“ମୋର ଲକ୍ଷ୍ୟ ହେଲା ସଂସ୍କାର ଦ୍ୱାରା ପରିବର୍ତ୍ତନ ଆଣିବା… ମୋ କାର୍ଯ୍ୟ ଅବଧି ଶେଷରେ, ମୋ ଲାଗି ସଫଳତାର ଅର୍ଥ ହେବ ଲୋକମାନେ କିପରି ଏହି ପରିବର୍ତ୍ତନକୁ ଅନୁଭବ କରିବେ । ମୁଁ ଯଦି କେତୋଟି କ୍ଷେତ୍ରରେ ସଫଳତା ପାଇଛି ବୋଲି ଦାବି କରିବସେ, ତା ହେଲେ ତାକୁ ମୁଁ ସଫଳତା ବୋଲି କଦାପି ଭାବିନି ନାହିଁ”। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ଇକୋନୋମିକ ଟାଇମ୍ସ” (ଇଟି)କୁ ସୋମବାର ଦିନ ଏକ ସାକ୍ଷାତକାର ଦେବା ଅବସରରେ ଏହା କହିଛନ୍ତି ।
“ଇକୋନୋମିକ ଟାଇମ୍ସ”ର ସାମ୍ବାଦିକଙ୍କ ସମେତ କେତେକ ସାମ୍ବାଦିକଙ୍କ ସହ କଥାବାର୍ତ୍ତା କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଲେ ଯେ, ମଙ୍ଗଳବାର ଦିନ ହୋଇଥିବା କେବିନେଟ ପରିବର୍ତ୍ତନ ଏକ “ଅଦଳବଦଳ” ନୁହେଁ, ଏହା କେବିନେଟର “ସମ୍ପ୍ରସାରଣ”।
“ଆମେ ଗତି ଏବଂ ଗୁରୁତ୍ୱକୁ ସୁନିଶ୍ଚିତ କରିବାକୁ ଚାହୁଁ” ବୋଲି ଇଟି ପକ୍ଷରୁ କେତୋଟି ଲିଖିତ ପ୍ରଶ୍ନର ଇମେଲ ଜରିଆରେ ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଅବସରରେ ସୁଶାସନ ସମ୍ପର୍କରେ ତାଙ୍କ ମନରେ ଥିବା ବ୍ୟାପକ ଚିନ୍ତାଧାରାକୁ ଶ୍ରୀ ମୋଦୀ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ “କାର୍ଯ୍ୟପନ୍ଥା ଗ୍ରହଣରେ ଆମେ ଭାରତୀୟ, ହେଲେ ଦୃଷ୍ଟିଭଙ୍ଗୀରେ ଆମେ ଅନ୍ତରାଷ୍ଟ୍ରୀୟ”।
“ବିମାନ ବନ୍ଦର ନିର୍ମାଣ ପାଇଁ ଆମେ ଯେତିକି ବେଗ ଓ ଗୁରୁତ୍ୱର ସହ କାର୍ଯ୍ୟ କରିବୁ, ଶୌଚାଳୟ ନିର୍ମାଣରେ ସେଇ ମନୋଭାବ ପ୍ରଦର୍ଶନ କରିବୁ । ଆମର ସାମୁଦ୍ରିକ ଅର୍ଥବ୍ୟବସ୍ଥାକୁ ବଢ଼ାଇବା ଦିଗରେ ଯେଉଁଭଳି ଗୁରୁତ୍ୱ ଦେବୁ ମତ୍ସ୍ୟଜୀବୀମାନଙ୍କ କଲ୍ୟାଣ ସାଧନକୁ ସେଇଭଳି ପ୍ରାଧାନ୍ୟ ଦେବୁ ।”
ରାଜନୈତିକ ବିରୋଧାଭାଷ ଠାରୁ ଆର୍ଥିକ ସଂସ୍କାର ପର୍ଯ୍ୟନ୍ତ କେତେଗୁଡିଏ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଲେ ଯେ ସେ ସଦାବେଳେ “ଆଶାବାଦୀ” । ଚୂଡାନ୍ତ ସମୟସୀମା ପରିବର୍ତ୍ତେ ସେ ଜୀବନଧାରାରେ ବିଶ୍ୱାସୀ । ତେଣୁ ବସ୍ତୁ ଓ ସେବାକର (ଜିଏସଟି) ବିଧେୟକ ପ୍ରତି ରାଜନୈତିକ ବିରୋଧାଭାଷ ପ୍ରକଟକୁ ପ୍ରଧାନମନ୍ତ୍ରୀ “ଆତ୍ମଘାତୀ” ବୋଲି ଅଭିହିତ କରିଛନ୍ତି ।
2019 ରେ ତାଙ୍କର ଚଳିତ ପର୍ଯ୍ୟାୟ ଶାସନ ଅବଧି ଶେଷ ବେଳକୁ ସେ କଣ ହାସଲ କରିବାକୁ ଚାହାଁନ୍ତି ବୋଲି ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ସତ କହିବାକୁ ଗଲେ, 2019 ବେଳକୁ ଯେତେବେଳେ ମୋର ପ୍ରଥମ ଟର୍ମ ସରିବ, ମୁଁ କେବଳ କେତୋଟି ପ୍ରାପ୍ତି ହାସଲ କରିଛି ବୋଲି ଦାବି କରିବି । କିନ୍ତୁ ତାକୁ କେବେ ସଫଳତା ବୋଲି ଭାବିବି ନାହିଁ ।
ମୋ ପାଇଁ ସଫଳତା ଏଇଆ ହେବ ଯେତେବେଳେ ମୁଁ ଦାବି କରୁନଥିଲେ ସୁଦ୍ଧା ଲୋକମାନେ ପରିବର୍ତ୍ତନକୁ ଅନୁଭବ କରିପାରିବେ । ତାହା ହିଁ ହେବ ସଫଳତାର ଅସଲ ମାପଦଣ୍ଡ ।”
ପ୍ରଧାନମନ୍ତ୍ରୀଙ୍କ ମତରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସଙ୍ଗେ ଅନୁଷ୍ଠିତ କରାଯିବା ଉଚିତ । ଏହି ପ୍ରସ୍ତାବକୁ ସେ ସମର୍ଥନ କରନ୍ତି । ତଦ୍ଦ୍ୱାରା ରାଜ୍ୟସଭା ବି ନିର୍ବାଚନ ସହ ସମତାଳରେ ଚାଲିପାରିବ । ତାଙ୍କ ମତରେ ରାଜ୍ୟ ବିଧାନସଭାମାନଙ୍କରେ ବିଭିନ୍ନ ରାଜନୈତିକ ଦଳଙ୍କ ସଂଖ୍ୟାଗରିଷ୍ଠତା ଉପରେ ରାଜ୍ୟସଭାର ଗଠନ ନିର୍ଭରଶୀଳ । ଯଦି ସବୁ ନିର୍ବାଚନ ଏକ ସଙ୍ଗେ ହୁଏ ତାହେଲେ ଲୋକପ୍ରିୟ ସମର୍ଥନ ଏଥିରେ ଅଧିକ ସୁସଂଗତ ଭାବେ ପ୍ରତିଫଳିତ ହେବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଜନୈତିକ ଦୃଷ୍ଟିକୋଣରୁ ଏହାର ପ୍ରଭାବ ଢ଼େର ଗୁରୁତ୍ୱପୂର୍ଣ୍ଣ କାରଣ, ରାଜ୍ୟସଭାରେ ସଂଖ୍ୟା ଦୃଷ୍ଟିରୁ କଂଗ୍ରେସ ଗରିଷ୍ଠତା ସ୍ଥିତିରେ ରହିଥିବାରୁ, ଜିଏସଟି ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଲଗୁଡିକୁ ପଥଚ୍ୟୁତ କରାଇବାରେ ସଫଳ ହୋଇଥିଲା ।
ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନକୁ ଏକା ସଙ୍ଗେ ଅନୁଷ୍ଠିତ କରାଇବା ଲଗି ଭାରତୀୟ ଜନତା ପାର୍ଟି ଦୀର୍ଘ ଦିନରୁ କରିଆସୁଥିବା ଦାବିକୁ ପ୍ରଧାନମନ୍ତ୍ରୀ ପୁଣିଥରେ ଦୋହରାଇଛନ୍ତି । କାରଣ ଏହା ଦ୍ୱାରା ଦେଶବାସୀ ସେମାନଙ୍କର ମନ ପସନ୍ଦର ପ୍ରାର୍ଥୀଙ୍କୁ ସବୁଠାରେ ଏକା ସଙ୍ଗେ ବାଛିପାରିବେ । ଜାତୀୟ ଜନମତ ଏହା ଉପରେ ପ୍ରତିଫଳିତ ହେବ । ଏହି ପ୍ରସ୍ତାବକୁ ବ୍ୟାଖ୍ୟାକରି ପ୍ରଧାନମନ୍ତ୍ରୀ ଇଟିକୁ କହିଛନ୍ତି ଯେ, “ନିର୍ବାଚନ ସମୟରେ ସରକାରୀ କାର୍ଯ୍ୟକ୍ରମ ଏକବାର ଠପ୍ ହୋଇଯାଇଥାଏ । ସେଇଥିପାଇଁ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନକୁ ଏକାସଙ୍ଗେ ଅନୁଷ୍ଠିତ କରାଇବାର ବ୍ୟବସ୍ଥା ଲାଗି ଅଧିକାଂଶ ଲୋକ ଦାବି କରୁଛନ୍ତି ।”
ନିଜ କେବିନେଟ ପରିବର୍ତ୍ତନ ସମ୍ପର୍କରେ ମତଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ମଙ୍ଗଳବାର ଦିନ ହେବାକୁ ଥିବା ଏହି କାର୍ଯ୍ୟକ୍ରମ “ଏକ ସମ୍ପ୍ରସାରଣ, ଏହା ଅଦଳବଦଳ ନୁହେଁ, ସମ୍ପ୍ରସାରଣ ଏକ ସ୍ୱାଭାବିକ ପ୍ରକ୍ରିୟା (ସରକାରଙ୍କ ଅବଧିର ବର୍ତ୍ତମାନ ସମୟ ପରିପ୍ରେକ୍ଷୀରେ)… ଦୁଇ ବର୍ଷ ହିଁ ସମୀକ୍ଷା ପାଇଁ ପ୍ରକୃଷ୍ଟ ସମୟ ।”
ଗୁରୁତ୍ୱପୂର୍ଣ୍ଣ ଜିଏସଟି ବିଲକୁ ସଂସଦର ଅନୁମୋଦନ ପରିପ୍ରେକ୍ଷୀରେ ଇଟିର ଏକ ପ୍ରଶ୍ନର ଜବାବରେ ଶ୍ରୀ ମୋଦୀ କହିଲେ ଯେ ଜିଏସଟିକୁ ବିରୋଧ କରିବା ଯେକୌଣସି ଦଳପାଇଁ “ଆତ୍ମଘାତୀ” ସାବ୍ୟସ୍ତ ହେବ । “ଜିଏସଟି ବିଲକୁ ବିରୋଧ କରି କୌଣସି ଦଳ ଆପେ ଆତ୍ମହତ୍ୟା ଲାଗି ଉଦ୍ୟମ କରିବ ବୋଲି ମୁଁ ଭାବୁନାହିଁ । ଜିଏସଟିର ଚୂଡାନ୍ତ ସମୟ ସୀମା ସମ୍ପର୍କରେ ଆପଣ ପଚାରିଛନ୍ତି । ଜଣେ ଆଶାବାଦୀ ଭାବେ, ମୁଁ ଡେଡଲାଇନ ଅପେକ୍ଷା ଲାଇଫଲାଇନରେ ଅଧିକ ବିଶ୍ୱାସ ରଖେ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ସାମ୍ବାଦିକ ଗୋଷ୍ଠୀଙ୍କ ସହ କଥାବାର୍ତ୍ତା କଲାବେଳେ ପ୍ରଧାନମନ୍ତ୍ରୀ ସରକାର ଓ ବିରୋଧୀ ଦଳ ନେତାଙ୍କ ମଧ୍ୟରେ ଯୋଗାଯୋଗ ଗତ ପ୍ରାର୍ଥକ୍ୟ ରହିଥିବା ମତାମତକୁ ପ୍ରଧାନମନ୍ତ୍ରୀ ଏଡାଇ ଯାଇଥିଲେ । ସେ କହିଲେ ଯେ ସଂସଦର ସୁପରିଚାଳନା ଦିଗରେ ସରକାରଙ୍କର ବ୍ୟାପକ ଭୂମିକା ରହିଛି । ଏହି ମର୍ମରେ ସେ ଗୁରୁତ୍ୱ ଆରୋପ କରିଥିଲେ ଯେ ସରକାର ଓ ବିରୋଧୀ ଦଳଙ୍କ ମଧ୍ୟରେ ଯୋଗାଯୋଗ ସ୍ଥାପନର ପର୍ଯ୍ୟାପ୍ତ ସୁଯୋଗ ରହିଛି ।
“ଏକ କାର୍ଯ୍ୟକାରୀ ସମ୍ପର୍କ ସ୍ଥାପନ ସକାଶେ ଆମେ ଯଥେଷ୍ଟ ଉଦ୍ୟମ କରିଛୁ । ଅନେକ ଥର ଯୋଗାଯୋଗ ମଧ୍ୟ ହୋଇଛି” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।