତ କରି ଦେଇ ନିଜ ଦାୟିତ୍ୱ ଠାରୁ ହାତ ଧୋଇ ନେଇଥିଲେ । ଏହି ଅଂଚଳ ପଛୁଆ ରହିଯିବାର କାରଣ ହେଉଛି କ’ଣ, ଏଠାକାର ପଛୁଆପଣ କିପରି ଦୂର କରିହେବ, ଏହା ଉପରେ ପୂର୍ବ ସରକାର ନା ଚିନ୍ତା କରିବା ପାଇଁ ସମୟ ବାହାର କଲେ, ପରିଶ୍ରମ କରିବା ତ’ ବହୁତ ଦୂରର କଥା । ଯେତେବେଳେ ସଡ଼କ, ବିଜୁଳି ଏବଂ ପାଣି ଭଳି ଭିତିଭୂମି ଉପରେ ନିବେଶ କରିବାର ସମୟ ଥିଲା, ସେତେବେଳେ, ସେହି ସମୟରେ ଯେଉଁ ଦଳ ସରକାରରେ ଥିଲେ, ସେହି ଦଳଗୁଡ଼ିକ ଭୋଟବ୍ୟାଙ୍କ ରାଜନୀତିକୁ ପ୍ରୋତ୍ସାହନ ଦେଲେ । ଏହି ଜାତି, ସେହି ଧର୍ମର ଭୋଟ ନିଜ ପାଇଁ କିପରି ପକ୍କା ଭୋଟ ହୋଇ ରହିଯିବ, ପ୍ରତ୍ୟେକ ଯୋଜନା, ପ୍ରତ୍ୟେକ କାର୍ଯ୍ୟକ୍ରମକୁ ଏହି ପରିସର ମଧ୍ୟରେ ବାନ୍ଧି କରି ରଖିଲେ । ଏହାର ବହୁତ ବଡ଼ କ୍ଷତି କର୍ଣ୍ଣାଟକକୁ ସହିବାକୁ ପଡ଼ିଲା, ଆମର ଏହି ସମଗ୍ର ଅଂଚଳକୁ ସହିବାକୁ ପଡ଼ିଲା, ଆପଣମାନେ ସମସ୍ତେ ମୋର ଭାଇ ଭଉଣୀମାନେ ଉଠାଇଲେ ।

ସାଥୀଗଣ,

ଆମ ସରକାରଙ୍କର ପ୍ରାଥମିକତା ଭୋଟ ବ୍ୟାଙ୍କ ନୁହେଁ, ଆମର ପ୍ରାଥମିକତା ହେଉଛି ବିକାଶ, ବିକାଶ, ଆଉ ବିକାଶ । 2014ରେ ଆପଣମାନେ ସମସ୍ତେ ମୋତେ ଆଶୀର୍ବାଦ ଦେଲେ, ମୋତେ ଏକ ବହୁତ ବଡ଼ ଦାୟିତ୍ୱ ଅର୍ପଣ କଲେ । ମୁଁ ଜାଣିଛି ଯେ, ଯେପର୍ଯ୍ୟନ୍ତ ଦେଶର ଗୋଟିଏ ମଧ୍ୟ ଜିଲ୍ଲା, ବିକାଶର ତାଲିକାରେ ପଛୁଆ ହୋଇ ରହିବ, ସେପର୍ଯ୍ୟନ୍ତ ଦେଶ ବିକଶିତ ହୋଇ ପାରିବ ନାହିଁ । ତେଣୁ, ଯେଉଁମାନଙ୍କୁ ବିଗତ ସରକାର ପଛୁଆ ବୋଲି ଘୋଷଣା କରିଥିଲେ, ସେହି ଜିଲ୍ଲାଗୁଡ଼ିକରେ ଆମେ ବିକାଶର ଆକାଂକ୍ଷାକୁ ପ୍ରୋତ୍ସାହିତ କଲୁ । ଆମ ସରକାର ୟାଦଗିରି ସମେତ ଦେଶର 100ରୁ ଅଧିକ ଏଭଳି ଜିଲ୍ଲାଗୁଡ଼ିକରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଆରମ୍ଭ କଲେ । ଆମେ ଏହି ସବୁ ଜିଲ୍ଲାଗୁଡ଼ିକରେ ସୁଶାସନ ଉପରେ ଗୁରୁତ୍ୱ ପ୍ରଦାନ କଲୁ, ଗୁଡ୍‌ ଗଭର୍ଣ୍ଣାସ ଉପରେ ଗୁରୁତ୍ୱ ଦେଲୁ । ବିକାଶର ପ୍ରତ୍ୟେକ ଦିଗ ଉପରେ କାର୍ଯ୍ୟ ଆରମ୍ଭ କଲୁ । ୟାଦଗିରି ସମେତ ସମସ୍ତ ଆକାଂକ୍ଷୀ ଜିଲ୍ଲାଗୁଡ଼ିକୁ ଏହାର ଲାଭ ମିଳିଛି । ଆଜି ଦେଖନ୍ତୁ, ୟାଦଗିରି ପିଲାମାନଙ୍କର ଶତ- ପ୍ରତିଶତ ଟିକାକରଣ କରି ଦେଖାଇଛି । ୟାଦଗିରି ଜିଲ୍ଲାରେ କୁପୋଷଣ ଶୀକାର ପିଲାମାନଙ୍କର ସଂଖ୍ୟାରେ ବହୁତ ହ୍ରାସ ପାଇଛି । ଏଠାକାର ଶତ-ପ୍ରତିଶତ ଗାଁ ସଡ଼କ ସହିତ ଯୋଡ଼ି ହୋଇ ସାରିଛି । ଗ୍ରାମ ପଂଚାୟତଗୁଡ଼ିକରେ ଡିଜିଟାଲ ସେବା ପ୍ରଦାନ କରିବା ପାଇଁ ସାଧାରଣ ସେବା କେନ୍ଦ୍ର ରହିଛି । ଶିକ୍ଷା ହେଉ, ସ୍ୱାସ୍ଥ୍ୟ ହେଉ, ଯୋଗାଯୋଗ ହେଉ, ପ୍ରତ୍ୟେକ କ୍ଷେତ୍ରରେ ୟାଦଗିରି ଜିଲ୍ଲାର ପ୍ରଦର୍ଶନ ଶୀର୍ଷ-10ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରେ ରହିଛି । ଆଉ ଏଥିପାଇଁ ମୁଁ ୟାଦଗିରି ଜିଲ୍ଲାର ଜନପ୍ରତିନିଧି ମାନଙ୍କୁ, ଏଠାକାର ଜିଲ୍ଲା ପ୍ରଶାସନ ଟିମ୍‌ଙ୍କୁ ମୋ ତରଫରୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି । ଆଜି ୟାଦଗିରି ଜିଲ୍ଲାକୁ ନୂତନ ଉଦ୍ୟୋଗ ଆସୁଛି । କେନ୍ଦ୍ର ସରକାର ଏଠାରେ ଫାର୍ମା ପାର୍କକୁ ମଧ୍ୟ ମଞ୍ଜରି ପ୍ରଦାନ କରି ଦେଇଛନ୍ତି ।

ଭାଇ ଓ ଭଉଣୀମାନେ,

ଜଳ ନିରାପତା ହେଉଛି ଏପରି ଏକ ବିଷୟ, ଯାହା ଏକବିଂଶ ଶତାବ୍ଦୀର ଭାରତର ବିକାଶ ପାଇଁ ହେଉଛି ବହୁତ ଜରୁରୀ । ଭାରତକୁ ବିକଶିତ ହେବାକୁ ଅଛି ତ’ ସୀମା ସୁରକ୍ଷା, ଉପକୂଳ ସୁରକ୍ଷା, ଆଭ୍ୟନ୍ତରୀଣ ସୁରକ୍ଷା ଭଳି ଜଳ ସୁରକ୍ଷା ସହିତ ଜଡ଼ିତ ଆହ୍ୱାନଗୁଡ଼ିକୁ ମଧ୍ୟ ସମାପ୍ତ କରିବାକୁ ହିଁ ହେବ । ଡବଲ ଇଞ୍ଜିନ ସରକାର, ସୁବିଧା ଏବଂ ସଂଚୟର ଚିନ୍ତାଧାରାକୁ ନେଇ କାର୍ଯ୍ୟ କରୁଛନ୍ତି । 2014ରେ ଯେତେବେଳେ ଆପଣମାନେ ଆମକୁ ସୁଯୋଗ ଦେଲେ, ସେତେବେଳେ 99ଟି ଏପରି ସିଂଚନ ପ୍ରକଳ୍ପ ରହିଥିଲା, ଯେଉଁଗୁଡ଼ିକ ଦଶକ- ଦଶକ ଧରି ଝୁଲି ଅଧାପନ୍ତରିଆ ହୋଇ ପଡ଼ି ରହିଥିଲା । ଆଜି ସେଗୁଡ଼ିକ ମଧ୍ୟରୁ 50 ପାଖାପାଖି ଯୋଜନା ସମ୍ପୂର୍ଣ୍ଣ ହୋଇ ସାରିଛି । ଆମେ ପୁରାତନ ଯୋଜନା ଉପରେ ମଧ୍ୟ କାର୍ଯ୍ୟ କଲୁ ଆଉ ଆମ ପାଖରେ ଯେଉଁସବୁ ସଂସାଧନ ପୂର୍ବରୁ ଥିଲା, ସେଗୁଡ଼ିକର ବିସ୍ତାର ଉପରେ ମଧ୍ୟ ଗୁରୁତ୍ୱ ଦେଲୁ ।

କର୍ଣ୍ଣାଟକରେ ଏଭଳି ଅନେକ ପ୍ରକଳ୍ପ ଉପରେ କାର୍ଯ୍ୟ ଚାଲୁ ରହିଛି । ନଦୀଗୁଡ଼ିକୁ ଯୋଡ଼ା ଯାଇ ମରୁଡ଼ି ପ୍ରଭାବିତ ଅଂଚଳ ପର୍ଯ୍ୟନ୍ତ ଜଳ ପହଂଚ ଯାଉଛି । ନାରାୟଣପୁରା ଜଳଭଣ୍ଡାର ବାମ କେନାଲ ବ୍ୟବସ୍ଥାର ବିକାଶ ଏବଂ ବିସ୍ତାର ମଧ୍ୟ ହେଉଛି ଏହି ନୀତିର ଅଂଶବିଶେଷ । ଏବେ ଯେଉଁ ନୂତନ ବ୍ୟବସ୍ଥା ହୋଇଛି, ଯେଉଁ ନୂତନ କୌଶଳ ଏଥିରେ ଯୋଡ଼ାଯାଇଛି, ଏହା ଫଳରେ ସାଢ଼େ 4 ଲକ୍ଷ ହେକ୍ଟର ଭୂମି ସିଂଚନ ପରିସର ମଧ୍ୟକୁ ଆସିଯିବ । ଏବେ କେନାଲର ଶେଷ ମୁଣ୍ଡ ପର୍ଯ୍ୟନ୍ତ ମଧ୍ୟ ପର୍ଯ୍ୟାପ୍ତ ଜଳ, ପର୍ଯ୍ୟାପ୍ତ ସମୟ ପାଇଁ ଆସି ପାରିବ ।

ସାଥୀଗଣ,

ଆଜି ଦେଶରେପ୍ରତି ବୁନ୍ଦା ଜଳ- ଅଧିକ ଉତ୍ପାଦନ(ପର୍ ଡ୍ରପ୍‌- ମୋର୍ କ୍ରପ୍‌) ଉପରେ, ଅଣୁ- ଜଳସେଚନ ଉପରେ ଅଦ୍ଭୁତପୂର୍ବ ଗୁରୁତ୍ୱ ଦିଆଯାଉଛି । ବିଗତ 6-7 ବର୍ଷରେ 70 ଲକ୍ଷ ହେକ୍ଟର ଜମିକୁ ଅଣୁ- ଜଳସେଚନର ପରିସରକୁ ଅଣାଯାଇଛି । କର୍ଣ୍ଣାଟକରେ ମଧ୍ୟ ଏହାକୁ ନେଇ ବହୁତ ଭଲ କାର୍ଯ୍ୟ ହୋଇଛି । ଆଜି କର୍ଣ୍ଣାଟକରେ ଅଣୁ- ଜଳସେଚନ ସହିତ ଜଡ଼ିତ ଯେଉଁ ପ୍ରକଳ୍ପଗୁଡ଼ିକ ଉପରେ କାର୍ଯ୍ୟ ଚାଲୁ ରହିଛି, ତାହା ଫଳରେ 5ଲକ୍ଷ ହେକ୍ଟର ଜମିକୁ ଲାଭ ହେବ । ଡବଲ ଇଞ୍ଜିନ ସରକାର ଭୂତଳ ଜଳର ସ୍ତରକୁ ଉପରକୁ ଉଠାଇବା ପାଇଁ ମଧ୍ୟ ବ୍ୟାପକ ସ୍ତରରେ କାର୍ଯ୍ୟ କରୁଛନ୍ତି। ଅଟଳ ଭୂଜଳ ଯୋଜନା ହେଉ, ଅମୃତ ସରୋବର ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ଜିଲ୍ଲାରେ 75 ପୋଖରୀ ନିର୍ମାଣ କରିବାର ଯୋଜନା ହେଉ, କିମ୍ବା କର୍ଣ୍ଣାଟକ ସରକାରଙ୍କର ନିଜସ୍ୱ ଯୋଜନାମାନ, ଏହା ଫଳରେ ଜଳସ୍ତର ସୁରକ୍ଷିତ ରଖିବାରେ ସାହାଯ୍ୟ ମିଳି ପାରିବ ।

ଭାଇ ଓ ଭଉଣୀମାନେ,

ଡବଲ ଇଞ୍ଜିନର ସରକାର କିପରି କାର୍ଯ୍ୟ କରୁଛନ୍ତି, ଏହାର ଉନ୍ନତତମ ଉଦାହରଣ ଜଳ ଜୀବନ ମିଶନରେ ମଧ୍ୟ ଦେଖାଯାଉଛି । ସାଢ଼େ 3 ବର୍ଷ ପୂର୍ବେ ଯେତେବେଳେ ଏହି ମିଶନ ଆରମ୍ଭ ହୋଇଥିଲା, ସେତେବେଳେ ଦେଶର 18 କୋଟି ଗ୍ରାମୀଣ ପରିବାର ମଧ୍ୟରୁ କେବଳ 3 କୋଟି ଗ୍ରାମୀଣ ପରିବାରଙ୍କ ପାଖରେ ପାଇପ୍ ଜଳ ସଂଯୋଗ ଥିଲା । ଆଜି ଦେଶର ପ୍ରାୟ, ଏହି ପରିସଂଖ୍ୟାନକୁ ମନେ ରଖିବେ, ଆମେ ଯେତେବେଳେ ସରକାରକୁ ଆସିଥିଲୁ, ସେତେବେଳେ 3 କୋଟି ଘରେ, ଆଜି ଦେଶର ପ୍ରାୟ 11 କୋଟି ଗ୍ରାମୀଣ ପରିବାରଙ୍କ ଘରେ ପାଇପ ମାଧ୍ୟମରେ ଜଳ ଆସିବା ଆରମ୍ଭ ହୋଇଯାଇଛି । ଅର୍ଥାତ ଆମ ସରକାର ଦେଶରେ 8 କୋଟି ନୂତନ ଗ୍ରାମୀଣ ପରିବାରଙ୍କୁ ପାଇପ ମାଧ୍ୟମରେ ଜଳ ପହଂଚାଇଛନ୍ତି । ଆଉ ଏଥିରେ କର୍ଣ୍ଣାଟକର ମଧ୍ୟ 35 ଲକ୍ଷ ଗ୍ରାମୀଣ ପରିବାର ସାମିଲ ଅଛନ୍ତି ।

ମୁଁ ଖୁସି ଅନୁଭବ କରୁଛି ଯେ ୟାଦଗିରି ଏବଂ ରାୟଚୁରରେ ହର୍ ଘର୍ ଜଳର ବ୍ୟାପକତା କର୍ଣ୍ଣାଟକ ଏବଂ ଦେଶର ମୋଟ ସଂଖ୍ୟାରୁ ମଧ୍ୟ ଅଧିକ । ଆଉ ଯେତେବେଳେ ପାଇପ୍ ମାଧ୍ୟମରେ ଜଳ ଘର ପର୍ଯ୍ୟନ୍ତ ପହଂଚି ଯାଏ ନା ସେତେବେଳେ ମାଆମାନେ- ଭଉଣୀମାନେ ମୋଦୀଙ୍କୁ ଭରପୂର ଆଶୀର୍ବାଦ ଦେଉଛନ୍ତି । ପ୍ରତ୍ୟେକ ଦିନ ଯେତେବେଳେ ପାଣି ଆସିଥାଏ, ମୋଦୀଙ୍କ ପାଇଁ ତାଙ୍କର ଆଶୀର୍ବାଦ ବହିବା ଆରମ୍ଭ ହୋଇଯାଏ । ଆଜି ଯେଉଁ ଯୋଜନାର ଶିଳାନ୍ୟାସ ହୋଇଛି, ତାହା ଫଳରେ ୟାଦଗିରିରେ ପ୍ରତ୍ୟେକ ଘରେ ଜଳ ପହଂଚାଇବାର ଲକ୍ଷ୍ୟକୁ ଆହୁରି ଗତି ମିଳିବ ।

ଜଳ ଜୀବନ ମିଶନର ଆଉ ଏକ ଲାଭ ମୁଁ ଆପଣମାନଙ୍କ ସମ୍ମୁଖରେ ରଖିବାକୁ ଚାହୁଁଛି । ଏକ ଗବେଷଣାରୁ ସାମ୍ନାକୁ ଆସିଛି ଯେ ଭାରତର ଜଳ ଜୀବନ ମିଶନ କାରଣରୁ ପ୍ରତ୍ୟେକ ବର୍ଷ ଏକ ଲକ୍ଷ ପଚିଶ ହଜାର ପିଲାମାନଙ୍କର ଜୀବନ ଆମେ ବଂଚାଇ ପାରିବା । ଆପଣମାନେ କଳ୍ପନା କରି ପାରୁଥିବେ, ପ୍ରତ୍ୟେକ ବର୍ଷ ଏକ ଲକ୍ଷ ପଚିଶ ହଜାର ପିଲା ମୃତ୍ୟୁ ମୁଖକୁ ଯିବାରୁ ବଂଚିଯିବେ ଯେତେବେଳେ ଈଶ୍ୱର ମଧ୍ୟ ଆଶୀର୍ବାଦ ଦିଅନ୍ତି ସାଥୀଗଣ, ଜନତା-ଜନାର୍ଦ୍ଦନ ମଧ୍ୟ ଆଶୀର୍ବାଦ ଦିଅନ୍ତି । ସାଥୀଗଣ, ଦୂଷିତ ଜଳ କାରଣରୁ ଆମ ପିଲାମାନଙ୍କ ଉପରେ କେତେ ବଡ଼ ସଙ୍କଟ ରହିଥିଲା ଆଉ ଏବେ କିପରି ଆମ ସରକାର ଆପଣଙ୍କ ପିଲାମାନଙ୍କର ଜୀବନ ବଂଚାଇଛନ୍ତି ।

ଭାଇ ଓ ଭଉଣୀମାନେ,

ହର୍ ଘର୍ ଜଲ୍ ଅଭିଯାନ ଡବଲ ଇଞ୍ଜିନ ସରକାରଙ୍କର ଡବଲ ବା ଦୁଇଗୁଣ ଲାଭର ହେଉଛି ଏକ ଉଦାହରଣ । ଡବଲ ଇଞ୍ଜିନ ଅର୍ଥାତ ଡବଲ ୱେଲଫେୟାର ବା କଲ୍ୟାଣ, ଡବଲ ବା ଦୁଇଗୁଣ ଦ୍ରୁତ ଗତିରେ ବିକାଶ । କର୍ଣ୍ଣାଟକକୁ ଏହାଦ୍ୱାରା କିପରି ଲାଭ ହେଉଛି, ଆପଣମାନେ ତ’ ଏହା ଭଲ ଭାବେ ଜାଣନ୍ତି । କେନ୍ଦ୍ର ସରକାର କୃଷକମାନଙ୍କ ପାଇଁ ପିଏମ କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ 6000ଟଙ୍କା ଦେଉଛନ୍ତି । ସେଠାରେ କର୍ଣ୍ଣାଟକ ସରକାର ଏଥିରେ ଆହୁରି 4000ଟଙ୍କା ଯୋଡି ଥାଆନ୍ତି, ଫଳରେ କୃଷକଙ୍କର ଡବଲ ଲାଭ ହେଉ । ଏଠାରେ ୟାଦଗିରିର ମଧ୍ୟ ଏକ ଲକ୍ଷ ପଚିଶ ହଜାର କୃଷକ ପରିବାରଙ୍କୁ ମଧ୍ୟ ପିଏମ କିଷାନ ସମ୍ମାନ ନିଧି ଯୋଜନାର ପ୍ରାୟ 250 କୋଟି ଟଙ୍କା ମିଳି ସାରିଛି ।

ସାଥୀଗଣ,

କେନ୍ଦ୍ର ସରକାର ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତି ଆଣିଛନ୍ତି । ଏଠାରେ କର୍ଣ୍ଣାଟକ ସରକାର ବିଦ୍ୟା ନିଧି ଯୋଜନା ଦ୍ୱାରା ଗରିବ ପରିବାରର ପିଲାମାନଙ୍କୁ ଉତମ ଶିକ୍ଷା ପ୍ରଦାନ କରିବାରେ ସାହାଯ୍ୟ କରୁଛନ୍ତି । କେନ୍ଦ୍ର ସରକାର ମହାମାରୀ ଏବଂ ଅନ୍ୟାନ୍ୟ ସଙ୍କଟ ପରେ ମଧ୍ୟ ଦ୍ରୁତ ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏଠାରେ ରାଜ୍ୟ ସରକାର ଏହାର ଲାଭ ଉଠାଇ, କର୍ଣ୍ଣାଟକକୁ ଦେଶରେ ନିବେଶକମାନଙ୍କର ପ୍ରଥମ ପସନ୍ଦ କରିବା ପାଇଁ ଆଗକୁ ବଢ଼ୁଛନ୍ତି ।

କେନ୍ଦ୍ର ସରକାର ବୁଣାକାରମାନଙ୍କୁ ମୁଦ୍ରା ଯୋଜନା ମାଧ୍ୟମରେ ସାହାଯ୍ୟ କରୁଛନ୍ତି । ଏଠାରେ କର୍ଣ୍ଣାଟକ ସରକାର ମହାମାରୀ ସମୟରେ ତାଙ୍କର ଋଣ ଛାଡ଼ କରିଛନ୍ତି ଆଉ ସେମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ଦେଉଛନ୍ତି । ତେବେ ହେଲା ନା ତାହା ଡବଲ ଇଞ୍ଜିନର ଡବଲ ଲାଭ ।

ସାଥୀଗଣ,

ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ, ଯଦି କୌଣସି ବ୍ୟକ୍ତି ବଂଚିତ ରହିଛନ୍ତି, କୌଣସି ବର୍ଗ ବଂଚିତ ହୋଇ ରହିଛନ୍ତି, କୌଣସି କ୍ଷେତ୍ର ବଂଚିତ ହୋଇ ରହିଛି, ତେବେ ସେହି ବଂଚିତଙ୍କୁ ଆମ ସରକାର ସବୁଠାରୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଆଉ ବଂଚିତଙ୍କୁ ଗୁରୁତ୍ୱ, ଏହା ହେଉଛି ଆମ୍ଭମାନଙ୍କର କାର୍ଯ୍ୟ କରିବାର ବାଟ, ହେଉଛି ସଂକଳ୍ପ, ହେଉଛି ମନ୍ତ୍ର । ଆମ ଦେଶରେ ଦଶକ- ଦଶକ ପର୍ଯ୍ୟନ୍ତ କୋଟି- କୋଟି କ୍ଷୁଦ୍ର ଚାଷୀ ମଧ୍ୟ ପ୍ରତ୍ୟେକ ସୁଖ- ସୁବିଧାରୁ ବଂଚିତ ହୋଇ ରହିଲେ, ସରକାରୀ ନୀତି ଆଡ଼କୁ ସେମାନଙ୍କର ଧ୍ୟାନ ହିଁ ଯାଇ ନ ଥିଲା ।

ଆଜି ଏହି କ୍ଷୁଦ୍ର ଚାଷୀ ଦେଶର କୃଷି ନୀତିର ହେଉଛନ୍ତି ସବୁଠାରୁ ବଡ଼ ପ୍ରାଥମିକତା । ଆଜି ଆମେ କୃଷକମାନଙ୍କୁ ମେସିନ ପାଇଁ ସାହାଯ୍ୟ କରୁଛୁ, ଡ୍ରୋନ ଭଳି ଆଧୁନିକ ଟେକ୍ନୋଲୋଜି ଆଡ଼କୁ ନେଇ ଯାଉଛୁ, ନାନୋ ୟୁରିଆ ଭଳି ଆଧୁନିକ ସାର ଉପଲବ୍ଧ କରାଉଛୁ, ସେହିପରି ଅନ୍ୟପକ୍ଷରେ ପ୍ରାକୃତିକ କୃଷିକୁ ମଧ୍ୟ ପ୍ରୋତ୍ସାହିତ କରୁଛୁ । ଆଜି କ୍ଷୁଦ୍ର ଚାଷୀଙ୍କୁ ମଧ୍ୟ କିଷାନ କ୍ରେଡିଟ୍ କାର୍ଡ ଦିଆଯାଉଛି । କ୍ଷୁଦ୍ର ଚାଷୀ, ପୁଣି ଭୂମିହୀନ ପରିବାରର ଅତିରିକ୍ତ ଆୟ ହେଉ, ଏଥିପାଇଁ ପଶୁପାଳନ, ମାଛଚାଷ, ମହୁମାଛି ପାଳନ, ସେଥିପାଇଁ ମଧ୍ୟ ସହାୟତା ଦିଆଯାଉଛି ।

ଭାଇ ଓ ଭଉଣୀମାନେ,

ଆଜି ଯେତେବେଳେ ମୁଁ ୟାଦଗିରି ଆସିଛି ସେତେବେଳେ କର୍ଣ୍ଣାଟକର ପରିଶ୍ରମୀ କୃଷକମାନଙ୍କୁ ଆଉ ଗୋଟିଏ କଥା ପାଇଁ ମଧ୍ୟ କୃତଜ୍ଞତା ଜ୍ଞାପନ କରିବାକୁ ଚାହୁଁଛି । ଏହି ଅଂଚଳ ଡାଲି ଉତ୍ପାଦନର କେନ୍ଦ୍ର ବା ପାତ୍ର ଭାବେ ପରିଗଣିତ ହେଉ, ଏଠାକାର ଡାଲି ସାରା ଦେଶରେ ପହଂଚେ ବିଗତ 7-8 ବର୍ଷ ମଧ୍ୟରେ ଯଦି ଭାରତ ଡାଲି ପାଇଁ ବିଦେଶ ଉପରେ ନିର୍ଭରଶୀଳତା ହ୍ରାସ କରିଛି, ତେବେ ଏଥିରେ ଉତର କର୍ଣ୍ଣାଟକର କୃଷକମାନଙ୍କର ବହୁତ ବଡ଼ ଭୂମିକା ରହିଛି । କେନ୍ଦ୍ର ସରକାର ମଧ୍ୟ ଏହି 8 ବର୍ଷରେ କୃଷକମାନଙ୍କ ଠାରୁ 80 ଗୁଣ ଅଧିକ ଡାଲି ଏମଏସପିରେ କ୍ରୟ କରିଛନ୍ତି । 2014 ପୂର୍ବରୁ ଯେତେବେଳେ ଡାଲି ଚାଷୀମାନଙ୍କୁ ମାତ୍ର କିଛି ଶହ କୋଟି ଟଙ୍କା ମିଳୁଥିଲା, ତେବେ ଆମ ସରକାର ଆସିବା ପରେ ଡାଲି ଚାଷୀମାନଙ୍କୁ 60 ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏବେ ଦେଶ ଖାଇବା ତେଲ କ୍ଷେତ୍ରରେ ଆତ୍ମନିର୍ଭରତା ପାଇଁ ମଧ୍ୟ ବିଶେଷ ଅଭିଯାନ ଚଲାଉଛି । ଏହାର ଲାଭ ମଧ୍ୟ କର୍ଣ୍ଣାଟକର କୃଷକମାନଙ୍କୁ ନିଶ୍ଚୟ ଉଠାଇବା ଉଚିତ । ଆଜି ଜୈବ ଇନ୍ଧନ, ଇଥେନଲର ଉତ୍ପାଦନ ଏବଂ ଉପଯୋଗ ପାଇଁ ମଧ୍ୟ ଦେଶରେ ବହୁତ ବ୍ୟାପକ ସ୍ତରରେ କାର୍ଯ୍ୟ ଚାଲୁ ରହିଛି । ସରକାର ପେଟ୍ରୋଲରେ ଇଥେନଲର ମିଶ୍ରଣ ଲକ୍ଷ୍ୟ ମଧ୍ୟ ବୃଦ୍ଧି କରିଛନ୍ତି । ଏହାଦ୍ୱାରା ମଧ୍ୟ କର୍ଣ୍ଣାଟକର ଆଖୁଚାଷୀଙ୍କୁ ବହୁତ ଲାଭ ମିଳିବାକୁ ଯାଉଛି ।

ସାଥୀଗଣ,

ଆଜି ବିଶ୍ୱରେ ଆଉ ଏକ ବଡ଼ ସୁଯୋଗ ସୃଷ୍ଟି ହେଉଛି, ଯାହାର ଲାଭ କର୍ଣ୍ଣାଟକର କୃଷକଙ୍କୁ, ବିଶେଷ କରି କ୍ଷୁଦ୍ର ଚାଷୀଙ୍କୁ ନିଶ୍ଚୟ ମିଳିବ । ଭାରତର ଅନୁରୋଧରେ ମିଳିତ ଜାତିସଂଘ, ୟୁନାଇଟେଡ ନେସନ ଚଳିତ ବର୍ଷକୁ ଅନ୍ତରାଷ୍ଟ୍ରୀୟ ମିଲେଟ ବର୍ଷ ଭାବେ ଘୋଷଣା କରିଛ । କର୍ଣ୍ଣାଟକରେ ଯଅ ଏବଂ ମାଣ୍ଡିଆ ଭଳି ବଗଡା ଶସ୍ୟର ବହୁତ ଉତ୍ପାଦନ ହେଉଛି । ନିଜର ଏହି ପୌଷ୍ଟିକ ବଗଡା ଶସ୍ୟର ଉତ୍ପାଦନ ବୃଦ୍ଧି ଏବଂ ଏହାକୁ ସାରା ବିଶ୍ୱରେ ପ୍ରସାର କରିବା ପାଇଁ ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତିବଦ୍ଧ । ମୋର ବିଶ୍ୱାସ ଯେ କର୍ଣ୍ଣାଟକର କୃଷକମାନେ ମଧ୍ୟ ଏଥିରେ ଅଗ୍ରଣୀ ଭୂମିକା ତୁଲାଇବେ ।

ଭାଇ ଓ ଭଉଣୀମାନେ,

ଉତର କର୍ଣ୍ଣାଟକର ଆଉ ଏକ ଆହ୍ୱାନକୁ ଆମ ସରକାର ହ୍ରାସ କରିବାର ପ୍ରୟାସ କରୁଛନ୍ତି । ଏହି ଆହ୍ୱାନ ହେଉଛି- ଯୋଗାଯୋଗର । ଚାଷବାସ ହେଉ, ଉଦ୍ୟୋଗ ହେଉ ଅବା ପୁଣି ପର୍ଯ୍ୟଟନ, ସବୁକିଛି ପାଇଁ ଯୋଗାଯୋଗ ବା କନେକଟିଭିଟିର ସେତିକି ଆବଶ୍ୟକତା ରହିଛି । ଆଜି ଯେତେବେଳେ ଦେଶ ଯୋଗାଯୋଗ ସହିତ ଜଡ଼ିତ ଭିତିଭୂମି ଉପରେ ଗୁରୁତ୍ୱ ଦେଉଛି, ସେତେବେଳେ ଡବଲ ଇଞ୍ଜିନ ସରକାର ଥିବା କାରଣରୁ କର୍ଣ୍ଣାଟକକୁ ମଧ୍ୟ ଏହାର ଅଧିକ ଲାଭ ମିଳି ପାରୁଛି । ସୁରଟ- ଚେନ୍ନାଇ ଅର୍ଥନୈତିକ କରିଡରର ଲାଭ ମଧ୍ୟ ଉତର କର୍ଣ୍ଣାଟକର ଏକ ବୃହତ ଅଂଶକୁ ମିଳିବାକୁ ଯାଉଛି । ଦେଶର ଦୁଇଟି ବଡ଼ ବନ୍ଦର ନଗରୀ ସଂଯୋଗ ହେବା ଦ୍ୱାରା ଏହି ସମଗ୍ର କ୍ଷେତ୍ରରେ ନୂତନ ଉଦ୍ୟୋଗ ପାଇଁ ସମ୍ଭାବନାମାନ ବୃଦ୍ଧି ପାଇବ । ଉତର କର୍ଣ୍ଣାଟକର ପର୍ଯ୍ୟଟନସ୍ଥଳ, ତୀର୍ଥସ୍ଥାନ ପର୍ଯ୍ୟନ୍ତ ପହଂଚିବା ମଧ୍ୟ ଦେଶବାସୀଙ୍କ ପାଇଁ ସହଜ ହୋଇଯିବ । ଏହାଦ୍ୱାରା ଏଠାକାର ଯୁବକମାନଙ୍କ ପାଇଁ ରୋଜଗାରର ଏବଂ ସ୍ୱରୋଜଗାରର ହଜାର- ହଜାର ନୂତନ ସୁଯୋଗ ସୃଷ୍ଟି ହେବ ।

ଭିତିଭୂମି ଏବଂ ସଂସ୍କାର ଉପରେ ଡବଲ ଇଞ୍ଜିନ ସରକାର ଧ୍ୟାନ କେନ୍ଦ୍ରିତ କରିବା କାରଣରୁ କର୍ଣ୍ଣାଟକ, ନିବେଶକମାନଙ୍କର ପସନ୍ଦ ପାଲଟିଛି । ଭବିଷ୍ୟତରେ ଏହି ନିବେଶ ଆହୁରି ବୃଦ୍ଧି ପାଇବାକୁ ଯାଉଛି, କାରଣ ଭାରତରେ ନିବେଶକୁ ନେଇ ସାରା ବିଶ୍ୱରେ ଉତ୍ସାହ ବୃଦ୍ଧି ପାଇଛି ।

ମୋର ବିଶ୍ୱାସ ଯେ ଉତର କର୍ଣ୍ଣାଟକକୁ ମଧ୍ୟ ଏହି ଉତ୍ସାହର ଭରପୂର ଲାଭ ମିଳିବ । ଏହି ଅଂଚଳର ବିକାଶ ସମସ୍ତଙ୍କ ପାଇଁ ସମୃଦ୍ଧି ନେଇକରି ଆସୁ, ଏହି କାମନା ସହିତ ପୁଣିଥରେ ଏତେ ବିପୁଳ ସଂଖ୍ୟାରେ ଆସି ଆମକୁ ଆଶୀର୍ବାଦ ଦେଇଥିବାରୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି ଆଉ ଏହି ଅନେକ- ଅନେକ ବିକାଶ ଯୋଜନାଗୁଡ଼ିକ ପାଇଁ ଆପଣମାନଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।

ଭାରତ ମାତା କୀ-ଜୟ!

ଭାରତ ମାତା କୀ-ଜୟ!

ଭାରତ ମାତା କୀ-ଜୟ!

ବହୁତ- ବହୁତ ଧନ୍ୟବାଦ!                                               

*****

AH