Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆଫଗାନିସ୍ଥାନର ହିନ୍ଦୁ ଓ ଶିଖ ପ୍ରତିନିଧିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ଆଫଗାନିସ୍ଥାନର ହିନ୍ଦୁ ଓ ଶିଖ ପ୍ରତିନିଧିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ସ୍ଥାନୀୟ ୭-ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ସରକାରୀ ବାସଭବନରେ ଆଫଗାନିସ୍ଥାନରୁ ଆସିଥିବା ହିନ୍ଦୁ-ଶିଖ ପ୍ରତିନିଧି ଦଳର ସଦସ୍ୟମାନଙ୍କୁ ଭେଟିଥିଲେ । ଆଫଗାନିସ୍ଥାନରୁ ହିନ୍ଦୁ ଓ ଶିଖଙ୍କୁ ନିରାପଦରେ ଭାରତକୁ ଆଣିଥିବାରୁ ପ୍ରତିନିଧିଦଳର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସମ୍ମାନୀତ କରିଥିଲେ ।

ପ୍ରଧାନମନ୍ତ୍ରୀ ପ୍ରତିନିଧି ଦଳର ସଦସ୍ୟମାନଙ୍କୁ ସ୍ୱାଗତ କରିବା ସହିତ ସେମାନେ ଭାରତର ଅତିଥି ନୁହଁନ୍ତି; ବରଂ ନିଜ ଘରକୁ ଆସିଛନ୍ତି  ବୋଲି କହିଥିଲେ । ଭଭାରତ ସେମାନଙ୍କର ଘର ଏବଂ ସେହି ବିଚାରରେ ଏଠାରେ ରହିବାକୁ  ପ୍ରଧାନମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରତିନିଧିମାନେ ଆଫଗାନିସ୍ଥାନରେ ସମ୍ମୁଖୀନ ହୋଇଥିବା ନାହିଁ ନ ଥିବା ଅସୁବିଧା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବା ସହିତ ସେମାନଙ୍କୁ ନିରାପଦରେ ଭାରତ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ସେମାନଙ୍କ ସହ ଆଫଗାନିସ୍ଥାନର ଅନୁଭୂତି ଶୁଣିଥିଲେ ଏବଂ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)ର ଗୁରୁତ୍ୱ ବୁଝାଇଥିଲେ । ଏହି ଆଇନର ଲାଭ ସମ୍ପୃକ୍ତ ସମ୍ପ୍ରଦାୟଙ୍କୁ ମିଳିଛି ବୋଲି ସେ କହିଥିଲେ । ଭାରତ ଆସିଥିବା ଆଫଗାନ ହିନ୍ଦୁ ଓ ଶିଖ ନାଗରିକଙ୍କ ଅଭାବ ଅସୁବିଧା ଦୂର କରାଯିବ ତଥା ଭବିଷ୍ୟତରେ ସରକାର ସବୁପ୍ରକାର ସହାୟତା ଯୋଗାଣ ଅବ୍ୟାହତ ରହିବା ଘେନି ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ  ଗୁରୁ ଗ୍ରନ୍ଥ ସାହେବଙ୍କୁ  ସମ୍ମାନ ପ୍ରଦାନର ଗୁରୁତ୍ୱପୂର୍ଣ୍ଣ ପରମ୍ପରା ସମ୍ପର୍କରେ କହିଥିଲେ । ଆଫଗାନିସ୍ଥାନରୁ ଗୁରୁ ଗ୍ରନ୍ଥ ସାହେବଙ୍କ ସ୍ୱରୂପକୁ ସମ୍ମାନର ସହିତ ସ୍ୱତନ୍ତ୍ର ବ୍ୟବସ୍ଥାରେ କିପରି ଭାରତ ଅଣାଗଲା ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ଏହି କଥାବାର୍ତ୍ତା ସମୟରେ ଆଫଗାନିସ୍ଥାନରୁ ସେ ପାଇଥିବା ବିପୁଳ ସ୍ନେହଶ୍ରଦ୍ଧା କଥା ଉଲ୍ଲେଖ କରି ବେଶ୍ ଖୁସିର ସହିତ ତାଙ୍କ କାବୁଲଗସ୍ତ କଥା ମନେ ପକାଇଥିଲେ ।

ଆଫଗାନିସ୍ଥାନରୁ ହିନ୍ଦୁ-ଶିଖ୍ ସମୁଦାୟଙ୍କୁ ନିରାପଦରେ ଭାରତ ଆଣିବା ପାଇଁ ପଦକ୍ଷେପ ଗ୍ରହଣ ଓ ସହାୟତା ଯୋଗାଣ ନିମନ୍ତେ ପ୍ରତିନିଧି ଦଳ ପକ୍ଷରୁ ଶ୍ରୀ ମନଜିନ୍ଦର ସିଂହ ସିର୍ସା ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସେ କହିଥିଲେ ଯେ ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ସମୟରେ କେହି ଠିଆ ହୋଇ ନ ଥିବାବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନିରନ୍ତର ସମର୍ଥନ ଓ ସମୟୋଚିତ ସହାୟତା ଯୋଗାଇଥିଲେ । ଦୁର୍ଦ୍ଦଶାକାଳରେ ସେମାନଙ୍କ ସହାୟତା ଓ ସହାନୁଭୂତିର ହାତ ବଢାଇ ନେଇ ଶ୍ରୀ ମୋଦୀ ଠିଆ ହୋଇଥିବାରୁ ସେଥିପାଇଁ ପ୍ରତିନିଧି ଦଳର ଅନ୍ୟ ସଦସ୍ୟମାନେ ମଧ୍ୟ ତାଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ । ସେମାନେ ଆହୁରି କହିଥିଲେ ଯେ ଆଫଗାନିସ୍ଥାନରୁ ଗୁରୁ ଗ୍ରନ୍ଥ ସାହେବଙ୍କ ସ୍ୱରୂପକୁ ସସମ୍ମାନେ ଭାରତ ଆଣିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା କଥା ପ୍ରଧାନମନ୍ତ୍ରୀଙ୍କ ଠାରୁ ଶୁଣିବା ପରେ ସେମାନଙ୍କ ଆଖିରେ ଲୁହ ଆସି ଯାଇଥିଲା । ଭାରତରେ ସିଏଏ ଲାଗୁ ହୋଇଥିବାରୁ ସେମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଥିଲେ । ଏହା ସେମାନଙ୍କ ସମୁଦାୟର ଅଶେଷ ଉପକାର କରିବ ବୋଲି ପ୍ରତିନିଧିମଣ୍ଡଳର ସଦସ୍ୟମାନେ କହିଥିଲେ । ସେମାନେ ଆହୁରି କହିଥିଲେ ଯେ ଶ୍ରୀ ମୋଦୀ କେବଳ ଭାରତର ପ୍ରଧାନମନ୍ତ୍ରୀ ନୁହଁନ୍ତି; ସେ ବାସ୍ତବରେ ସମଗ୍ର ବିଶ୍ୱର ପ୍ରଧାନମନ୍ତ୍ରୀ । ଏହର କାରଣ ହେଲା ଯେ ବିଶ୍ୱର ବିଭିନ୍ନ ଦେଶରେ ବସବାସ କରୁଥିବା ହିନ୍ଦୁ ଓ ଶିଖମାନଙ୍କର ଅସୁବିଧା ସେ ବୁଝନ୍ତି ଏବଂ ସେମାନଙ୍କୁ ତୁରନ୍ତ ଆବଶ୍ୟକ ସାହାଯ୍ୟ ଯୋଗାଇବାକୁ ପଦକ୍ଷେପ ନେଇଥାନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ଓ ସୁଶ୍ରୀ ମିନାକ୍ଷୀ ଲେଖି ପ୍ରମୁଖ ଉପସ୍ଥିତ ଥିଲେ ।

*****

TM / SLP