କେନ୍ଦ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣର ଠିକ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦୀ ବେଶ୍ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ । ପ୍ରତ୍ୟୁତ୍ପନ୍ନମତି ସମ୍ପନ୍ନ ପ୍ରଧାନମନ୍ତ୍ରୀ ନିଜସ୍ୱ ଶୈଳୀରେ ସମ୍ପାଦକମାନଙ୍କ ସହ ଆଳାପ-ଆଲୋଚନା କରିଥିଲେ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର, ହେଲେ ଠିକ୍ ମାପ-ଚୁପରେ ଏବଂ ସଠିକ ଢଙ୍ଗରେ । ସରକାରଙ୍କ ପ୍ରୟାସ ଏବଂ ଉପଲବ୍ଧିକୁ ନେଇ ପ୍ରଶ୍ନରେ ମନଖୋଲା ଏବଂ ବିସ୍ତୃତ, କିନ୍ତୁ ରାଜନୀତି କଥା ହେଲେ ସଂକ୍ଷିପ୍ତ ।
ପହିଲି ବର୍ଷାରେ ଭିଜା 7, ରେସକୋର୍ସ ରୋଡର ନିଜର ବୈଠକ ଘରେ ମୋଦୀ ପ୍ରଶ୍ନଗୁଡିକର ଉତ୍ତର ଦେଇ କହନ୍ତି ଯେ, ସରକାର ଠିକ୍ ଦିଗରେ କାର୍ଯ୍ୟ କରୁଛି ଏବଂ ଏହାର ପରିଣାମ ମଧ୍ୟ ଦୃଷ୍ଟିଗୋଚର ହେଲାଣି । ସେ କହିଲେ ଯେ, ଛୋଟ ଛୋଟ ପଦକ୍ଷେପ ମଧ୍ୟ ବଡ ବଡ ପରିବର୍ତ୍ତନ ଆଣିଥାଏ । ସରକାର ପ୍ରତ୍ୟେକଙ୍କୁ ସାମିଲ୍ କରି ଏହି ସାର୍ଥକ ପରିବର୍ତ୍ତନକୁ ଗତିଶୀଳ କରିବାକୁ ଚାହୁଁଛନ୍ତି ।
ଦରବୃଦ୍ଧି ଏବଂ ବେକାରୀ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସରକାରଙ୍କୁ କାଠଗଡାରେ ଠିଆ କରିବାର ଚେଷ୍ଟାରେ ବ୍ୟସ୍ତ, କିନ୍ତୁ ମୋଦୀଙ୍କ ମତରେ – ଏହାର ମୁକାବିଲା ପାଇଁ ପ୍ରସ୍ତୁତି ହୋଇସାରିଛି । ଏହି କ୍ରମରେ ସେ ରାଜନୈତିକ ଦଳମାନଙ୍କ ସହ ଆଲୋଚନା ପାଇଁ ରାଜି ନ ହେବାର ଅଭିଯୋଗକୁ ଖାରଜ କରିଥିଲେ ।
ଜିଏସଟି ବିଲ୍ ଉପରେ ପ୍ରଧାନମନ୍ତ୍ରୀଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା, ସେତେବେଳେ ତାଙ୍କର ଉତ୍ତର ଥିଲା, ଆମେ ପ୍ରତ୍ୟେକ ଅଧିବେଶନରେ ଆଶାବାଦୀ ରହୁଛୁ ଏବଂ ପ୍ରଚେଷ୍ଟା କରୁଛୁ । ନଇ ଦୁନିୟା ର ସହଯୋଗୀ ପ୍ରକାଶନ ଦୈନିକ ଜାଗରଣର ବରିଷ୍ଠ କାର୍ଯ୍ୟକାରୀ ସମ୍ପାଦକ ପ୍ରଶାନ୍ତ ମିଶ୍ରଙ୍କ ସହିତ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ କଥାବାର୍ତ୍ତାର କିଛି ଅଂଶ –
ପ୍ରଶ୍ନ- ମଙ୍ଗଳବାର ଦିନ ହେବାକୁ ଥିବା କେବିନେଟ ସ୍ତରୀୟ ଅଦଳବଦଳ କେତେ ବଡ ଧରଣର ହେବ ?
ଉ- କାଲି ଆପଣ ସ୍ୱୟଂ ଦେଖିପାରିବେ ।
ପ୍ରଶ୍ନ – କଣ କିଛି ମନ୍ତ୍ରୀଙ୍କୁ ହଟାଯିବ ?
ଉ- ( ଟିକିଏ ସତର୍କ ହୋଇ ମୁରୁକି ହସ ସହ ) ଏହା ସମ୍ପ୍ରସାରଣ ।
ପ୍ରଶ୍ନ – ଏହି ସମ୍ପ୍ରସାରଣର ରୂପ କିଭଳି ହେବ ?
ଉ- ସରକାରଙ୍କ ପ୍ରାଥମିକତା ଆଧାରରେ ମନ୍ତ୍ରୀମଣ୍ଡଳ ସମ୍ପର୍କରେ ନିଷ୍ପତ୍ତି ହେବା ଉଚିତ । ବଜେଟ ସରକାରଙ୍କର ପ୍ରାଥମିକତାକୁ ଦର୍ଶାଉଛି । ଏହି ସମ୍ପ୍ରସାରଣରେ ମଧ୍ୟ ଏହି ଉପରେ ହି ଗୁରୁତ୍ୱ ଦିଆଯିବ ।
ପ୍ରଶ୍ନ – ଆପଣଙ୍କ ସରକାର ପ୍ରାୟତଃ ପ୍ରତି ପନ୍ଦର ଦିନରେ କିଛି ନା କିଛି ନୂଆ ନିଷ୍ପତ୍ତି ଗ୍ରହଣ କରୁଛି । କିନ୍ତୁ ଏହି ଦୁଇ ବର୍ଷରେ ଆପଣ କାହାକୁ ନିଜର ସବୁଠାରୁ ବଡ ସଫଳତା ଏବଂ କେଉଁ ଘଟଣାକୁ ନିରାଶା ବୋଲି ମନେ କରୁଛନ୍ତି ?
ଉ- ଆମ ସରକାର ପ୍ରାୟତଃ ପ୍ରତି ପନ୍ଦର ଦିନରେ କିଛି ନା କିଛି ନୂଆ ନିଷ୍ପତ୍ତି ଗ୍ରହଣ କରୁଥିବା କଥାକୁ ଦୈନିକ ଜାଗରଣ ଭଳି ସମ୍ବାଦପତ୍ର ଲକ୍ଷ୍ୟ କରି ଥିବାରୁ ମୁଁ ଖୁସି । ଆମ ଦେଶର ପୂର୍ବ ସରକାରମାନଙ୍କ ଯୋଗୁ ହିଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବିଗତ ସରକାରମାନଙ୍କରେ ଏମିତି ହେଉଥିଲା ଯେ, କିଛି ଯୋଜନା ପ୍ରସ୍ତୁତ ହୋଇଗଲା କିମ୍ବା କିଛି ନିଷ୍ପତ୍ତି ହୋଇଗଲା ତେବେ ଏହାକୁ ସମ୍ପୂର୍ଣ୍ଣ ପାଞ୍ଚ ବର୍ଷର ସଫଳତା ରୂପେ ବର୍ଣ୍ଣନା କରାଯାଉଥିଲା । ନିର୍ବାଚନ ସମୟରେ ସେହି ଯୋଜନାକୁ ନେଇ ଡେଙ୍ଗୁରା ପିଟା ଯାଉଥିଲା। ନିର୍ବାଚନରେ ବିଜୟ ପାଇଁ ଏଭଳି ଅନେକ ଉପାୟ କରାଯାଉଥିଲା ଏବଂ ଏହା ଦେଶର ବହୁତ କ୍ଷତି କରିଛି।
ଆମର ପ୍ରଚେଷ୍ଟା ଯେ, ବ୍ୟକ୍ତି, ସମାଜ ଏବଂ ରାଷ୍ଟ୍ରଜୀବନର ସମସ୍ତ ଦିଗକୁ ନୂତନ ଶକ୍ତି ପ୍ରାପ୍ତ ହେଉ, ନୂଆ ଗତି ପ୍ରାପ୍ତ ହେଉ ଏବଂ ସେଥିପାଇଁ ପ୍ରତି ସପ୍ତାହରେ କିଛି ନା କିଛି ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି । ଏହାର କେନ୍ଦ୍ରରେ ରହିଛି ଗରିବର ହିତ ଏବଂ ଭାରତର ବିକାଶ । ଯେମିତି କି ମାତ୍ର କିଛି ଦିନ ତଳେ ଆମ ସରକାର ନୂଆ ଟେକ୍ସଟାଇଲ ପଲିସି ବା ବୟନ ନୀତି ଘୋଷଣା କରିଛନ୍ତି । ଏହି ନୀତି, ବୟନଶିଳ୍ପ କ୍ଷେତ୍ରରେ ଉତ୍ପାଦନ ଏବଂ ରପ୍ତାନୀ ବୃଦ୍ଧି ପାଇଁ ଉଦ୍ଦିଷ୍ଟ, କିନ୍ତୁ ଏହାର ସବୁଠାରୁ ବଡ ଲକ୍ଷ୍ୟ ହେଲା, ଏକ କୋଟି ରୋଜଗାର ସୃଷ୍ଟି କରିବା । ସେହିପରି ନିକଟ ଅତୀତରେ ଆମେ ଦୋକାନ ଏବଂ ଶପିଂ ମଲ୍ ବର୍ଷ ତମାମ ଚବିଶ ଘଣ୍ଟା ଖୋଲା ରଖିବା ପାଇଁ ଅନୁମତି ଦେଉଥିବା ମଡେଲ୍ ଆଇନକୁ ଅନୁମୋଦନ କରିଛୁ । ଅର୍ଥାତ୍, ଦୋକାନ ମାଲିକ ନିଜେ ସ୍ଥିର କରିବ ଯେ, ସେ କେତେବେଳେ ଦୋକାନ ଖୋଲିବ, ରାତିରେ ବନ୍ଦ କରିବ କି ନାହିଁ । ରାଜ୍ୟ ସରକାରମାନେ ଯଦି ଏହି ଆଇନକୁ କାର୍ଯ୍ୟକାରୀ କରନ୍ତି ତେବେ ନିଶ୍ଚିତ ଭାବରେ ଏହାଦ୍ୱାରା ଲକ୍ଷ ଲକ୍ଷ ଲୋକ, ଯୁବକମାନଙ୍କୁ ଚାକିରୀ ମିଳିବ ।
ଜୁନ ମାସରେ ହିଁ ଆମେ ନୂଆ ବିମାନଚଳାଚଳ ନୀତିକୁ ମଞ୍ଜୁରି ଦେଇଛୁ । ଆମେ ଛୋଟ ଛୋଟ ସହରକୁ ଉଡାଜାହାଜ ଦ୍ୱାରା ସଂଯୁକ୍ତ କରିବାକୁ ଚାହୁଁଛୁ । ମଇ ମାସରେ ମୁଁ ଉତ୍ତର ପ୍ରଦେଶର ବାଲିଆରୁ ହିଁ ଉଜ୍ଜ୍ୱଳା ଯୋଜନାର ଶୁଭାରମ୍ଭ କରିଛି । ଆସନ୍ତା ତିନି ବର୍ଷ ମଧ୍ୟରେ ପାଞ୍ଚ କୋଟି ଗରିବ ପରିବାରଙ୍କୁ ମାଗଣା ଗ୍ୟାସ କନେକ୍ସନ ଯୋଗାଇଦେବାର ଆମର ଲକ୍ଷ୍ୟ ରହିଛି । ଆମର ଧ୍ୟାନ ପ୍ରତ୍ୟେକ ଶ୍ରେଣୀ ଉପରେ, ପ୍ରତ୍ୟେକ ସ୍ତର ଉପରେ ରହିଛି । ମୋ ସରକାର ସକାରାତ୍ମକ ଚିନ୍ତାଧାରା ସହ ଯୋଜନା ପ୍ରସ୍ତୁତ କରୁଛି ଏବଂ ଏହାକୁ କାର୍ଯ୍ୟକାରୀ କରୁଛି ।
ପ୍ରଶ୍ନ – ନିକଟ ଅତୀତରେ ସରକାର ଏବଂ ଭାରତୀୟ ଜନତା ପାର୍ଟି ବିକାଶ ପର୍ବ ପାଳନ କରିଛନ୍ତି । ଏହାର ଅର୍ଥ ଏହା ନୁହେଁ ଯେ, ସରକାର ସ୍ୱୟଂ ଏହାକୁ ନେଇ ଆଶ୍ୱସ୍ତ ନୁହନ୍ତି ଯେ, କେନ୍ଦ୍ର ସରକାରଙ୍କ ଉପଲବ୍ଧି ଏବଂ ଯୋଜନାଗୁଡିକ ନିମ୍ନ ସ୍ତରକୁ ପହଞ୍ଚି ପାରୁଛି ? ପରିସ୍ଥିତି ଯଦି ଏଭଳି ତେବେ ସେଥିପାଇଁ ଆପଣ କାହାକୁ ଦାୟୀ ବୋଲି ଭାବୁଛନ୍ତି ?
ଉ- ମୋ ସରକାର ଲୋକଙ୍କ ନିକଟକୁ ଯିବାରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି । ଆପଣଙ୍କର ଏହି କଥା ହିଁ ମୋତେ ଆଶ୍ଚର୍ଯ୍ୟାନ୍ୱିତ କରୁଛି । ଯେବେଠାରୁ ଦେଶ ସ୍ୱାଧୀନ ହେଲା, ସେବେ ଠାରୁ ଯଦି ସରକାରମାନେ ନିଜ କାମର ହିସାବ ଦେଇଥାନ୍ତେ, ତେବେ ଦେଶର ଏତେ ଅବନତି ହୋଇ ନ ଥାନ୍ତା । ଗଣତନ୍ତ୍ରରେ ସରକାରଙ୍କୁ ଜନତାଙ୍କ ନିକଟକୁ ଯାଇ ପଇସା-ପଇସାର ହିସାବ ଦେବାକୁ ହୁଏ । ମୋ ସରକାର ଗଣତନ୍ତ୍ରର ଏହି ପରମ୍ପରାକୁ ହିଁ ପାଳନ କରିବାର ଚେଷ୍ଟା କରୁଛି ।
ଦ୍ୱିତୀୟ କଥା ହେଲା, ସରକାର ଏବଂ ଜନତା ମଧ୍ୟରେ ଅନ୍ତର ରହିବା ଉଚିତ ନୁହେଁ । ସରକାର ଏବଂ ଜନତା ଏକ ସଙ୍ଗେ ମିଶି କାର୍ଯ୍ୟ କରିବା ଉଚିତ । ଏହି ସମୟରେ ଆଲୋଚନାର ମଧ୍ୟ ନିଜସ୍ୱ ଗୁରୁତ୍ୱ ରହିଛି । ମୋତେ ଲାଗୁଛି ଯେ, ଆମେ ଯିବା ଫଳରେ ପରିସ୍ଥିତି ବଦଳୁଛି, ଆଲୋଚନା ବୃଦ୍ଧି ପାଉଛି ।
ତୃତୀୟ କଥା ହେଲା ଯେ, ଜନତା ପାଖକୁ ସିଏ ଯାଇପାରେ, ଯିଏ କାମ କରିଥାଏ । ଆଗରୁ ଲୋକ ଏଥିପାଇଁ ଯାଉ ନ ଥିଲେ କାରଣ ସେମାନେ କିଛି କାମ କରି ନ ଥିଲେ । ଏବେ ଆମେ କାମ କରୁଛୁ, ତେଣୁ ଜନତା ନିକଟକୁ ମଧ୍ୟ ଯାଉଛୁ ।
ପ୍ରଶ୍ନ – ବିରୋଧୀଙ୍କ ଅଭିଯୋଗ ଯେ, ମୋଦୀ ନିଜ ଭାବମୂର୍ତ୍ତି ପାଇଁ କାମ କରୁଛନ୍ତି ।
ଉ- ମୋଦୀ କେବେହେଲେ ନିଜ ଭାବମୂର୍ତ୍ତି ପାଇଁ କାମ କରନ୍ତି ନାହିଁ । ଦେଶର ଭାବମୂର୍ତ୍ତି, ଦେଶର ସୁରକ୍ଷା ଏବଂ ଆନ୍ତର୍ଜାତିକ ଦରବାରରେ ଏହାର ପ୍ରତିଷ୍ଠା ବୃଦ୍ଧି କରିବା ଦେଶର ପ୍ରଧାନମନ୍ତ୍ରୀର କାର୍ଯ୍ୟ । ମୁଁ ସେତିକି ମାତ୍ର କରୁଛି । କିଛି ଲୋକ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି ।
ପ୍ରଶ୍ନ – ପ୍ରଧାନମନ୍ତ୍ରୀ ନିଜ ଦଳର ସାଂସଦମାନଙ୍କ କାର୍ଯ୍ୟକୁ ନେଇ ସେତିକି ଆଶ୍ୱସ୍ତ କି ? ସମସ୍ତେ ଜାଣିଛନ୍ତି ଯେ, ସେମାନଙ୍କୁ ତୃଣମୂଳ ସ୍ତରକୁ ଯିବା ପାଇଁ ଆପଣଙ୍କ ତରଫରୁ ବାରମ୍ବାର ସ୍ମରଣ କରାଇ ଦିଆଯାଉଛି । ସେମାନଙ୍କ କାମକୁ ନେଇ ଆପଣ ସେମାନଙ୍କୁ କେତେ ନମ୍ବର ଦେବେ ?
ଉ- ଆପଣ ଯାହା କହୁଛନ୍ତି, ତାହା ଆଜିକୁ 25-30 ବର୍ଷ ପୂର୍ବ ସମୟରେ କିଛି ମାତ୍ରାରେ ଠିକ ହୋଇପାରେ, ଯେତେବେଳେ ସାଂସଦମାନେ କେବଳ ନିର୍ବାଚନ ବେଳେ ଜନତାଙ୍କ ପାଖକୁ ଯାଉଥିଲେ । ଆଜିର ରାଜନୈତିକ ଜୀବନ ତୀବ୍ର ପ୍ରତିଯୋଗୀତାରେ ପରିପୂର୍ଣ୍ଣ । ଜନତାଙ୍କ ଆଶା ମଧ୍ୟ ଖୁବ ଅଧିକ । ଲୋକମାନଙ୍କ ମଧ୍ୟରେ ସଚେତନତାର ସ୍ତର ମଧ୍ୟ ବହୁ ଉଚ୍ଚରେ ରହିଛି । ଏଭଳି ପରିସ୍ଥିତିରେ ଜଣେ ସାଂସଦ ନିଜ ନିର୍ବାଚନ ମଣ୍ଡଳୀଠାରୁ ବିଚ୍ଛିନ୍ନ ହୋଇ ରହିପାରିବା ସମ୍ଭବ ହିଁ ନୁହେଁ । କେବଳ ମୋ ଦଳ ଉପରେ ନୁହେଁ, ସମସ୍ତ ଦଳ ଉପରେ ଜନତାର ଚାପ ଖୁବ ବଢିଯାଇଛି । ଦ୍ୱିତୀୟରେ, ଏଠାରେ ଜଣେ ସାଂସଦର ନିର୍ବାଚନ ମଣ୍ଡଳୀରେ ପ୍ରାୟ 20 ଲକ୍ଷ ଲୋକ ରହୁଛନ୍ତି । ଏମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବା, କଥାବାର୍ତ୍ତା ଜାରି ରଖିବା ସହଜ କାମ ନୁହେଁ । ସେମାନେ କେତେ ପରିଶ୍ରମ କରୁଛନ୍ତି ତାହା ଆପଣ କଳ୍ପନା କରିପାରୁଥିବେ । ତେଣୁ ତାଙ୍କର ଯେତେ ପ୍ରଶଂସା କଲେ ମଧ୍ୟ ତାହା କମ ହେବ ।
ପ୍ରଶ୍ନ- କିଛି ବିଶେଷ ଯୋଜନା ଯାହା ଆପଣଙ୍କ ମତରେ ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁଙ୍କ ସ୍ଥିତିରେ ଆମୂଳଚୂଳ ପରିବର୍ତ୍ତନ କରିଦେବ… । ଏଥିପାଇଁ ଆପଣ କିଛି ସମୟ ସୀମା ଧାର୍ଯ୍ୟ କରିପାରିବେ କି ?
ଉ- ଆମ ସରକାରର ମନ୍ତ୍ର ହେଲା – ସମସ୍ତଙ୍କ ସହଯୋଗ, ସମସ୍ତଙ୍କ ବିକାଶ । ସରକାରଙ୍କ କୌଣସି ଯୋଜନା କାହାରି ସହ ଭେଦଭାବ କରେ ନାହିଁ । ଯଦି କୌଶଳ ବିକାଶ ହେବ, ତେବେ ସମସ୍ତଙ୍କର ହେବ । ମୁଁ ଯେତେବେଳେ ଦେଶର 60 ପ୍ରତିଶତ ଯୁବକମାନଙ୍କ କଥା କହେ, ତାହା ଏ କଥା ଭାବିକରି କହେନି ଯେ, ଏଥିରେ କିଏ ଅଛି କିଏ ନାହିଁ । ମୋ ପାଇଁ ଅମୃତସରରେ ରହୁଥିବା ଯୁବକକୁ ରୋଜଗାର ଯୋଗାଇବା ଯେତିକି ଆବଶ୍ୟକ, ଔରଙ୍ଗାବାଦର ଯୁବକ ପାଇଁ ମଧ୍ୟ ମୁଁ ସେତିକି ଚିନ୍ତିତ । ମୁଁ ଯେତେବେଳେ ମାତ୍ର ଏକ ଟଙ୍କାରେ ଜୀବନ ବୀମା ଦେବା କଥା କହୁଛି ସେତେବେଳେ ମୋ ମନରେ ଜାତି-ବର୍ଣ୍ଣ କଥା ନୁହେଁ କିନ୍ତୁ ସେହି ଗରିବର କଥା ରହିଥାଏ ଯାହାକୁ ସାମାଜିକ ସୁରକ୍ଷା (ସୋସିଆଲ ସିକ୍ୟୁରିଟି) କଣ ତାହାର ଜ୍ଞାନ ସୁଦ୍ଧା ନହିଁ । ଯେତେବେଳେ ମୁଁ ଚାଷୀଙ୍କୁ ସର୍ବନିମ୍ନ ପ୍ରିମିୟମରେ ଫସଲ ବୀମା କଥା କହେ, ସେତେବେଳେ ଏ କଥା ଭାବି ନ ଥାଏ ଯେ ଏହାଦ୍ୱାରା କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳର ଚାଷୀଙ୍କୁ ଲାଭ ହେବ । ମୁଁ ଯେତେବେଳେ ବେଟି ବଚାଓ- ବେଟି ପଢାଓ କଥା କହେ ସେତେବେଳେ ମୋର ଉଦ୍ଦେଶ୍ୟ କନ୍ୟା ଭ୍ରୁଣହତ୍ୟାକୁ ରୋକିବା, ତାହା ପଛେ ଯେ କୌଣସି ଅଞ୍ଚଳରେ ହେଉଥାଉ । ଯେତେବେଳେ ମୁଁ ମନେ ମନେ ଠିକ କରେ ଯେ, ଯେଉଁ 18 ହଜାର ଗାଁ ରେ ସ୍ୱାଧୀନତା ପରେ ଆଜି ପର୍ଯ୍ୟନ୍ତ ବିଜୁଳି ପହଞ୍ଚି ନାହିଁ, ସେଗୁଡିକୁ ଆଲୋକିତ କରିବାକୁ ହେବ, ସେତେବେଳେ ଏ କଥା ଚିନ୍ତା କରେନି ଯେ ଗାଁ ର ସମୀକରଣ କଣ ? ଅନ୍ୟଥା ମୁଁ ଏଭଳି ପରିସ୍ଥିତି ମଧ୍ୟ ଦେଖିଛି ଯେ, ବିଜୁଳି ଖୁଣ୍ଟ ଲାଗିବ କି ନାହିଁ ତାହା ମଧ୍ୟ ଜାତି ସ୍ଥିର କରୁଥିଲା । ବିଜୁଳି ତାରରେ କରେଣ୍ଟ ରହିବ କି ନାହିଁ, ତାହା ମଧ୍ୟ ଏ କଥାକୁ ନେଇ ସ୍ଥିର ହେଉଥିଲା ଯେ, ଆପଣଙ୍କ ଜାତି କଣ ?
କିନ୍ତୁ ଏ କଥା ମଧ୍ୟ ସତ ଯେ, ଆମ ସରକାରଙ୍କ ଯୋଜନାଗୁଡିକରୁ ସବୁଠାରୁ ଅଧିକ ଲାଭ ଦଳିତମାନଙ୍କୁ ହିଁ ହେଉଛି । ମୁଦ୍ରା ଯୋଜନା ଅଧୀନରେ ଏ ପର୍ଯ୍ୟନ୍ତ ପ୍ରାୟ 70 ଲକ୍ଷ ଦଳିତ ଏବଂ ତଫସିଲଭୁକ୍ତ ଜନଜାତିର ଲୋକଙ୍କୁ ଋଣ ମିଳିଛି । ଷ୍ଟାଣ୍ଡ ଅପ୍ ଇଣ୍ଡିଆ ମାଧ୍ୟମରେ ଆମେ ଦେଶରେ ଅଢେଇ ଲକ୍ଷରୁ ଅଧିକ ତଫସିଲଭୁକ୍ତ ଉପଜାତିର ଉଦ୍ୟୋଗକାରୀ ସୃଷ୍ଟି କରିବାକୁ ଯାଉଛୁ । କ୍ରେଡିଟ ଏନହାନ୍ସମେଣ୍ଟ ଗ୍ୟାରେଣ୍ଟି ଫଣ୍ଡ ଏବଂ ଭେଞ୍ଚର କ୍ୟାପିଟାଲ ଫଣ୍ଡ ଦଳିତ ଉଦ୍ୟୋଗକାରୀମାନଙ୍କୁ 400 କୋଟି ଟଙ୍କାର ପୁଞ୍ଜି ଉପଲବ୍ଧ କରାଉଛନ୍ତି । ଦଳିତ ଉଦ୍ୟୋଗକାରୀମାନେ ନିଜର ଆର୍ଥିକ ବିକାଶ କରିବା ସହ ଅନ୍ୟମାନଙ୍କୁ ରୋଜଗାର ଯୋଗାନ୍ତୁ , ସେଥିପାଇଁ ମଧ୍ୟ ଏହା ଉଦ୍ଦିଷ୍ଟ ।
ସେହିପରି ଆମେ ଜାତୀୟ ତଫସିଲଭୁକ୍ତ ଜାତି ଆର୍ଥିକ ବିକାଶ ନିଗମର ସେୟାର କ୍ୟାପିଟାଲକୁ 1000 କୋଟିରୁ ବୃଦ୍ଧି କରି 1200 କୋଟି କରିଦେଇଛୁ । ଏହି ସଂସ୍ଥା ଦଳିତମାନଙ୍କ ମଧ୍ୟରେ ଥିବା ଗରିବ ଲୋକଙ୍କୁ ଋଣ ପ୍ରଦାନ କରେ । ଗତ କିଛି ବର୍ଷ ଧରି ଏହି ସଂସ୍ଥା ସବୁଠାରୁ ପଛୁଆ ରାଜ୍ୟରେ କାମ କରିବା ବନ୍ଦ କରିଦେଇଥିଲା । ଏବେ ଆମେ ଏହି ନିଗମକୁ ବ୍ୟାଙ୍କ ସହିତ ସଂଯୁକ୍ତ କରି ସମସ୍ତ ରାଜ୍ୟରେ ପୁଣିଥରେ କାମ ଆରମ୍ଭ କରାଇଛୁ ।
ଆମେ ତଫସିଲଭୁକ୍ତ ଜାତିର ମହିଳାମାନଙ୍କୁ କୌଶଳ ଆଧାରିତ ଜୀବିକା ମାଧ୍ୟମରେ ସଶକ୍ତ କରିବାରେ ଲାଗିଛୁ । ଗୋଟିଏ ପାଇଲଟ ପ୍ରୋଜେକ୍ଟ ଅଧୀନରେ ବିଶେଷ ଭାବେ ତଫସିଲଭୁକ୍ତ ଜାତିର ମହିଳାମାନଙ୍କୁ ଆତ୍ମରକ୍ଷା, ସଫ୍ଟ ସ୍କିଲ, ବ୍ୟବସାୟୀକ ବାହନ ଚଳାଇବା ଭଳି ତାଲିମ ଦିଆଯାଉଛି । ଏହି ପ୍ରୋଜେକ୍ଟ ସହିତ ଜଡିତ 60 ପ୍ରତିଶତ ପ୍ରଶିକ୍ଷାର୍ଥିଙ୍କୁ ତ ଡ୍ରାଇଭିଂ ଲାଇସେନ୍ସ ମିଳିସାରିଲାଣି ।
ଆମେ 88 ଲକ୍ଷରୁ ଅଧିକ ସଂଖ୍ୟାଲଘୁ ଛାତ୍ରମାନଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିଛୁ । ଟ୍ରେଡିସନାଲ ଆର୍ଟ ଓ କ୍ରାଫ୍ଟରେ ବିଶେଷ ଭାବେ ସେମାନଙ୍କ କୌଶଳ ବୃଦ୍ଧି ନିମନ୍ତେ ଉସ୍ତାଦ ନାମରେ ଯୋଜନା ଆରମ୍ଭ କରାଯାଇଛି । ସଂଖ୍ୟାଲଘୁ ଯୁବକମାନଙ୍କୁ ସ୍କିଲ୍ ଟ୍ରେନିଂ ଦେବା ପାଇଁ ମୌଲାନା ଆଜାଦ ନେସନାଲ ଏକାଡେମି ଅଫ ସ୍କିଲ୍ସ ମଧ୍ୟ ପ୍ରତିଷ୍ଠା କରାଯାଇଛି । ଏହି ଏକାଡେମି ସ୍କିଲ୍ ଟ୍ରେନିଂ ବ୍ୟତୀତ ସଂଖ୍ୟାଲଘୁ ଯୁବକମାନଙ୍କୁ ନିଜର ଉଦ୍ୟୋଗ ଆରମ୍ଭ କରିବା ପାଇଁ ଋଣ ମଧ୍ୟ ଦେଉଛି । ଏ ପର୍ଯ୍ୟନ୍ତ 9 ଟି ରାଜ୍ୟର 10 ହଜାରରୁ ଅଧିକ ଯୁବକ ଏହାର ଲାଭ ଉଠାଇ ସାରିଲେଣି । ସଂଖ୍ୟାଲଘୁ ମହିଳାମାନଙ୍କର କୌଶଳ ବିକାଶ ନିମନ୍ତେ ଆମେ ନୟୀ ରୋଶନୀ ନାମରେ ଯୋଜନା ଆରମ୍ଭ କରିଛୁ । ଆମର ନୟୀ ମଞ୍ଜିଲ୍ କାର୍ଯ୍ୟକ୍ରମ ସ୍କୁଲ ପାଠ ଅଧାରୁ ଛାଡି ଦେଉଥିବା ସଂଖ୍ୟାଲଘୁ ପିଲାଙ୍କ ଉପରେ କେନ୍ଦ୍ରିତ । ଆମେ ଏହି ପିଲାମାନଙ୍କୁ ପୁଣି ଥରେ ପାଠପଢା ଆଡକୁ ଆଣିବା ପାଇଁ ପ୍ରୟାସରତ । ସରକାର ନେସନାଲ ୱାକ୍ଫ ଡେଭେଲପମେଣ୍ଟ କର୍ପୋରେସନକୁ ମଧ୍ୟ ମଜଭୁତ କରୁଛନ୍ତି।
ପ୍ରଶ୍ନ- ଗୁଡ ଗଭର୍ଣ୍ଣାନ୍ସ ଆପଣଙ୍କ ସରକାରର ଗାଇଡିଂ ପ୍ରିନ୍ସିପୁଲ ବୋଲି ଆପଣ କହନ୍ତି । ଆଜି ଦୁଇ ବର୍ଷ ପରେ ଆପଣ ସରକାରଙ୍କୁ ଏହି ମାପକାଠିରେ କେଉଁଠି ଦେଖୁଛନ୍ତି ?
ଉ- ମୁଁ ସବୁବେଳେ ଏହି ମତ ପୋଷଣ କରି ଆସିଛି ଯେ, ସରକାର ନିଜେ ନାଗରିକମାନଙ୍କ ପାଖକୁ ଯିବାକଥା, ଯାହା ଫଳରେ ସେମାନେ ସମସ୍ତ ସରକାରୀ ପ୍ରକ୍ରିୟାରେ ସକ୍ରିୟ ଭୂମିକା ନିର୍ବାହ କରିପାରିବେ । ଗୁଡ ଗଭର୍ଣ୍ଣାଂସର ଉଦ୍ଦେଶ୍ୟ ସରକାରୀ ନିୟମଗୁଡିକୁ, ସରକାରୀ ପ୍ରକ୍ରିୟାଗୁଡିକୁ ଏତେ ସହଜ କରିଦେବା ଯେ, ସମ୍ପୂର୍ଣ୍ଣ ବ୍ୟବସ୍ଥା ସ୍ୱଚ୍ଛ ହୋଇଯିବ, ସମଗ୍ର ସିଷ୍ଟମର ଗତିଶୀଳତା ବଢିଯିବ । ଏହାଦ୍ୱାରା ଜନସାଧାରଣଙ୍କର ବ୍ୟବସ୍ଥା ଉପରେ ବିଶ୍ୱାସ ବୃଦ୍ଧି ପାଏ । ସେମାନେ ଅନୁଭବ କରିବେ ଯେ, ସେମାନଙ୍କ ଛୋଟ ଛୋଟ ସମସ୍ୟାଗୁଡିକୁ ସରକାର ବୁଝିପାରୁଛନ୍ତି ଏବଂ ଏହାକୁ ଦୂର କରିବା ପାଇଁ ପ୍ରୟାସ କରୁଛନ୍ତି ।
ମୁଁ ଆପଣଙ୍କୁ କିଛି ଉଦାହରଣ ଦେଉଛି । ରନ୍ଧନ ଗ୍ୟାସ ସବସିଡି ସିଧାସଳଖ ଲୋକଙ୍କ ବ୍ୟାଙ୍କ ଖାତାରେ ଜମା କରିବାର ଯୋଜନା ପହଲ୍ ଗିନୀଜ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛି । ଏହି ଯୋଜନା ଆମ ସିଷ୍ଟମରୁ ସାଢେ ତିନି କୋଟି ଜାଲ୍ କିମ୍ବା ନକଲି ଗ୍ୟାସ କନେକ୍ସନକୁ ବାତିଲ୍ କରିଦେଲା । ଏହିପରେ ପ୍ରାୟ ତିନି ଡଜନ ସରକାରୀ ଯୋଜନାର ଟଙ୍କା ସରକାର ସିଧା ସଳଖ ଲୋକଙ୍କ ବ୍ୟାଙ୍କ ଖାତାରେ ଜମା କରୁଛି । ଏବେ ବିନା ଅସୁବିଧାରେ ପେନସନଧାରୀମାନଙ୍କୁ ପେନସନ ମିଳୁଛି, ବିଦ୍ୟାର୍ଥିମାନଙ୍କୁ ଛାତ୍ରବୃତ୍ତି ମିଳୁଛି ।
ୟୂରିଆକୁ 100 ପ୍ରତିଶତ ନିମ-ପ୍ରଲେପ କରିବାର ଲାଭ ଆଜି ଦେଶର ଚାଷୀମାନଙ୍କୁ ମିଳୁଛି । ନିମ-ପ୍ରଲେପ ୟୂରିଆ ଆଉ କେମିକାଲ ଇଣ୍ଡଷ୍ଟ୍ରିରେ ବ୍ୟବହୃତ ହୋଇପାରିବ ନାହିଁ । ଏଥିଯୋଗୁ ୟୂରିଆର ଉପଲବ୍ଧତା ବୃଦ୍ଧି ପାଇଛି । ନିମ-ପ୍ରଲେପ ଯୋଗୁ କ୍ଷେତରେ ମଧ୍ୟ ଏହା କମ ମାତ୍ରାରେ ଲାଗୁଛି ଏବଂ ଏହାଦ୍ୱାରା ଚାଷୀମାନଙ୍କ ଧନ ମଧ୍ୟ ସଞ୍ଚୟ ହେଉଛି ।
ଆମେ 44 ଟି ପୁରୁଣା ଶ୍ରମ ଆଇନକୁ ହ୍ରାସ କରି ମାତ୍ର 4 ଟି ଲେବର୍ କୋଡରେ ପରିବର୍ତ୍ତିତ କରିବାକୁ ଯାଉଛୁ । ଶ୍ରମ ଆଇନଗୁଡିକର ଅଯଥା ବୋଝ ନ ରହିଲେ ସହଜରେ କାରଖାନା ଖୋଲିପାରିବ, ଅଧିକ ସଂଖ୍ୟାରେ ଖୋଲିବ ଏବଂ ଏହାର ସିଧା ଅର୍ଥ ହେବ ଅଧିକ ରୋଜଗାର। ଶ୍ରମ ସୁବିଧା ପୋର୍ଟାଲ ଆରମ୍ଭ କରି ଆମେ କମ୍ପାନୀଗୁଡିକୁ ଲିନ୍ ନମ୍ବର ଜରିଆରେ ଅନଲାଇନ ଫାଇଲିଂର ସୁବିଧା ମଧ୍ୟ ପ୍ରଦାନ କରିଛୁ ।
ସଂଗଠିତ କ୍ଷେତ୍ରର କର୍ମଚାରୀମାନଙ୍କ ଇପିଏଫ ଏକାଉଣ୍ଟ ଏବେ ପୋର୍ଟେବଲ୍ କରି ଦିଆଯାଇଛି । କର୍ମଚାରୀମାନଙ୍କୁ ୟୂଏଏନ୍ ନମ୍ବର ପ୍ରଦାନ କରାଯାଇଛି ଯାହା ଫଳରେ ଚାକିରୀ ପରିବର୍ତ୍ତନ ପରେ ତାଙ୍କୁ ପିଏଫ ସ୍ଥାନାନ୍ତର କରିବା ପାଇଁ ଦୌଡିବାକୁ ପଡିବ ନାହିଁ । 4 କୋଟି 67 ଲକ୍ଷ କର୍ମଚାରୀଙ୍କୁ ଏହାର ସିଧାସଳଖ ଲାଭ ହୋଇଛି । 1 ଜାନୁଆରୀ, 2016 ଠାରୁ ଆମେ ଗ୍ରୁପ ବି ଏବଂ ଗ୍ରୁପ ସି ର ଚାକିରୀରେ ସାକ୍ଷାତକାରକୁ ସମାପ୍ତ କରିସାରିଛୁ ।
କ୍ଷମତାକୁ ଆସିବା ପରେ ପୁରଣା ଏବଂ ଅକାମୀ ହୋଇପଡିଥିବା ଆଇନଗୁଡିକୁ ସମାପ୍ତ କରିବା ଆମର ପ୍ରାଥମିକତା ଥିଲା । ଆଜିର ଯୁଗରେ ଏହି ଆଇନଗୁଡିକ କେବଳ ପ୍ରକ୍ରିୟାରେ ଅସୁବିଧା ସୃଷ୍ଟି କରୁଥିଲା । ଆଇନ ମନ୍ତ୍ରଣାଳୟ ଏଭଳି 1871 ଟି ଆଇନକୁ ଚିହ୍ନଟ କରିଥିଲେ, ଯେଉଁଥିରୁ ଆମେ 1200ଟି କୁ ସମାପ୍ତ କରିସାରିଛୁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଯେତେଟି ଆଇନ ଆମେ ମାତ୍ର ଦୁଇ ବର୍ଷରେ ସମାପ୍ତ କଲୁ, ସେତୋଟି ସ୍ୱାଧୀନତା ପରବର୍ତ୍ତୀ 70 ବର୍ଷ ମଧ୍ୟରେ ସମାପ୍ତ ହୋଇଥିଲା ।
ଆମେ ସବୁ ମନ୍ତ୍ରଣାଳୟ ଏବଂ ବିଭାଗର ଇଣ୍ଟରନାଲ ପ୍ରୋସେସ୍ ଏବଂ କାର୍ଯ୍ୟସଂସ୍କୃତିକୁ ମଧ୍ୟ ବଦଳାଉଛୁ, ଯାହା ଫଳରେ ଲୋକଙ୍କ ସହ ଜଡିତ ହେବାର ପ୍ରକ୍ରିୟା ସହଜ ହେବ । ଏଥିରେ ଟେକ୍ନୋଲୋଜି ମଧ୍ୟ ବ୍ୟବହାର କରାଯାଉଛି । ଆପଣମାନେ ଦେଖିଥିବେ, ରେଳବାଇ ହେଉ କିମ୍ବା ବିଦେଶ ମନ୍ତ୍ରଣାଳୟ, ଟେକ୍ନୋଲୋଜି ସାହାଯ୍ୟରେ ଅଧିକରୁ ଅଧିକ ଲୋକଙ୍କ ନିକଟକୁ ପହଞ୍ଚ ବଢାଇଚାଲିଛନ୍ତି। ଲୋକମାନଙ୍କ ବିଶ୍ୱାସ ରହିଛି ଯେ, ସେମାନଙ୍କ ଅଭିଯୋଗର ଶୁଣାଣୀ ହେବ । ତାହା ଉପରେ କାର୍ଯ୍ୟାନୁଷ୍ଠାନ ହେବ । ଲୋକମାନଙ୍କ ସହିତ ସଂଯୁକ୍ତ ହେବା ପାଇଁ ଆରମ୍ଭ କରାଯାଇଥିବା ମାଇ-ଗଭ ୱେବସାଇଟରେ ମଧ୍ୟ ଅନବରତ ଭାବରେ ସେମାନଙ୍କ ପ୍ରତିକ୍ରିୟା ପ୍ରାପ୍ତ ହେଉଛି । ଲୋକମାନଙ୍କ ପରାମର୍ଶକୁ ଆମେ ସରକାରଙ୍କ ନିଷ୍ପତ୍ତିରେ ମଧ୍ୟ ସାମିଲ କରୁଛୁ ।
ଆଗରୁ କୌଣସି କେବିନେଟ ନୋଟ ପ୍ରସ୍ତୁତ ହେବାରେ ତିନିମାସ ଲାଗୁଥିଲା । ଏବେ ସେହି କାମ 15 ଦିନରେ ସମ୍ପୂର୍ଣ୍ଣ ହେଉଛି । ହିନ୍ଦୁ ଧର୍ମଶାସ୍ତ୍ରରେ କୁହାଯାଇଛି ଯେ, ଚାରି ଧାମ ତୀର୍ଥଯାତ୍ରା କରିଦେଲେ ମୁକ୍ତି ମିଳିଯାଏ । କିନ୍ତୁ ଫାଇଲ ଘୁରି ବୁଲୁଥିଲା ।
ପ୍ରଶ୍ନ- ଆପଣ କଣ ଭାବୁଛନ୍ତି ଯେ, ଦରବୃଦ୍ଧି ଏବଂ ବେକାରୀ ପ୍ରସଙ୍ଗରେ ସରକାର ଜନସାଧାରଣଙ୍କ ଆଶାନୁସାରେ ଉତ୍ତୀର୍ଣ୍ଣ ହୋଇପାରିନାହିଁ ?
ଉ: ଏମିତି ନୁହେଁ । ସରକାର ନିକଟ ଅତୀତରେ ଗୋଟିଏ ନିଷ୍ପତ୍ତି କରିଛନ୍ତି ଯେ ମଲ 24 ଘଣ୍ଟା ଖୋଲା ରହିପାରିବ । ଏବେ ଛୋଟ ଦୋକାନୀମାନଙ୍କ ଉପରେ ମଧ୍ୟ ଅଧିକ ଚାପ । ମଲ ଏବଂ ଛୋଟ ଦୋକାନୀ ଯଦି କିଛି କିଛି ଲୋକଙ୍କୁ ରୋଜଗାର ଦିଅନ୍ତି ତେବେ ବେକାରୀ କଣ କିଛି ମାତ୍ରାରେ ହେବନି ? ମୁଦ୍ରା ଯୋଜନାର ସବୁଠାରୁ ଅଧିକ ଲାଭ ପ୍ରାୟ 70 ପ୍ରତିଶତ ମହିଳା ଏବଂ SC/ST ମାନଙ୍କୁ ହେବ । ଏହାକୁ ଆପଣ କଣ ରୋଜଗାରର ସୁଯୋଗ ସୃଷ୍ଟି କରିବା କହିବେ ନାହିଁ ?
ପ୍ରଶ୍ନ- ବିରୋଧୀଙ୍କ ଅଭିଯୋଗ ଯେ ବିକାଶ ହାରରେ ପରିସଂଖ୍ୟାନ ଅତିରଞ୍ଜିତ କରି ଉପସ୍ଥାପିତ କରାଯାଉଛି ।
ଉ: (ହସି ହସି) ଆରେ ଭାଇ, ମୋ କଥା ପଛେ ନ ମାନ କିନ୍ତୁ, ବିଶ୍ଵବ୍ୟାଙ୍କ, ଆର୍ନ୍ତଜାତିକା ମୁଦ୍ରା ପାଣ୍ଠି, କ୍ରେଡିଟ ରେଟିଙ୍ଗ ଏଜେନ୍ସୀ, ଏମାନେ କହୁଛନ୍ତି ଯେ. ଭାରତ ଦ୍ରୁତ ଗତିରେ ପ୍ରଗତି କରୁଛି । ସେମାନଙ୍କ କଥା ଅନ୍ତତଃ ମାନ ।
ପ୍ରଶ୍ନ- ନିର୍ବାଚନରେ ବିଜୟକୁ ବିକାଶର ମାପକାଠି ବୋଲି ଭାବିବା ଉଚିତ କି ?
ଉ: (ହସି ହସି) ଦେଶରେ ପରିବର୍ତ୍ତନ ହୋଇଛି । ସୁଦୂର ଗାଁରେ ବସିଥିବା ବ୍ୟକ୍ତିର ଆଶା ମଧ୍ୟ ଏବେ ଅନେକ ମାତ୍ରାରେ ବୃଦ୍ଧି ପାଇଛି । ଭବିଷ୍ୟତରେ ଆହୁରି ବଢ଼ିବ । ଆମକୁ ଏଥିରେ ଉତ୍ତୀର୍ଣ୍ଣ ହେବାକୁ ହେବ ।
ପ୍ରଶ୍ନ- ପ୍ରଧାନମନ୍ତ୍ରୀ ହିସାବରେ ଆପଣଙ୍କର ଅନେକ ବ୍ୟସ୍ତତା ରହିଛି । କିନ୍ତୁ ଆପଣଙ୍କ ନିର୍ବାଚନ କ୍ଷେତ୍ରରେ ଲୋକେ ଜାଣିବାକୁ ଚାହୁଛନ୍ତି ଯେ, ଆପଣ କଣ କେବେ ନିଜକୁ କେବଳ ବାରଣାସୀର ସଂସଦ ସଦସ୍ୟ ଭାବରେ ଅନୁଭବ କରୁଛନ୍ତି ?
ଉ: ମୁଁ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ବାରଣାସୀର ସଂସଦ ସଦସ୍ୟ ଭାବରେ ନିର୍ବାଚିତ ହେଲି । ତେଣୁ ସ୍ୱାଭାବିକ ଭାବେ ମୁଁ ନିଜର ନିର୍ବାଚନ ମଣ୍ଡଳୀକୁ ଖୁବ୍ ଗୁରୁତ୍ୱ ଦେଉଛି । ମୋର ବାବା ବିଶ୍ୱନାଥ ଏବଂ ମାତା ଗଙ୍ଗାଙ୍କ ସହିତ ଭାବଗତ ସମ୍ପର୍କ ତ ଆଗରୁ ରହିଥିଲା । କିନ୍ତୁ ବାରଣାସୀର ଜନସାଧାରଣଙ୍କର ମୋ ପ୍ରତି ଥିବା ଭଲ ପାଇବାକୁ ମୁଁ କେବେହେଲେ ଭୁଲି ପାରିବିନି । ପ୍ରଧାନମନ୍ତ୍ରୀ ହେବା ପରେ ମୁଁ ଯେତେଥର ଗୁଜରାଟ ଯାଇଛି ତାଠାରୁ ବହୁତ ଅଧିକ ଥର ମୁଁ ବାରାଣାସୀ ଯାଇଛି । ବାରାଣାସୀର ବିକାଶ ପାଇଁ ସବୁ ଦିଗରୁ ଚେଷ୍ଟା ଚାଲିଛି । 380 କୋଟି ଟଙ୍କା ବିନିଯୋଗରେ 16 କିଲୋମିଟରର ରିଂଙ୍ଗ ରୋଡର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହାର ଦ୍ୱିତୀୟ ପର୍ଯ୍ୟାୟରେ 43 କିଲୋମିଟର ସଡ଼କ ନିର୍ମାଣ ହେବ । ଏହାଦ୍ୱାରା ବାରଣାସୀ ଏବଂ ଏହାର ଆଖପାଖ ଅଂଚଳର ଲୋକଙ୍କୁ ସହରକୁ ଆସୁଥିବା ବେଳେ ହେଉଥିବା ଅସୁବିଧା ଅନେକ ମାତ୍ରାରେ ଦୂର ହୋଇଯିବ।
ଏହାଛଡା ବାରାଣାସୀର ଆଖପାଖ ଜିଲ୍ଲାଗୁଡିକୁ ସଂଯୁକ୍ତ କରୁଥିବା 1000 କିଲୋମିଟରରୁ ଅଧିକ ଦୈର୍ଘ୍ୟ ବିଶିଷ୍ଟ ରାସ୍ତାଗୁଡିକର ମରାମତି ଏବଂ ପ୍ରଶସ୍ତିକରଣ ପାଇଁ କେନ୍ଦ୍ର ସରକାର ଦୁଇ ବର୍ଷରେ 10 ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ମଞ୍ଜୁର କରିଛନ୍ତି । ଯେଉଁ ସଡ଼କ ବାବତପୁର ବିମାନବନ୍ଦରକୁ ସହର ସହିତ ସଂଯୁକ୍ତ କରୁଥିଲା ତାହାର ଅବସ୍ଥା ମଧ୍ୟ ଖୁବ୍ ଖରାପ ଥିଲା । ଏହି ସଡ଼କକୁ ଚଉଡା କରିବା ପାଇଁ 630 କୋଟି ଟଙ୍କାର ପ୍ରକଳ୍ପକୁ ମଧ୍ୟ ମଞ୍ଜୁରି ପ୍ରଦାନ କରାଯାଇଛି ।
281 କୋଟି ଟଙ୍କା ବିନିଯୋଗରେ ଟେକ୍ସଟାଇଲ ସେଣ୍ଟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି । ଏହାଦ୍ୱାରା ପ୍ରାୟ 1 ଲକ୍ଷ ବୁଣାକାର ଭାଇମାନଙ୍କୁ ସାହାଯ୍ୟ ମିଳିବ । ବର୍ତ୍ତମାନ ଯେଉଁ ବୟନ ନୀତି ସମ୍ପର୍କରେ ମୁଁ ଆପଣଙ୍କୁ କହୁଥିଲି ଏହାଦ୍ୱାରା ମଧ୍ୟ ଗୋଟିଏ ବଡ ଲାଭ ବାରଣାସୀର ବ୍ୟବସାୟୀମାନଙ୍କୁ ହେବାକୁ ଯାଉଛି । ଏବେ ତାଙ୍କୁ ହସ୍ତତନ୍ତ ସମ୍ପର୍କିତ ଆଧୁନିକ କାଗିଗରି କୌଶଳ ସହଜରେ ମିଳିବ । ଏହି ଉଦ୍ୟୋଗ ସହିତ ସମ୍ବନ୍ଧିତ ଆଇନରେ ପରିବର୍ତ୍ତନ ଠାରୁ ଆରମ୍ଭ କରି ତାଲିମ ପର୍ଯ୍ୟନ୍ତ ଲାଭ ବାରଣାସୀର ଯୁବକମାନଙ୍କୁ ମିଳିବାକୁ ଯାଉଛି । ବାରଣାସୀର ଘାଟ ଏବେ ଏଲଇଡି ବଲ୍ବର ଆଲୋକରେ ଝଲସୁଛି । ପର୍ଯ୍ୟଟକମାନଙ୍କ ପାଇଁ 7ଟି ଘାଟରେ 9ଟି ହଟ୍ ସ୍ପଟ୍ ଆରମ୍ଭ କରାଯାଇଛି । କେଣ୍ଟ ରେଳଷ୍ଟେସନର କୋଠା ଏବଂ 9 ଟି ପ୍ଲାଟଫର୍ମ ନିର୍ମାଣ କରାଯାଉଛି । ମଡୁହାଡିହରେ ମଧ୍ୟ 5 ଟି ନୂତନ ପ୍ଲାଟଫର୍ମ ନିର୍ମାଣ କରାଯାଉଛି । ଅର୍ଥାତ, ରେଳ ଷ୍ଟେସନରେ ନାଗରିକମାନଙ୍କୁ ସୁବିଧାରେ ଅଭିବୃଦ୍ଧି କଥା ହେଉ, କିମ୍ବା ବାରଣାସୀର ଆଖପାଖ ସହରମାନଙ୍କୁ ସଂଯୁକ୍ତ କରୁଥିବା ସଡ଼କର ନର୍ମାଣ କାର୍ଯ୍ୟ ସବୁ କିଛି ଦ୍ରୁତ ଗତିରେ ଚାଲିଛି । ବାରାଣାସୀର ପ୍ରାଚୀନ ଏବଂ ସାଂସ୍କୃତିକ ରଥକୁ ଅକ୍ଷୂର୍ଣ୍ଣ ରଖି ସହର ଭିତରେ ମଧ୍ୟ ପ୍ରତ୍ୟେକ ସ୍ତରରେ ସାର୍ବଜନୀନ ସେବାକୁ ବୃଦ୍ଧି କରାଯାଉଛି । ମୁଁ ବ୍ୟକ୍ତିଗତ ଆଗ୍ରହର ସହିତ ଏହାର ସମୀକ୍ଷା କରୁଛି । ବାରଣାସୀର ରାସ୍ତାରେ ଝୁଲୁଥିବା ବିଜୁଳି ତାର କଥା ହେଉ କି କାଶୀର ପୁରୁଣା ପୋଖରୀ ଆଉ କୁଣ୍ଡର ମରାମତି କଥା ହେଉ, ଏସବୁ ଉପରେ ମୋର ନଜର ରହିଛି ଏବଂ କାମ ଚାଲିଛି ।
ବାରଣାସୀର ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଅନେକ ପ୍ରଚେଷ୍ଟା କରାଯାଉଛି । ରିକ୍ସା ଚାଳକମାନଙ୍କୁ ରିକ୍ସାଠାରୁ ଆରମ୍ଭ କରି ନାଉରିଆମାନଙ୍କୁ ଆଧୁନିକ ଡଙ୍ଗା ଦେଇ ବାରଣାସୀର ଜନଜୀବନକୁ ସୁଖମୟ ଏବଂ ଆଧୁନିକତା ସମ୍ପନ୍ନ କରାଯିବା ପାଇଁ ଚେଷ୍ଟା କରାଯାଉଛି । ସେହିପରି “ଜଳ ଶବ ବାହିନୀ ବୋଟ” ମଧ୍ୟ ଆରମ୍ଭ କରାଯାଇଛି । ଆଧୁନିକ ସ୍ୱାସ୍ଥ୍ୟ ସୁବିଧା, ୱାଟର ଏଟିଏମ୍, ବ୍ୟାଟେରୀ ଚାଳିତ ରିକ୍ସା ମଧ୍ୟ ବାରାଣାସୀର ଲୋକମାନଙ୍କର ମୌଳିକ ଆବଶ୍ୟକତାକୁ ପୂରଣ କରୁଛନ୍ତି । ଏହି ପ୍ରୟାସ ଫଳରେ ଆଗାମୀ ଦିନରେ ବାରଣାସୀ ଗୋଟିଏ ବିକଶିତ ଏବଂ ସୁସଜ୍ଜିତ ସହର ହେବ ବୋଲି ମୋର ଆଶା ।
ପ୍ରଶ୍ନ- ବାଂଲାଦେଶରେ ଯେଉଁ ବର୍ବରତାପୂର୍ଣ୍ଣ ଆତଙ୍କବାଦୀ ଘଟଣା ଘଟିଲା । ସେ ସମ୍ପର୍କରେ ଆପଣଙ୍କର ମନ୍ତବ୍ୟ କଣ ?
ଉ: ଆତଙ୍କବାଦର ପୀଡା ଭାରତ 40 ବର୍ଷରୁ ଭୋଗ କରିଆସୁଛି । ଦେଶର ସମସ୍ତ ସରକାର ନିଜର ଏହି ପୀଡା ସମ୍ପର୍କରେ ବିଶ୍ୱକୁ ଅବଗତ କରାଇବାର ପ୍ରଚେଷ୍ଟା କରିଛନ୍ତି । ଆଜି ବିଶ୍ୱ ଆତଙ୍କବାଦୀକୁ କେବଳ ଆଇନ ଶୃଙ୍ଖଳା ସମସ୍ୟା ରୂପରେ ଦେଖୁଛି ତାହା ନୁହେଁ ବରଂ ଏହାର ଭୟାବହତାକୁ ମଧ୍ୟ ବୁଝୁଛି । ଏହା ମାନବତାର ବିଜୟ। ସମସ୍ତ ମାନବବାଦୀ ଦେଶଙ୍କୁ ଏହି ପ୍ରସଙ୍ଗରେ ଗୋଟିଏ ମଂଚ ଉପରେ ଠିଆ ହେବାକୁ ପଡିବ । ମିଳିତ ଜାତିସଂଘରେ ମଧ୍ୟ ଗୋଟିଏ ବିଲ୍ ଦୀର୍ଘ ସମୟ ଧରି ପଡି ରହିଛି, ଯେଉଁଥିରେ ଆତଙ୍କବାଦର ସଂଜ୍ଞା ନିରୂପଣ କରାଯିବାକୁ ଅଛି ।
ପ୍ରଶ୍ନ- ପ୍ରଥମ ଥର ମୁସଲିମ୍ ରାଷ୍ଟ୍ର ବାଂଲାଦେଶ ମଧ୍ୟ ଆତଙ୍କବାଦୀ ଘଟଣା ପାଇଁ ପାକିସ୍ତାନକୁ ଦୋଷ ଦେଇଛି । ଆପଣ କଣ କହିବେ ?
ଉ: ଭାରତର ଗଣମାଧ୍ୟମ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁ, ଅଧ୍ୟୟନ କରୁ ଏବଂ ଦେଶ-ଦୁନିଆକୁ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଦେଉ ।
ପ୍ରଶ୍ନ- ଏଥର କଂଗ୍ରେସ ବ୍ୟତୀତ ପ୍ରାୟତଃ ସବୁ ଦଳ ଆପଣଙ୍କ ସହିତ ଅଛନ୍ତି । ମୌସୁମୀ ଅଧିବେଶନରେ ଜିଏସଟିର ମାର୍ଗ ସହଜ ହେବ ବୋଲି ଆପଣ ମନେ କରୁଛନ୍ତି କି ?
ଉ: ଆମେ ତ ପ୍ରତ୍ୟେକ ଅଧିବେଶନରେ ଆଶା କରୁଛୁ । ସରକାର ପ୍ରୟାସ ମଧ୍ୟ କରୁଛି । ଏଥର ମଧ୍ୟ ପ୍ରୟାସ କରିବ ।
ପ୍ରଶ୍ନ- କଂଗ୍ରେସ ଆଲୋଚନା ଅଭାବର ଅଭିଯୋଗ କରୁଛି ?
ଉ: ବିରୋଧୀ ଦଳ ସହିତ ପ୍ରତ୍ୟେକ ସ୍ତରରେ ଆଲୋଚନା କରାଯାଉଛି । ଅଧିବେଶନର ସୁପରିଚାଳନା ପାଇଁ ସମସ୍ତଙ୍କର ସହଭାଗୀତା ରହିବା ଆବଶ୍ୟକ । ସେଥିପାଇଁ ସବୁ ଦଳଙ୍କ ସହ ସୁସମ୍ପର୍କ ରକ୍ଷା ପାଇଁ ସରକାର ପ୍ରୟାସ କରୁଛି ।