Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ହାଓଡା-ନ୍ୟୁ ଜଳପାଇଗୁଡି ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ହାଓଡା-ନ୍ୟୁ ଜଳପାଇଗୁଡି ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପତାକା ଦେଖାଇ ଆଜି (୩୦.୧୨.୨୦୨୨) ହାଓଡାରୁ ନ୍ୟୁ-ଜଳପାଇଗୁଡି ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ କରାଇଛନ୍ତି । ଏହା ଆଭାସୀ ମାଧ୍ୟମରେ ସମ୍ପାଦିତ ହୋଇଛି । ପ୍ରଧାନମନ୍ତ୍ରୀ ମଧ୍ୟ ଜୋକା-ଏସପ୍ଲାନେଡ ମେଟ୍ରୋ ରେଳ ପ୍ରକଳ୍ପର ପର୍ପଲ ଲାଇନର ଜୋକା-ତାରତଲା ଖଣ୍ଡରେ ମେଟ୍ରୋ ଚଳାଚଳ ଶୁଭାରମ୍ଭ କରିଛନ୍ତି । ସେ ମଧ୍ୟ ଚାରିଟି ରେଳ ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସେଗୁଡିକ ହେଲା ବୋଞ୍ଚି-ଶକ୍ତିଗଡ ତୃତୀୟ ଲାଇନ, ଡାଙ୍କୁଣୀ-ଚନ୍ଦନପୁର ଚତୁର୍ଥ ଲାଇନ ପ୍ରକଳ୍ପ, ନିମଟିଟା-ନ୍ୟୁ ଫାରାକ୍କା ଦୋହରା ଲାଇନ ଏବଂ ଆମ୍ବାରୀ ଫାଲକାଟା-ନ୍ୟୁ ମାୟାଁନାଗୁଡି-ଗୁମନିହାଟ ଦୋହରୀକରଣ ପ୍ରକଳ୍ପ । ପ୍ରଧାନମନ୍ତ୍ରୀ ମଧ୍ୟ ନ୍ୟୁ-ଜଳପାଇଗୁଡି ରେଳଷ୍ଟେସନ ନବୀକରଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି ।

 ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଆଜି ସ୍ୱୟଂ ଉପସ୍ଥିତ ହୋଇପାରି ନ ଥିବାରୁ କ୍ଷମା ପ୍ରାର୍ଥନା କରିଥିଲେ । ଆଜିର ଦିନରେ ବଙ୍ଗଭୂମିକୁ ନତମସ୍ତକ ହେବାର ସମୟ ଓ ସ୍ୱାଧୀନତା ସଂଗ୍ରାମରେ ବଙ୍ଗଳାର ପ୍ରତିଟି ଧୂଳିକଣା ମିଶି ରହିଛି ବୋଲି କହିଥିଲେ । “ଯେଉଁ ମାଟିରୁ ଦିନେ ବନ୍ଦେ ମାତରମ୍‌ର ଗୁଞ୍ଜରଣ ସୃଷ୍ଟି ହୋଇଥିଲା । ସେହି ମାଟିରୁ ଆଜି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଶୁଭାରମ୍ଭ ହୋଇଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଡିସେମ୍ବର ୩୦, ୧୯୪୩ ମସିହାରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ଆଣ୍ଡାମାନ ଓ ନିକୋବର ଦ୍ୱୀପରେ ତ୍ରିରଙ୍ଗା ଉଡାଇବା ସହ ଭାରତର ସ୍ୱାଧୀନତା ସଂଗ୍ରାମର ଚକକୁ ଗତି ଦେଇଥିଲେ । ସ୍ୱାଧୀନତାର ୭୫ତମ ବାର୍ଷିକୀରେ ଆଜିର ଦିନରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ଆଣ୍ଡାମାନ ଗସ୍ତର ସୁଯୋଗ ପାଇ ଆଣ୍ଡାମାନ ଦ୍ୱୀପକୁ ନେତାଜୀଙ୍କ ନାମରେ ନାମିତ କରିବାକୁ ଚାହିଁଛନ୍ତି । ସ୍ୱାଧୀନତାର ଅମୃତ ମହୋତ୍ସବରେ ଭାରତ ୪୭୫ଟି ବନ୍ଦେ ଭାରତ ଟ୍ରେନ ଚଳାଚଳକୁ ସଂକଳ୍ପ କରିଛି ଓ ଆଜି ହାଓଡାରୁ ନ୍ୟୁ-ଜଳପାଇଗୁଡିକୁ ଯାତ୍ରା ଆରମ୍ଭ କରିଥିବା ଟ୍ରେନ ସେଥିରୁ ଅନ୍ୟତମ । ଆଜି ଯେଉଁ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ହୋଇଛି ସରକାର ସେଥିପାଇାଁ ପ୍ରାୟ ପାଞ୍ଚ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ସେ କହିଛନ୍ତି ।

ପରେ ପରେ ଗଙ୍ଗା ନଦୀର ସ୍ୱଚ୍ଛତା ଓ ପଶ୍ଚିମବଙ୍ଗକୁ ପାନୀୟଜଳ ଯୋଗାଣ ନେଇ କେତେକ ପ୍ରକଳ୍ପର ଲୋକାର୍ପଣ ନିମନ୍ତେ ସେ ସୁଯୋଗ ପାଇବେ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ନମାମି ଗଙ୍ଗେ ଯୋଜନାରେ ପଶ୍ଚିମବଙ୍ଗ ନିମନ୍ତେ ୨୫ଟିରୁ ଅଧିକ ବର୍ଜ୍ୟ ନିଷ୍ପାସନ ପ୍ରକଳ୍ପ ଅନୁମୋଦିତ ହୋଇଥିବାର ସେ ସୂଚନା ଦେଇଥିଲେ । ସେଥିରୁ ୧୧ଟିର ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଆଉ ସାତଟି କାର୍ଯ୍ୟ ଆଜି ସମ୍ପୂର୍ଣ୍ଣ ହୋଇଛି । ପାଞ୍ଚଟି ନୂତନ ଯୋଜନା ପ୍ରାୟ ୧୫୦୦କୋଟି ଟଙ୍କା ବ୍ୟୟ ଅଟକଳରେ ଆଜିଠାରୁ ଆରମ୍ଭ ହେଉଛି । ଆଜି ଗଙ୍ଗା ସ୍ୱଚ୍ଛତା ବୋଲି ଏକ ପ୍ରକଳ୍ପର ଭିତ୍ତିଭୂମି ୬୦୦କୋଟି ଟଙ୍କାର ସୃଷ୍ଟି କରାଯାଉଛି । ନଦୀ ସଫା ସହ କେନ୍ଦ୍ର ସରକାର ଅନେକ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ନିର୍ମାଣ ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରୁଛନ୍ତି । ଆସନ୍ତା ୧୦ରୁ ୧୫ ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହା କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

ପ୍ରଧାନମନ୍ତ୍ରୀ ଭାରତୀୟ ରେଳବାଇର ସଂସ୍କାର ଓ ବିକାଶକୁ ଦେଶର ବିକାଶ ସହ ସଂଯୋଗ କରିଥିଲେ । ସେଥିପାଇଁ କେନ୍ଦ୍ର ସରକାର ଆଧୁନିକ ରେଳ ଭିତ୍ତିଭୂମି ପ୍ରସ୍ତୁତି ନିମନ୍ତେ ରେକର୍ଡ ପୁଞ୍ଜି ବିନିଯୋଗ କରୁଛନ୍ତି । ଭାରତୀୟ ରେଳବାଇର ଅବସ୍ଥାନ୍ତର ନିମନ୍ତେ ଏକ ଦେଶବ୍ୟାପୀ ଅଭିଯାନ ଚାଲୁଛି ବୋଲି ସେ କହିଥିଲେ । ବନ୍ଦେ ଭାରତ, ତେଜସ୍‌, ହମ ସଫର ଭଳି ଆଧୁନିକ ଟ୍ରେନ ଏବଂ ବନ୍ଦେ ଡ୍ରୋମ ଭଳି କୋଚ, ନ୍ୟୁ ଜଳପାଇଗୁଡି ସମେତ ରେଳଷ୍ଟେସନ ନବୀକରଣ ରେଳପଥ ଦୋହରୀକରଣ ଏବଂ ବିଦୁତୀକରଣ ଏହି ଆଧୁନିକୀକରଣର ଦୃଷ୍ଟାନ୍ତ । 

ସେ ମଧ୍ୟ ପୂର୍ବ ଓ ପଶ୍ଚିମ ଉତ୍ସର୍ଗୀକୃତ ମାଲ ପରିବହନ କରିଡର ଯାହାକି ଲଜିଷ୍ଟିକ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି କହିଥିଲେ । ରେଳବାଇ କ୍ଷେତ୍ରରେ ନିରାପତ୍ତା, ସ୍ୱଚ୍ଛତା, ସମନ୍ୱୟ,ସାମର୍ଥ୍ୟ, ସମୟାନୁବର୍ତ୍ତୀତା ଓ ସୁବିଧା ନେଇ ପରିବର୍ତ୍ତନ ଉପରେ ଶ୍ରୀ ମୋଦୀ ଆଲୋକପାତ କରିଥିଲେ । ସେ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ଗତ ଆଠବର୍ଷ ମଧ୍ୟରେ ଭାରତୀୟ ରେଳବାଇ ଆଧୁନିକତାର ଭିତ୍ତିଭୂମିକୁ ନେଇ କାର୍ଯ୍ୟ କରୁଛି ଓ ଆଗାମୀବର୍ଷରେ ରେଳବାଇ ତା’ର ଆଧୁନିକ ଯାତ୍ରାରେ ଉପନୀତ ହୋଇଥିବା ଲକ୍ଷ୍ୟ ହାସଲ କରିବା ଉପଲବ୍ଧ ହେବ । ଗତ ୭୦ବର୍ଷ ମଧ୍ୟରେ ୨୦ହଜାର କିଲୋମିଟର ରେଳପଥ ବିଦ୍ୟୁତିକରଣ ହୋଇଥିବାବେଳେ, କେବଳ ୨୦୧୪ ପରଠାରୁ ୩୨ହଜାର କିଲୋମିଟର ରେଳପଥର ବିଦ୍ୟୁତୀକରଣ ସମ୍ପୂର୍ଣ୍ଣ ହୋଇଛି । ମେଟ୍ରୋ ରେଳ ପଦ୍ଧତି ଆଜି ଭାରତୀୟ ଦ୍ରୁତ ଅଭିବୃଦ୍ଧିର ଉଦାହରଣ ପାଲଟିଛି । “୨୦୧୪ ମସିହା ପୂର୍ବରୁ ମାତ୍ର ୨୫୦ କିଲୋମିଟର ମେଟ୍ରୋ ନେଟୱାର୍କ ଓ ସବୁଠାରୁ ଅଧିକ ଦିଲ୍ଲୀ-ଏନସିଆରରେ ଥିବାବେଳେ,ଗତ ସାତ-ଆଠ ବର୍ଷ ମଧ୍ୟରେ ଏହା ୨୪ଟି ନଗରୀକୁ ସମ୍ପ୍ରସାରିତ ହୋଇଛି । ଆଜି ମେଟ୍ରୋ ଦେଶର ବିଭିନ୍ନ ନଗରୀରେ ପ୍ରାୟ ଆଠଶହ କିଲୋମିଟର ରାସ୍ତା ପରିକ୍ରମା କରୁଛି । ଏକ ହଜାର କିଲୋମିଟରରୁ ଅଧିକ ମେଟ୍ରୋ ରାସ୍ତା କାର୍ଯ୍ୟ ଚାଲୁଛି ବୋଲି ଶ୍ରୀ ମୋଦୀ କହିଥିଲେ । 

ବିଗତ ବର୍ଷଗୁଡିକରେ ଭାରତରେ ଦେଖାଦେଇଥିବା ଆହ୍ୱାନଗୁଡିକ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହା ଦେଶ ବିକାଶ ଉପରେ ପ୍ରବଳ ନକରାତ୍ମକ ପ୍ରଭାବ ପକାଇଥିବା ପ୍ରକାଶ କରିଥିଲେ । ଦେଶର ଭିତ୍ତିଭୂମି ବିକାଶ ଉପରେ କାର୍ଯ୍ୟ କରୁଥିବା ବିଭିନ୍ନ ସଂସ୍ଥା ଗୁଡିକ ମଧ୍ୟରେ ସମନ୍ୱୟ ଅଭାବକୁ ସେ ଦର୍ଶାଇଥିଲେ । ବିଭିନ୍ନ ପରିବହନ ସଂସ୍ଥା ମଧ୍ୟରେ ସମନ୍ୱୟ ଅଭାବର ନଜିର ଦେଇ ସେ ଗୋଟିଏ ସରକାରୀ ସଂସ୍ଥା ସମ୍ପର୍କରେ ତଥ୍ୟ ଅନ୍ୟ ସଂସ୍ଥା ପାଖରେ ନ ଥିଲା ବୋଲି କହିଥିଲେ । 

“ଏହାର ସିଧାସଳଖ ପ୍ରଭାବ ଦେଶର ସଚ୍ଚୋଟ ଟିକସଦାତାଙ୍କ ଉପରେ ପଡିଥିଲା” ବୋଲି ସେ କହିଥିଲେ । ଯେତେବେଳେ ସେମାନଙ୍କ କଷ୍ଟକର ରୋଜଗାର ଅର୍ଥ ଗରିବଙ୍କ ପାଖକୁ ଯିବା ପରିବର୍ତ୍ତେ ଦୁର୍ନୀତି ଖୋର ଅଧିକାରୀଙ୍କ ପକେଟକୁ ଯିବ ସେତେବେଳେ ଅସନ୍ତୋଷ ବୃଦ୍ଧି ପାଇବା ସ୍ୱାଭାବିକ ବୋଲି ସେ କହିଥିଲେ । ସଂସ୍ଥାଗୁଡିକ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ସରକାର ପିଏମ୍ ଗତିଶକ୍ତି ମଞ୍ଚ ଅଧୀନରେ ଆସିବେ । ସେ ଆହୁରି କହିଥିଲେ ପିଏମ ଗତିଶକ୍ତି କେବଳ ଦେଶର ବିଭିନ୍ନ ପରିବହନ ମାଧ୍ୟମରେ ସୀମିତ ନୁହଁ ବରଂ, ଏଗୁଡିକ ମଲଟି ମଡେଲ ପ୍ରକଳ୍ପ ଗୁଡିକୁ ମଧ୍ୟ ଗତି ପ୍ରଦାନ କରିଥାଏ । ନୂତନ ବିମାନବନ୍ଦର, ଜଳପଥ, ବନ୍ଦର ଓ ସଡକ ନିର୍ମାଣ ଦ୍ୱାରା ନାଗରିକମାନଙ୍କ ନିମନ୍ତେ ନିର୍ବିଘ୍ନ ସଂଯୋଗ ବ୍ୟବସ୍ଥା ସୁନିଶ୍ଚିତ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

“ଏକବିଂଶ ଶତାବ୍ଦୀରେ ଦେଶକୁ ଆଗେଇ ନେବାକୁ ହେଲେ ସାମର୍ଥ୍ୟର ସଠିକ୍ ଉପଯୋଗ କରିବାକୁ ହେବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦେଶର ଜଳପଥ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦିନଥିଲା ଯେତେବେଳେ ସମସ୍ତ କାର୍ଯ୍ୟ, ବ୍ୟବସାୟ ଓ ପର୍ଯ୍ୟଟନ ପାଇଁ ଜଳପଥ ଉପରେ ଜନସାଧାରଣ ବହୁତ ନିର୍ଭରଶୀଳ ଥିଲେ । ମାତ୍ର ପରେ ପରେ ଦାସତ୍ୱ ଯୋଗୁଁ ଏହା ଧ୍ୱଂସ ହୋଇଗଲା ।” ଭାରତ ଏହାର ଜଳଶକ୍ତିକୁ ମଜବୁତ କରିବାକୁ ପୁଣି ଉଦ୍ୟମ କରୁଛି ବୋଲି ଶ୍ରୀ ମୋଦୀ କହିଥିଲେ । ଦୁଇ ନଦୀ ମଧ୍ୟରେ ସଂଯୋଗ ସ୍ଥାପନ ପାଇଁ ଭାରତ-ବାଂଲାଦେଶ ମଧ୍ୟରେ ଗଙ୍ଗା-ବ୍ରହ୍ମପୁତ୍ର ପ୍ରକଳ୍ପ ହାତକୁ ନିଆଯାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଜାନୁୟାରୀ ୧୩, ୨୦୨୩ରେ ହେବାକୁ ଥିବା କାଶୀରୁ ଦିବ୍ରୁଗଡ ଜଳଜାହାଜ ଯାତ୍ରା ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଏହି ୩୨୦୦ କିଲୋମିଟର ଯାତ୍ରା ବିଶ୍ୱରେ ପ୍ରଥମ ଓ ଦେଶରେ ଜଳ ପର୍ଯ୍ୟଟନର ଏହା ପ୍ରତିଫଳନ ବୋଲି କହିଥିଲେ । 

ପଶ୍ଚିମବଙ୍ଗ ଜନସାଧାରଣଙ୍କ ଦେଶପ୍ରେମ ଓ ଦେଶର ବିଭିନ୍ନ ସ୍ଥାନ ଭ୍ରମଣ କରିବାରେ ଉତ୍ସାହ ଦେଶର ସସ୍କୃତିକ ଓ ଐତିହ୍ୟ ପ୍ରତି ସେମାନଙ୍କ ଜିଜ୍ଞାସା ଅନନ୍ୟ ବୋଲି ସେ କହିଥିଲେ । ବଙ୍ଗଳାର ଜନସାଧାରଣଙ୍କ ଉତ୍ସାହ ହେଉଛି ଦେଶ ଆଗ ଓ ଏପରିକି ପର୍ଯ୍ୟଟନରେ ମଧ୍ୟ ତାହା ପ୍ରତିଫଳିତ” ବୋଲି ଶ୍ରୀ ମୋଦୀ କହିଥିଲେ । “ଯେତେବେଳେ ଦେଶର ସଂଯୋଗ ବ୍ୟବସ୍ଥା ଉନ୍ନତ ହେବ, ରେଳବାଇ, ଜଳପଥ ଓ ରାଜପଥ ଅଧିକ ଉନ୍ନତ ହେବ, ସେତେବେଳେ ଯାତ୍ରା ମଧ୍ୟ ସୁଗମ ହେବ ଓ ବଙ୍ଗବାସୀ ମଧ୍ୟ ତା’ର ଲାଭ ପାଇବେ”ବୋଲି ଶ୍ରୀ ମୋଦୀ କହିଥିଲେ ।

 ପ୍ରଧାନମନ୍ତ୍ରୀ ଗୁରୁ ରବୀନ୍ଦ୍ର ନାଥଙ୍କ କେଇ ଧାଡି କବିତା ଆବୃତ୍ତି କରିଥିଲେ ଯାହାର ଅନୁବାଦ ହେଲା “ ମୋ ଦେଶ ମାଟିରେ ମୁଁ ମଥାନତ୍ କରୁଛି’ କହି ତାଙ୍କର ଉଦ୍‌ବୋଧନ ସମାପ୍ତି ଘଟାଇଥିଲେ । ସ୍ୱାଧୀନତାର ଅମୃତକାଳରେ ସମସ୍ତେ ମାତୃଭୂମିକୁ ପ୍ରାଧାନ୍ୟ ଦେଇ ଏକାଠି କାମ କରିବା ଦରକାର ବୋଲି ସେ କହିଥିଲେ । “ସମଗ୍ର ବିଶ୍ୱ ଭାରତକୁ ଅନେକ ଆଶା ଭରସା ସହ ଚାହିଁ ରହିଛି” ଦେଶର ପ୍ରତ୍ୟେକ ନାଗରିକ ଦେଶସେବା ପାଇଁ ନିଜକୁ ଉତ୍ସର୍ଗ କରିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ, ପଶ୍ଚିମବଙ୍ଗ ରାଜ୍ୟପାଳ ଡକ୍ଟର ସି.ଭି.ଆନନ୍ଦ ବୋଷ, କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜନ୍ ବାର୍ଲା, ଡକ୍ଟର ସୁବାଷ ସରକାର ଓ ଶ୍ରୀ ନିଶୀଥ ପରମାଣିକ ଓ ସଂସଦ ସଦସ୍ୟ ଶ୍ରୀ ପ୍ରସୂନ ବାନାର୍ଜୀ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ । 

ପୃଷ୍ଟଭୂମି-ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହାଓଡା ଷ୍ଟେସନରେ ହାଓଡା-ନ୍ୟୁ ଜଳପାଇଗୁଡି ମଧ୍ୟରେ ସପ୍ତମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ତାହାର ଚଳାଚଳ ଶୁଭାରମ୍ଭ କରିଥିଲେ । ଏହି ଅତ୍ୟାଧୁନିକ ମଧ୍ୟମ ଉଚ୍ଚଗତି ଯୁକ୍ତ ଟ୍ରେନରେ ସମସ୍ତ ଯାତ୍ରୀ ସୁବିଧା ରହିଛି । ଏହି ଟ୍ରେନ ମାଲଦା ଟାଉନ, ବାରସୋର ଓ କିଶନଗଞ୍ଜ ଷ୍ଟେସନରେ ଅଟକିବ । 

ପ୍ରଧାନମନ୍ତ୍ରୀ ମଧ୍ୟ ଜୋକା-ଏସ୍‌ପ୍ଲାନେଡ ଓ ମେଟ୍ରୋ ପ୍ରକଳ୍ପ (ପର୍ପଲଲାଇନ) ଅନ୍ତର୍ଗତ ଜୋକା-ତାରତଲା ମେଟ୍ରୋ ରାସ୍ତାର ଉଦ୍‌ଘାଟନ କରିଥିଲେ । ଏହି ୬.୫ କିଲୋମିଟର ରାସ୍ତାରେ ଛଅଟି ଷ୍ଟେସନ ରହିଛି । ସେଗୁଡିକ ହେଲା ଜୋକା, ଠାକୁରପୁକୁର, ସଖେରବାଜାର, ବିହାଲା ଚୌରସ୍ତା, ବିହେଲା ବଜାର ଏବଂ ତାରତଲା ଏହା ୨୪୭୫କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟରେ ନିର୍ମିତ ହୋଇଛି । କୋଲକାତା ମହାନଗରୀର ଦକ୍ଷିଣପଟ ଯେପରିକି ସରସୁନା, ଡାକଘର, ମୁଚିପାଡା ଓ ଦକ୍ଷିଣ ଚବିଶ ପ୍ରଗଣାର ଯାତ୍ରୀମାନେ ଏହି ପ୍ର୍‌କଳ୍ପ ଉଦ୍‌ଘାଟନ ଫଳରେ ବିଶେଷ ଉପକୃତ ହେବେ ।

ପ୍ରଧାନମନ୍ତ୍ରୀ ମଧ୍ୟ ଚାରିଟି ରେଳପ୍ରକଳ୍ପ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସେଗୁଡିକ ମଧ୍ୟରେ ରହିଛି ବୋଇଅଚି-ଶକ୍ତିଗଡ ତୃତୀୟ ଲାଇନ ଯାହା ୪୦୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଡାଙ୍କୁଣୀ-ଚନ୍ଦନପୁର ଚତୁର୍ଥ ଲାଇନ ପ୍ରକଳ୍ପ ଯାହା ୫୬୫କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଛି । ନିମଟିଟା-ନ୍ୟୁ ଫାରାକ୍କା ଡବଲ ଲାଇନ ଯାହା ୨୫୪କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଅମ୍ବାରୀ-ଫାଲକାଟା -ନ୍ୟୁ ମାୟାଁଗୁଡି-ଗୁମନୀହାଟ ହୋହରା ପ୍ରକଳ୍ପ ୧୦୮୦କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟରେ ନିର୍ମିତ ହୋଇଛି । ପ୍ରଧାନମନ୍ତ୍ରୀ ୩୩୫ କୋଟି ଟଙ୍କାର ନ୍ୟୁ ଜଳପାଇଗୁଡି ରେଳଷ୍ଟେସନ ନବୀକରଣ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଥିଲେ ।

 

*****

SM/SLP