Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆକାଶବାଣୀରେ ଅଗଷ୍ଟ 28, 2016ରେ ପ୍ରସାରିତ ପ୍ରଧାନମନ୍ତ୍ରୀଙ୍କ “ମନ କି ବାତ” କାର୍ଯ୍ୟକ୍ରମ


ମୋର ପ୍ରିୟ ଦେଶବାସୀଗଣ, ନମସ୍କାର।

ଆସନ୍ତାକାଲି ଅଗଷ୍ଟ 29 ତାରିଖ ହକିର ଯାଦୁକର ଧ୍ୟାନଚାନ୍ଦଜୀଙ୍କ ଜନ୍ମଦିନ। ଏହି ଦିନକୁ ସମଗ୍ର ଦେଶରେ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳନ କରାଯାଉଛି। ମୁଁ ଧ୍ୟାନଚାନ୍ଦଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ଏହି ଅବସରରେ ଆପଣମାନଙ୍କୁ ତାଙ୍କର ଅବଦାନ କଥା ସ୍ମରଣ କରାଇ ଦେବାକୁ ଚାହୁଁଛି। ସେ 1928ରେ, 1932ରେ, 1936ରେ ଅଲମ୍ପିକ କ୍ରୀଡ଼ାରେ ଭାରତ ପାଇଁ ସ୍ୱର୍ଣ୍ଣପଦକ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଆମେ ସବୁ କ୍ରିକେଟପ୍ରେମୀ ବ୍ରାଡମେନଙ୍କ ନାମ ଜାଣୁ। ସେ ଧ୍ୟାନଚାନ୍ଦଜୀଙ୍କ ବିଷୟରେ କହିଥିଲେ – “He scores goals like runs” ଅର୍ଥାତ କ୍ରିକେଟରେ ରନ କଲା ଭଳି ସେ ଗୋଲ କରିପାରୁଥିଲେ । ଧ୍ୟାନଚାନ୍ଦଜୀ କ୍ରୀଡାବିତ ଭାବନା ଏବଂ ଦେଶଭକ୍ତିର ଏକ ଜୀବନ୍ତ ଉଦାହରଣ ଥିଲେ । ଥରେ କୋଲକାତାରେ ଗୋଟିଏ ମ୍ୟାଚ ଖେଳାଯାଉଥିବା ସମୟରେ ପ୍ରତିପକ୍ଷ ଦଳର ଜଣେ ଖେଳାଳି ଧ୍ୟାନଚାନ୍ଦଜୀଙ୍କ ମୁଣ୍ଡରେ ହକି ଷ୍ଟିକରେ ଆଘାତ କଲେ। ସେତେବେଳେ ମ୍ୟାଚ ସରିବାକୁ ମାତ୍ର 10 ମିନିଟ ସମୟ ବାକି ଥିଲା। ଧ୍ୟାନଚାନ୍ଦଜୀ ସେହି 10 ମିନିଟରେ ତିନୋଟି ଗୋଲ କରିଦେଲେ ଏବଂ କହିଲେ ଯେ ଆଘାତର ପ୍ରତିଶୋଧ ମୁଁ ଗୋଲରେ ନେଇଗଲି। ମୋର ପ୍ରିୟ ଦେଶବାସୀଗଣ, ମନ କି ବାତ୍ ର ସମୟ ହେଲେ MyGov କିମ୍ବା NarendraModiAppରେ ବହୁ ସଂଖ୍ୟାରେ ପରାମର୍ଶମାନ ଆସେ। ଏଗୁଡ଼ିକରେ ଅନେକ ବିବିଧତା ଭରି ରହିଥାଏ। କିନ୍ତୁ ମୁଁ ଲକ୍ଷ୍ୟ କଲି, ଏଥର ପ୍ରାୟତଃ, ପ୍ରତ୍ୟେକେ ମୋତେ ଅନୁରୋଧ କରିଛନ୍ତି ଯେ ରିଓ ଅଲମ୍ପିକ୍ସ ସମ୍ପର୍କରେ ଆପଣ ନିଶ୍ଚୟ କିଛି କୁହନ୍ତୁ। ସାଧାରଣ ନାଗରିକମାନଙ୍କର ରିଓ ଅଲମ୍ପିକ୍ସ ପ୍ରତି ଏତେ ଆଗ୍ରହ, ଏତେ ସଚେତନତା ଏବଂ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ ଏ ସମ୍ପର୍କରେ କିଛି କହିବା ପାଇଁ ଚାପ ପକାଇବା, ମୁଁ ଏହାକୁ ଖୁବ୍ ସକାରାତ୍ମକ ଭାବେ ଦେଖୁଛି। କ୍ରିକେଟ ବ୍ୟତୀତ ମଧ୍ୟ ଭାରତର ନାଗରିକମାନଙ୍କର ଅନ୍ୟ ଖେଳଗୁଡ଼ିକ ପ୍ରତି ଏତେ ରୁଚି ରହିଛି। ଏତେ ସଚେତନତା ରହିଛି ଏବଂ ଏତେ ସୂଚନା ରହିଛି। ଲୋକଙ୍କର ଏହି ସନ୍ଦେଶଗୁଡ଼ିକ ପଢ଼ିବା ହିଁ ମୋ ପାଇଁ ଗୋଟିଏ ପ୍ରେରଣାର ସ୍ରୋତ ପାଲଟିଗଲା। ଜଣେ ଶ୍ରୀଯୁକ୍ତ ଅଜିତ ସିଂ NarendraModiApp ରେ ଲେଖିଛନ୍ତି – ଦୟାକରି ଏଥର ମନ କି ବାତ୍ ରେ ଝିଅମାନଙ୍କ ଶିକ୍ଷା ଏବଂ କ୍ରୀଡ଼ାରେ ସେମାନଙ୍କ ଅଂଶଗ୍ରହଣ ସମ୍ପର୍କରେ ନିଶ୍ଚୟ କୁହନ୍ତୁ, କାରଣ ରିଓ ଅଲିମ୍ପିକ୍ସରେ ପଦକ ଜିଣି ସେମାନେ ଦେଶକୁ ଗୌରବାନ୍ୱିତ କରିଛନ୍ତି। କେହି ଶ୍ରୀମାନ ସଚିନ ଲେଖିଛନ୍ତି ଯେ – ଆପଣଙ୍କୁ ଅନୁରୋଧ ରହିଲା ଯେ ଏଥର ମନ କି ବାତ୍ ରେ ସିନ୍ଧୁ, ସାକ୍ଷୀ ଏବଂ ଦୀପା କର୍ମକାରଙ୍କ କଥା ନିଶ୍ଚୟ କହନ୍ତୁ। ଆମକୁ ଯେଉଁ ପଦକ ମିଳିଲା ତାହା ଏହି ଝିଅମାନେ ଆଣିଲେ। ଆମ ଝିଅମାନେ ପୁଣିଥରେ ପ୍ରମାଣିତ କରିଛନ୍ତି ଯେ ସେମାନେ କାହାଠାରୁ କୌଣସି ଗୁଣରେ କମ ନୁହଁନ୍ତି। ଏହି ଝିଅମାନଙ୍କ ମଧ୍ୟରୁ ଜଣେ ଉତ୍ତର ଭାରତର ତ ଅନ୍ୟ ଜଣେ ଦକ୍ଷିଣ ଭାରତର, ଜଣେ ପୂର୍ବ ଭାରତର ତ ଆଉ କେହି ଭାରତର ଅନ୍ୟ କୌଣସି କୋଣର । ଲାଗୁଛି, ସତେ ଯେମିତି ଭାରତର ଝିଅମାନେ ଦେଶର ଗୌରବ ବୃଦ୍ଧି କରିବାର କାମ ହାତକୁ ନେଇଛନ୍ତି। MyGovରେ ଶିଖର ଠାକୁର ଲେଖିଛନ୍ତି ଯେ ଆମେ ଅଲମ୍ପିକ୍ସରେ ଆହୁରି ଭଲ ପ୍ରଦର୍ଶନ କରିପାରିଥାନ୍ତୁ । ସେ ଲେଖିଛନ୍ତି – “ଆଦରଣୀୟ ମୋଦୀ ସାର୍, ସର୍ବପ୍ରଥମେ ଅଲମ୍ପିକ୍ ରେ ଆମେ ଦୁଇଟି ପଦକ ଜିତିଥିବାରୁ ଅଭିନନ୍ଦନ ଜଣାଉଛି। କିନ୍ତୁ ମୁଁ ଏ କଥା ପ୍ରତି ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି ଯେ, ଅଲମ୍ପିକ୍ସ ଖେଳରେ କ’ଣ ବାସ୍ତବରେ ଆମ ପ୍ରଦର୍ଶନ ଭଲ ଥିଲା? ଏହାର ଉତ୍ତର “ନା”। କ୍ରୀଡ଼ା ଦୁଇଟି କ୍ଷେତ୍ରରେ ଆମକୁ ଏକ ସୁଦୀର୍ଘ ପଥ ଅତିକ୍ରମ କରିବାର ଆବଶ୍ୟକତା ରହିଛି। ଆମର ବାପା-ମା’ ଆଜି ମଧ୍ୟ ପାଠପଢ଼ା ଶିକ୍ଷା ସମ୍ବନ୍ଧିତ ବିଷୟ ଉପରେ ଧ୍ୟାନ ଦେବାପାଇଁ ଗୁରୁତ୍ୱ ଦେଉଛନ୍ତି। ସମାଜରେ ଏବେ ମଧ୍ୟ ଖେଳକୁ ସମୟର ଅପଚୟ ଭାବରେ ଗ୍ରହଣ କରାଯାଉଛି। ଆମର ଏହି ଚିନ୍ତାଧାରା ବଦଳାଇବାର ଆବଶ୍ୟକତା ରହିଛି। ସମାଜକୁ ପ୍ରେରଣା ର ଆବଶ୍ୟକତା ରହିଛି ଏବଂ ଏହି କାମ ଆପଣଙ୍କଠାରୁ ଭଲ ଆଉ କେହି କରିପାରିବେନି।” ସେହିପରି କେହି ଜଣେ ଶ୍ରୀମାନ ସତ୍ୟପ୍ରକାଶ ମେହରାଜୀ NarendraModiApp ରେ ଲେଖିଛନ୍ତି – “ମନ କି ବାତ୍”ରେ extra-curricular activities ଉପରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ରହିଛି। ବିଶେଷକରି ପିଲା ଏବଂ ଯୁବକମାନଙ୍କ ଖେଳକୁ ନେଇ।” ହଜାର ହଜାର ଲୋକ ପ୍ରାୟତଃ ଏହି ପ୍ରକାର ଚିନ୍ତାଧାରାର ପରିପ୍ରକାଶ କରିଛନ୍ତି। ଏ କଥାକୁ ଅସ୍ୱୀକାର କରି ହେବନି ଯେ ଆମ ଆଶାନୁଯାୟୀ ଆମେ ପ୍ରଦର୍ଶନ କରିପାରିନୁ। କିଛି ଘଟଣାରେ ଏଭଳି ହୋଇଛି ଯେ ଆମ କ୍ରୀଡ଼ାବିତ୍ ଏଠାରେ ଯାହା ପ୍ରଦର୍ଶନ କରୁଥିଲେ, ସେମାନେ ସେଠାରେ ସେହି ସ୍ତରକୁ ମଧ୍ୟ ପହଞ୍ଚିପାରିଲେନି ଏବଂ ପଦକ ତାଲିକାରେ ମାତ୍ର ଦୁଇଟି ପଦକ ମିଳିଲା । କିନ୍ତୁ ଏକଥା ମଧ୍ୟ ସତ ଯେ, ପଦକ ନ ମିଳିବା ସତ୍ତ୍ୱେ ଟିକିଏ ସୂକ୍ଷ୍ମ ଭାବରେ ଦେଖିଲେ ଅନେକ ଖେଳରେ ପ୍ରଥମ ଥର ଭାରତର ଖେଳାଳି ଯଥେଷ୍ଟ ଭଲ ପ୍ରଦର୍ଶନ ମଧ୍ୟ କରିଛନ୍ତି। ଏଇ ଯେମିତି ଦେଖନ୍ତୁ, Shooting ବା ବନ୍ଧୁକ ଚାଳନାରେ ଆମ ଅଭିନବ ବିନ୍ଦ୍ରାଜୀ ଚତୁର୍ଥ ସ୍ଥାନରେ ରହିଲେ ଏବଂ ଖୁବ୍ କମ୍ ବ୍ୟବଧାନରେ ସେ ପଦକ ଜିତିବାରୁ ବଞ୍ଚିତ ହେଲେ। Gymnastics ରେ ଦୀପା କର୍ମକାର ମଧ୍ୟ ଚମତ୍କାର ପ୍ରଦର୍ଶନ କଲେ। ସେ ଚତୁର୍ଥ ସ୍ଥାନରେ ରହିଲେ। ଖୁବ କମ୍ ବ୍ୟବଧାନରେ ସେ ପଦକ ଜିତିବାରୁ ବଞ୍ଚିତ ହେଲେ। କିନ୍ତୁ ଏକଥା ଆମେ କେମିତି ଭୁଲିପାରିବା ଯେ ସେ ଅଲମ୍ପିକ୍ସ ପାଇଁ ଏବଂ ଅଲମ୍ପିକ୍ସ ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିବାରେ ଭାରତର ପ୍ରଥମ ଝିଅ। ଏଭଳି କିଛି ହିଁ ଘଟିଲା ଟେନିସରେ ସାନିଆ ମିର୍ଜା ଏବଂ ରୋହନ ବୋପନ୍ନାଙ୍କ ଯୋଡ଼ି ସହ । Athletics ଆମେ ଏଥର ଭଲ ପ୍ରଦର୍ଶନ କଲୁ। ପି.ଟି. ଉଷାଙ୍କ 32 ବର୍ଷ ପରେ ପ୍ରଥମ ଥର ଲଳିତା ବାବର track field ଫାଇନାଲ ପାଇଁ ଯୋଗ୍ୟତା ହାସଲ କଲେ। ଆପଣମାନେ ଜାଣି ଖୁସି ହେବେ ଯେ, 36 ବର୍ଷ ପରେ ମହିଳା ହକି ଦଳ ଅଲମ୍ପିକ ଯାଏ ପହଞ୍ଚିଲା । ଦୀର୍ଘ 36 ବର୍ଷ ପରେ ପୁରୁଷ ହକି ଦଳ knock out stage ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳ ହେଲା। ଆମ ଦଳ ବହୁତ ଟାଣୁଆ ଏବଂ ମଜାକଥା ହେଲା ଯେ, ସ୍ୱର୍ଣ୍ଣପଦକ ଜିତିଥିବା ଆର୍ଜେଣ୍ଟିନା ଦଳ ସମ୍ପୂର୍ଣ୍ଣ ଟୁର୍ଣାମେଣ୍ଟ ରେ ମାତ୍ର ଗୋଟିଏ ମ୍ୟାଚରେ ପରାଜିତ ହେଲା। ତାଙ୍କୁ ପରାଜିତ କିଏ କଲେ ଜାଣନ୍ତି ? ସେମାନେ ହେଲେ ଭାରତର ଖେଳାଳି। ତେଣୁ ଆଗାମୀ ସମୟ ନିଶ୍ଚିତ ଭାବରେ ଆମପାଇଁ ଭଲ ହେବ।

Boxing ରେ ବିକାଶକୃଷ୍ଣ ଯାଦବ କ୍ଵାଟର ଫାଇନାଲ ଯାଏ ପହଞ୍ଚିଲେ, କିନ୍ତୁ ବ୍ରୋଞ୍ଜ ପାଇପାରିଲେନି। ଅନେକ ଖେଳାଳି ଉଦାହରଣ ସ୍ୱରୂପ – ଅଦିତି ଅଶୋକ, ଦତ୍ତୁ ଭୋକନାଲ୍, ଅତନୁ ଦାସ ଏମିତି ଅନେକ ନାଁ ରହିଛି, ଯେଉଁମାନଙ୍କ ପ୍ରଦର୍ଶନ ଭଲ ଥିଲା। କିନ୍ତୁ ମୋର ପ୍ରିୟ ଦେଶବାସୀଗଣ, ଆମକୁ ବହୁତ କିଛି କରିବାକୁ ପଡ଼ିବ। ଯାହା କରିଆସିଛୁ ତାହାହିଁ ଯଦି କରିବା, ହୁଏତ ପୁଣି ଆମକୁ ହତାଶ ହେବାକୁ ପଡ଼ିବ। ମୁଁ ଗୋଟିଏ କମିଟି ଗଠନ ସମ୍ପର୍କରେ ଘୋଷଣା କରିଛି। ଭାରତ ସରକାର in house ରେ ଏହାର ଗଭୀରତାକୁ ଯିବେ। ବିଶ୍ୱରେ କ’ଣ କ’ଣ କାର୍ଯ୍ୟକଳାପ ହେଉଛି ତାହା ଅନୁଧ୍ୟାନ କରିବେ। ଆମେ କ’ଣ ଭଲ କରିପାରିବା ସେ ସମ୍ପର୍କରେ ଏହି କମିଟି ଗୋଟିଏ Roadmap ପ୍ରସ୍ତୁତ କରିବ। 2020, 2024, 2028 – ଗୋଟିଏ ଦୀର୍ଘ ସମୟ କଥା ଚିନ୍ତା କରି ଆମକୁ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ। ମୁଁ ରାଜ୍ୟ ସରକାରମାନଙ୍କୁ ମଧ୍ୟ ଅନୁରୋଧ କରୁଛି ଯେ, ଆପଣମାନେ ମଧ୍ୟ ଏଭଳି କମିଟିମାନ ଗଠନ କରନ୍ତୁ ଏବଂ କ୍ରୀଡ଼ା ଜଗତରେ ଆମେ କ’ଣ କରିପାରିବା, ଆମର ପ୍ରତ୍ୟେକଟି ରାଜ୍ୟ କ’ଣ କରିପାରିବ, ରାଜ୍ୟ ନିଜ ପସନ୍ଦର ଗୋଟିଏ କିମ୍ବା ଦୁଇଟି ଖେଳ ବାଛିନିଅନ୍ତୁ – ଦେଖାଯାଉ – ସେମାନେ ଏଥିରେ କିଭଳି ତାଙ୍କ ଶକ୍ତି ପ୍ରଦର୍ଶନ କରୁଛନ୍ତି।

ମୁଁ କ୍ରୀଡ଼ା ଜଗତ ସହିତ ଜଡ଼ିତ ସଂଗଠନମାନଙ୍କୁ ମଧ୍ୟ ଅନୁରୋଧ କରୁଛି ଯେ, ସେମାନେ ନିରପେକ୍ଷ ଭାବରେ ମାନସ ମନ୍ଥନ (Brain Storming) କରନ୍ତୁ। ଭାରତର ପ୍ରତ୍ୟେକ ନାଗରିକଙ୍କୁ ମଧ୍ୟ ଅନୁରୋଧ କରୁଛି ଯେ, ଯାହାର ବି ଏଥିରେ ଆଗ୍ରହ ରହିଛି ସେ ମୋତେ NarendraModiApp ରେ ପ୍ରସ୍ତାବ ପଠାନ୍ତୁ । ସରକାରଙ୍କୁ ଲେଖନ୍ତୁ, ସଂଗଠନମାନେ ଆଲୋଚନା ଓ ପର୍ଜ୍ୟାଲୋଚନା କରି ନିଜର ସ୍ମାରକପତ୍ର ସରକାରଙ୍କୁ ପଠାନ୍ତୁ। ରାଜ୍ୟ ସରକାରମାନ ଆଲୋଚନା କରି ନିଜର ପରାମର୍ଶ ଦିଅନ୍ତୁ। କିନ୍ତୁ ଆମ ପ୍ରସ୍ତୁତି ସମ୍ପୂର୍ଣ୍ଣ ଭାବରେ ହେବା ଦରକାର ଏବଂ ଆମେ ଶହେ ପଚିଶ କୋଟି ଦେଶବାସୀ, ଯେଉଁ ଦେଶର ମୋଟ ଜନସଂଖ୍ୟାର 65 ପ୍ରତିଶତ ଯୁବଗୋଷ୍ଠୀର, ଆମେ ଖେଳର ଦୁନିଆରେ ମଧ୍ୟ ଉନ୍ନତ ସ୍ଥିତିରେ ରହିବା। ଏହି ସଂକଳ୍ପର ସହିତ ଆମକୁ ଆଗକୁ ବଢ଼ିବାକୁ ହେବ।

ମୋର ପ୍ରିୟ ଦେଶବାସୀଗଣ, ସେପ୍ଟେମ୍ବର 5 ତାରିଖ ଦିନ “ଗୁରୁଦିବସ”। ଅନେକ ବର୍ଷ ଧରି ମୁଁ ଗୁରୁଦିବସ ଦିନ ବିଦ୍ୟାର୍ଥୀମାନଙ୍କ ସହିତ ବହୁତ ସମୟ କଟାଉଥିଲି। ତାହା ପୁଣି ବିଦ୍ୟାର୍ଥୀଙ୍କ ପରି କଟାଉଥିଲି। ଏହି ଛୋଟ ଛୋଟ ପିଲାଙ୍କଠାରୁ ମଧ୍ୟ ବହୁତ କିଛି ଶିଖୁଥିଲି। 5 ସେପ୍ଟେମ୍ବର ମୋ ପାଇଁ ଗୁରୁଦିବସ ବି ଥିଲା ଆଉ “ଶିକ୍ଷା ଦିବସ” ମଧ୍ୟ। କିନ୍ତୁ ଏଥର ମୋତେ ଜି-20 ଶିଖର ବୈଠକ ପାଇଁ ଯିବାକୁ ପଡ଼ୁଛି। ତେଣୁ ଏ ସମ୍ପର୍କରେ ଆଜିର ମନ କି ବାତ୍ ରେ ଏ କଥା କହିବାକୁ ମୋର ଇଚ୍ଛା ହେଲା। ଜୀବନରେ “ମା”ଙ୍କ ସ୍ଥାନ ଯାହା, ଗୁରୁଙ୍କ ସ୍ଥାନ ମଧ୍ୟ ତାହା। ମୁଁ ଏମିତି ଶିକ୍ଷକ ମଧ୍ୟ ଦେଖିଛି ଯେଉଁମାନେ ନିଜ ଅପେକ୍ଷା ନିଜ ଲୋକଙ୍କ ପାଇଁ ବେଶୀ ଚିନ୍ତିତ। ସେମାନେ ନିଜ ଶିଷ୍ୟମାନଙ୍କ ପାଇଁ, ନିଜ ଛାତ୍ରୀମାନଙ୍କ ପାଇଁ ନିଜ ଜୀବନ ସମର୍ପିତ କରିଦିଅନ୍ତି। ରିଓ ଅଲିମ୍ପିକ୍ସ ପରେ ଆଜିକାଲି ପୁଲ୍ଲେଲା ଗୋପୀଚାନ୍ଦ ଜୀଙ୍କ ସମ୍ପର୍କରେ ଚାରିଆଡ଼େ ଆଲୋଚନା ହେଉଛି। ସେ ନିଜେ ତ ଜଣେ କ୍ରୀଡ଼ାବିତ୍ କିନ୍ତୁ ଜଣେ ଉତ୍ତମ ଗୁରୁ କାହାକୁ କୁହାଯାଇପାରେ – ସେ ଏହାର ଉଦାହରଣ ପ୍ରସ୍ତୁତ କରିଛନ୍ତି। ମୁଁ ଆଜି ଗୋପୀଚାନ୍ଦ ଜୀଙ୍କୁ ଜଣେ ଖେଳାଳି ହେବାସହ ଜଣେ ଉତ୍ତମ ଶିକ୍ଷକଙ୍କ ରୂପରେ ଦେଖୁଛି ଏବଂ ଗୁରୁଦିବସ ଅବସରରେ ପୁଲ୍ଲେଲା ଗୋପୀଚାନ୍ଦଜୀଙ୍କୁ, ତାଙ୍କର ତପସ୍ୟାକୁ, ଖେଳ ପ୍ରତି ତାଙ୍କର ସମର୍ପଣ ଭାବକୁ ଏବଂ ନିଜ ଶିଷ୍ୟର ସଫଳତାରେ ଆନନ୍ଦ ପାଇବାର ତାଙ୍କ ଢଙ୍ଗକୁ ଅଭିନନ୍ଦନ କରୁଛି। ଆମ ସମସ୍ତଙ୍କ ଜୀବନରେ ଶିକ୍ଷକଙ୍କ ଅବଦାନ ସବୁବେଳେ ଅନୁଭୂତ ହୋଇଥାଏ। ସେପ୍ଟେମ୍ବର 5 ତାରିଖ, ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନନ୍ ଜୀଙ୍କର ଜନ୍ମଦିନ। ସାରା ଦେଶରେ ଏହି ଦିନଟିକୁ ଗୁରୁଦିବସ ଭାବରେ ପାଳନ କରାଯାଏ। ସେ ଜୀବନରେ ଯେକୌଣସି ସ୍ତରକୁ ଗଲେ। ସେଠାରେ ନିଜେ ସବୁବେଳେ ଜଣେ ଶିକ୍ଷକ ଭାବରେ ହିଁ ଜୀବନଯାପନ କରିବାକୁ ଚେଷ୍ଟା କରିଥିଲେ। କେବଳ ସେତିକି ନୁହେଁ, ସେ ସବୁବେଳେ କହୁଥିଲେ “ଉତ୍ତମ ଶିକ୍ଷକ ସେହି, ଯାହା ଭିତରର ଛାତ୍ର କେବେହେଲେ ମରେ ନାହିଁ।” ରାଷ୍ଟ୍ରପତି ପଦରେ ଥାଇ ମଧ୍ୟ ଶିକ୍ଷକ ରୂପରେ ବଞ୍ଚିବା ଏବଂ ଶିକ୍ଷକ ମନ ଯୋଗୁଁ, ନିଜ ଅନ୍ତରର ଛାତ୍ରକୁ ବଞ୍ଚାଇ ରଖିବା ଭଳି ଅଦ୍ଭୁତ ଜୀବନ ଡ. ରାଧାକୃଷ୍ଣନନ୍ ଜୀ ଜିଇଁ କରି ଦେଖାଇଲେ।

ମୁଁ ମଧ୍ୟ ବେଳେବେଳେ ଭାବେ। ମୋର ତ ମୋ ଶିକ୍ଷକମାନଙ୍କର ଏତେସବୁ କଥା ମନେ ଅଛି କାରଣ ଆମର ଛୋଟିଆ ଗାଁରେ ସେହିମାନେ ତ ଆମ Hero ଥିଲେ। କିନ୍ତୁ ଆଜି ମୁଁ ଖୁସିର ସହ କହୁଛି ଯେ, ମୋର ଜଣେ ଶିକ୍ଷକ – ତାଙ୍କୁ ଏବେ 90 ବର୍ଷ ହେଲାଣି, ଆଜି ମଧ୍ୟ ପ୍ରତି ମାସରେ ତାଙ୍କ ଚିଠି ମୋତେ ମିଳୁଛି। ତାଙ୍କର ହାତଲେଖା ଚିଠି ଆସୁଛି। ମାସକ ମଧ୍ୟରେ ସେ ଯେଉଁ ବହିଗୁଡ଼ିକ ପଢ଼ିଥାନ୍ତି, ସେ ବିଷୟରେ କିଛି ନା କିଛି ଚର୍ଚ୍ଚା କରିଥାନ୍ତି। ସେଥିରୁ ଉଦ୍ଧୃତ କିଛି ଅଂଶ ପଠାଇଥାନ୍ତି। ମାସଯାକ ମୁଁ କ’ଣ କଲି, ତାଙ୍କ ଦୃଷ୍ଟିରେ ତାହା ଠିକ୍ ଥିଲା କି ନାହିଁ, ସତେ ଯେମିତି ଆଜି ମଧ୍ୟ ମୋତେ ସେ ଉକ୍ଷବଗ୍ଦଗ୍ଦକ୍ସକ୍ଟକ୍ଟଜ୍ଞରେ ପଢ଼ାଉଛନ୍ତି। ସେ ଆଜି ମଧ୍ୟ ମୋତେ ଏକ ପ୍ରକାର correspondence course ଦୂରଶିକ୍ଷା ପାଠ ପଢାଉଛନ୍ତି। 90 ବର୍ଷ ବୟସରେ ତାଙ୍କର ହାତଲେଖା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏହି ବୟସରେ ବି ସେ ଏତେ ସୁନ୍ଦର ହସ୍ତାକ୍ଷର ଲେଖନ୍ତି, ହେଲେ ମୋ ନିଜର ଅକ୍ଷର ଖୁବ ଅସୁନ୍ଦର। ତେଣୁ ମୁଁ ଯେତେବେଳେ ବି କାହାର ସୁନ୍ଦର ଅକ୍ଷର ଦେଖେ, ମୋର ତାଙ୍କ ପ୍ରତି ଆଦର ଖୁବ ବଢ଼ିଯାଏ। ମୋ ଭଳି ଅନୁଭୂତି ଆପଣମାନଙ୍କର ମଧ୍ୟ ଥିବ। ଆପଣଙ୍କ ଶିକ୍ଷକଙ୍କ ଯୋଗୁଁ ଆପଣଙ୍କ ଜୀବନରେ ଯାହା କିଛି ଭଲ ହୋଇଛି, ସେ ବିଷୟରେ ଦୁନିଆକୁ ଜଣାଇଲେ ଶିକ୍ଷକମାନଙ୍କ ପ୍ରତି ସମସ୍ତଙ୍କ ଦୃଷ୍ଟିକୋଣରେ ପରିବର୍ତ୍ତନ ହେବ, ସେମାନଙ୍କ ଗୌରବ ବୃଦ୍ଧି ପାଇବ। ସମାଜରେ ଶିକ୍ଷକମାନଙ୍କ ଗୌରବ ବୃଦ୍ଧି କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଯଦି ଆପଣଙ୍କ ଶିକ୍ଷକଙ୍କ ସହିତ ଆପଣଙ୍କ ଫଟୋ ଥାଏ, କିମ୍ବା ତାଙ୍କ ସହ ଘଟିଥିବା କୌଣସି ଘଟଣା କିମ୍ବା, ତାଙ୍କର କୌଣସି ପ୍ରେରଣାଦାୟୀ କଥା ଥାଏ ଆପଣ NarendraModiApp ରେ ନିଶ୍ଚୟ ବାଣ୍ଟନ୍ତୁ । ଦେଶରେ ଶିକ୍ଷକମାନଙ୍କ ଅବଦାନକୁ ବିଦ୍ୟାର୍ଥୀଙ୍କ ଦୃଷ୍ଟିରୁ ଦେଖିବା ମଧ୍ୟ ବହୁତ ମୂଲ୍ୟବାନ।

ମୋର ପ୍ରିୟ ଦେଶବାସୀଗଣ, ଗଣେଶ ଉତ୍ସବକୁ ଆଉ ମାତ୍ର କିଛିଦିନ ରହିଲା, ଗଣେଶ ବିଘ୍ନହର୍ତ୍ତା। ଆମେ ସମସ୍ତେ ଆଶା କରିବା ଯେ, ଆମ ଦେଶ, ଆମ ସମାଜ, ଆମମାନଙ୍କ ପରିବାର, ଆମର ପ୍ରତ୍ୟେକ ବ୍ୟକ୍ତିର ଜୀବନ ନିର୍ବିଘ୍ନ ହେଉ। ଗଣେଶ ଉତ୍ସବ କଥା କହିବା ବେଳେ, ଲୋକମାନ୍ୟ ତିଲକଜୀଙ୍କ କଥା ମନେ ପଡ଼ିବା ସ୍ୱାଭାବିକ। ସାର୍ବଜନୀନ ଗଣେଶ ଉତ୍ସବର ପରମ୍ପରା ଲୋକମାନ୍ୟ ତିଲକଜୀଙ୍କ ଅବଦାନ। ସାର୍ବଜନୀନ ଗଣେଶ ଉତ୍ସବ ମାଧ୍ୟମରେ ସେ ଏହି ଧାର୍ମିକ ଅବସରକୁ ଜାତୀୟ ଜାଗରଣର ପର୍ବ କରିଦେଲେ। ସାର୍ବଜନୀନ ଗଣେଶ ଉତ୍ସବ ମାଧ୍ୟମରେ ସେ ଏହି ଧାର୍ମିକ ଅବସରକୁ ଜାତୀୟ ଜାଗରଣର ପର୍ବ କରିଦେଲେ। ସାର୍ବଜନୀନ ଗଣେଶ ଉତ୍ସବ ମାଧ୍ୟମରେ ସାମାଜିକ ଜୀବନକୁ ସ୍ପର୍ଶ କରୁଥିବା ସମସ୍ୟାଗୁଡ଼ିକର ବୃହତ ଆଲୋଚନା ହେଉ। ଏଭଳି କାର୍ଯ୍ୟକ୍ରମମାନ ହେଉ ଯାହାଦ୍ୱାରା ସମାଜକୁ ନୂତନ ଆଲୋକ ମିଳୁ, ଶକ୍ତି ମିଳୁ। ଏହା ସାଙ୍ଗକୁ ସେ ଯେଉଁ ମନ୍ତ୍ର ଦେଇଥିଲେ “ସ୍ୱରାଜ୍ୟ ମୋର ଜନ୍ମଗତ ଅଧିକାର” ତାହା କେନ୍ଦ୍ରରେ ରହୁ। ସ୍ୱାଧୀନତା ସଂଗ୍ରାମକୁ ଶକ୍ତି ମିଳୁ। ଆଜିକାଲି ତ ଗଣେଶ ଉତ୍ସବ ମହାରାଷ୍ଟ୍ରରେ ସୀମିତ ହୋଇ ରହିନାହିଁ, ଭାରତର ପ୍ରତ୍ୟେକ କୋଣରେ ସାର୍ବଜନୀନ ଗଣେଶ ଉତ୍ସବ ପାଳନ କରାଯାଉଛି। ସବୁ ଯୁବକମାନେ ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ କରିଥାନ୍ତି। ଏଥିପାଇଁ ସେମାନଙ୍କ ଉତ୍ସାହ ମଧ୍ୟ ବହୁତ ରହିଥାଏ। ଏବେ ମଧ୍ୟ କିଛି ଲୋକ ଲୋକମାନ୍ୟ ତିଲକଜୀଙ୍କର ଭାବନାର ଅନୁସରଣ କରିବାର ଭରପୁର ପ୍ରଚେଷ୍ଟା ମଧ୍ୟ କରିଛନ୍ତି। ସେମାନେ ସାର୍ବଜନୀନ ବିଷୟବସ୍ତୁ ଉପରେ ଆଲେଚନାଚକ୍ର, ପ୍ରବନ୍ଧ ପ୍ରତିଯୋଗିତା, ଝୋଟି ପ୍ରତିଯୋଗିତା ଆଦିର ଆୟୋଜନ କରନ୍ତି। ସେମାନଙ୍କ ବିଜ୍ଞାପନ ମେଢରେ ମଧ୍ୟ ସମାଜକୁ ସ୍ପର୍ଶ କରୁଥିବା ପ୍ରସଙ୍ଗଗୁଡ଼ିକୁ ଖୁବ କଳାତ୍ମକ ଭାବେ ପ୍ରସ୍ଫୁଟିତ କରାଯାଇଥାଏ। ଗଣେଶ ଉତ୍ସବ ମାଧ୍ୟମରେ ଏକ ପ୍ରକାର ଜନଶିକ୍ଷାର ଗୋଟିଏ ବିରାଟ ଅଭିଯାନ ଚାଲେ। “ସ୍ୱରାଜ୍ୟ ଆମର ଜନ୍ମଗତ ଅଧିକାର” ଏହି ପ୍ରେରଣାଦାୟୀ ମନ୍ତ୍ର ଲୋକମାନ୍ୟ ତିଲକ ଆମକୁ ଦେଇଥିଲେ। ଆମେ କିନ୍ତୁ ଏବେ ସ୍ୱାଧୀନ ଭାରତରେ ବାସ କରୁଛୁ। ତେଣୁ ସାର୍ବଜନୀନ ଗଣେଶ ଉତ୍ସବରେ “ସ୍ୱରାଜ୍ୟ ଆମର ଅଧିକାର” ଏହି ମନ୍ତ୍ରକୁ ନେଇ ସୁରାଜ୍ୟ ଦିଗରେ ଆଗକୁ ବଢ଼ିବା।” ସୁରାଜ୍ୟ ଆମର ପ୍ରାଥମିକତା ହେଉ।” ଏହି ବାର୍ତ୍ତା ଆମେ କ’ଣ ସାର୍ବଜନୀନ ଗଣେଶ ଉତ୍ସବ ମାଧ୍ୟମରେ ପ୍ରଚାର କରିପାରିବା ନାହିଁ? ଆସନ୍ତୁ, ଏଥିପାଇଁ ମୁଁ ଆପଣଙ୍କୁ ନିମନ୍ତ୍ରଣ ଦେଉଛି।

ଏକଥା ସତ ଯେ, ଉତ୍ସବ ସମାଜର ଶକ୍ତି। ଉତ୍ସବ ସମାଜର ଜୀବନରେ ନୂତନ ପ୍ରାଣ ସବାର କରେ। ଉତ୍ସବ ବିନା ଜୀବନ ଅସମ୍ଭବ। କିନ୍ତୁ ସମୟର ଆବଶ୍ୟକତା ଅନୁସାରେ ଏହାକୁ ପରିବର୍ତ୍ତନ କରିବାକୁ ପଡ଼େ। ଏଥର ମୁଁ ଲକ୍ଷ୍ୟ କରିଛି ଯେ, ଅନେକ ଲୋକ ମୋତେ ଗଣେଶ ଉତ୍ସବ ଏବଂ ଦୁର୍ଗାପୂଜା ସମ୍ପର୍କରେ ବହୁତ କିଛି ଲେଖିଛନ୍ତି। ସେମାନେ କିନ୍ତୁ ଚିନ୍ତିତ ପରିବେଶକୁ ନେଇ। ଶ୍ରୀଯୁକ୍ତ ଶଙ୍କର ନାରାୟଣ ପ୍ରଶାନ୍ତ ନାମକ ଜଣେ ବ୍ୟକ୍ତି ଖୁବ୍ ଉତ୍ସାହର ସହିତ ଲେଖିଛନ୍ତି ଯେ, ମୋଦିଜୀ ଆପଣ ମନ କି ବାତ୍ ରେ Plaster of Paris ରେ ତିଆରି ଗଣେଶଙ୍କ ମୂର୍ତ୍ତି ବ୍ୟବହାର ନ କରିବା ସମ୍ପର୍କରେ ଲୋକଙ୍କୁ ବୁଝାନ୍ତୁ। ତା ବଦଳରେ ଗାଁ ପୋଖରୀର ମାଟିରେ ନିର୍ମିତ ଗଣେଶ ମୂର୍ତ୍ତିକୁ ବ୍ୟବହାର କାହିଁକି ନ କରିବା ? Plaster of Paris ରେ ତିଆରି ମୂର୍ତ୍ତି ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ତାଙ୍କ ସହିତ ଆହୁରି ଅନେକ ଏହି ବ୍ୟଥାକୁ ପରିପ୍ରକାଶ କରିଛନ୍ତି। ମୁଁ ମଧ୍ୟ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି – ଆମେ ମାଟି ତିଆରି ମୂର୍ତ୍ତି ବ୍ୟବହାର କରି ଆମର ପୁରାତନ ପରମ୍ପରାକୁ କାହିଁକି ଉଜ୍ଜୀବିତ ନ କରିବା ? ପରିବେଶ ସୁରକ୍ଷା, ଆମର ନଈ- ପୋଖରୀର ସୁରକ୍ଷା, ସେଥିରେ ସୃଷ୍ଟି ହେଉଥିବା ପ୍ରଦୂଷଣରୁ ଛୋଟ ଛୋଟ ଜଳଚର ଜୀବମାନଙ୍କ ସୁରକ୍ଷା – ଏହା ବି ତ ଈଶ୍ୱରଙ୍କ ସେବା । ପ୍ରଭୁ ଗଣେଶ ବିଘ୍ନ ବିନାଶ। ତେଣୁ ଆମେ ଏଭଳି ଗଣେଶଙ୍କ ନିର୍ମାଣ କରିବା ଅନୁଚିତ ଯିଏ ବିଘ୍ନ ସୃଷ୍ଟି କରିବେ। ମୁଁ ଜାଣିନି, ମୋର ଏହି କଥାକୁ ଆପଣ କେଉଁ ରୂପରେ ଗ୍ରହଣ କରିବେ। କିନ୍ତୁ ଏ କଥା କେବଳ ମୁଁ କହୁନାହିଁ, ଅନେକ ଲୋକ କହୁଛନ୍ତି। ଅନେକ ଲୋକଙ୍କ ବିଷୟରେ ମୁଁ ଅନେକ ଥର ଶୁଣିଛି। ପୁଣେର ଜଣେ ଶିଳ୍ପୀ ଶ୍ରୀଯୁକ୍ତ ଅଭିଜିତ ଧୋଡ଼ଫଲେ, କୋଲ୍ହାପୁରର ଅନୁଷ୍ଠାନ – ନିସର୍ଗ ମିତ୍ର, ବିଜ୍ଞାନ ପ୍ରବୋଧିନୀ । ବିଦର୍ଭ ଅବଳରେ ନିସର୍ଗ କଟ୍ଟା, ପୁଣେର ଜ୍ଞାନ ପ୍ରବୋଧିନୀ। ମୁମ୍ବାଇର ଗିର୍ଗାଓଁଚା ରାଜା ଏବଂ ଏଭଳି ଅନେକ ଅନୁଷ୍ଠାନ। ଲୋକ, ମାଟିର ଗଣେଶ ପାଇଁ ବହୁତ ପରିଶ୍ରମ କରନ୍ତି, ପ୍ରଚାର ମଧ୍ୟ କରନ୍ତି। ପରିବେଶଧର୍ମୀ ଗଣେଶୋତ୍ସବ ମଧ୍ୟ ଗୋଟିଏ ସମାଜସେବାର କାର୍ଯ୍ୟ। ଦୁର୍ଗାପୂଜା ପାଇଁ କିଛି ସମୟ ବାକି ଅଛି। ଆମେ ଏବେଠାରୁ ସ୍ଥିର କରିବା ତେବେ, ମୂର୍ତ୍ତି ଗଢ଼ୁଥିବା ସେହି ପୁରୁଣା ପରିବାରର ମଧ୍ୟ ରୋଜଗାର ହେବ, ନଈ କିମ୍ବା ପୋଖରୀ ମାଟିରେ ତିଆରି ହେଲେ ପୁଣି ସେଥିରେ ମିଳାଇଯିବ। ଏହିଭଳି ପରିବେଶ ମଧ୍ୟ ସୁରକ୍ଷିତ ରହିବ। ଆପଣ ସମସ୍ତଙ୍କୁ ଗଣେଶୋତ୍ସବ ପାଇଁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି।

ମୋର ପ୍ରିୟ ଦେଶବାସୀଗଣ, ଭାରତରତ୍ନ ମଦର ଟେରେସାଙ୍କୁ ସେପ୍ଟେମ୍ବର 4 ତାରିଖ ଦିନ ସନ୍ଥ ଉପାଧି ପ୍ରଦାନ କରାଯିବ। ମଦର ଟେରେସା ନିଜର ସମ୍ପୂର୍ଣ୍ଣ ଜୀବନକୁ ଭାରତରେ ଗରିବମାନଙ୍କ ସେବାରେ ଉତ୍ସର୍ଗ କରିଦେଇଥିଲେ। ତାଙ୍କର ଜନ୍ମ ଆଲବାନିଆ (Albania) ରେ ହୋଇଥିଲା। ତାଙ୍କର ଭାଷା ମଧ୍ୟ ଇଂରାଜୀ ନ ଥିଲା। କିନ୍ତୁ ସେ ନିଜ ଜୀବନକୁ ବଦଳାଇଲେ। ଗରିବମାନଙ୍କ ସେବା ପାଇଁ ଯୋଗ୍ୟ ହେବାପାଇଁ ଭରପୁର ପ୍ରଚେଷ୍ଟା କଲେ। ସାରା ଜୀବନ ଭାରତର ଗରିବମାନଙ୍କ ସେବା କରିଥିବା ଏହି ମଦର ଟେରେସାଙ୍କୁ ଯେତେବେଳେ ସନ୍ଥ ଉପାଧିରେ ଭୂଷିତ କରାଯାଉଛି, ସେତେବେଳେ ସମସ୍ତ ଭାରତବାସୀ ଗୌରବ ଅନୁଭବ କରିବା ସ୍ୱାଭାବିକ କଥା। ସେପ୍ଟେମ୍ବର 4 ତାରିଖରେ ହେବାକୁ ଥିବା ଏହି ସମାରୋହକୁ ଶହେ ପଚିଶ କୋଟି ଦେଶବାସୀଙ୍କ ତରଫରୁ ଭାରତ ସରକାର ଆମ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ନେତୃତ୍ୱରେ ଆନୁଷ୍ଠାନିକ ଭାବରେ ଗୋଟିଏ ପ୍ରତିନିଧି ମଣ୍ଡଳ ସେଠାକୁ ପଠାଇବ। ସନ୍ଥମାନଙ୍କ ଠାରୁ, ମୁନି ଋଷିମାନଙ୍କ ଠାରୁ, ମହାପୁରୁଷମାନଙ୍କଠାରୁ ଆମକୁ ସବୁବେଳେ କିଛି ନା କିଛି ଶିଖିବାକୁ ମିଳିଥାଏ। ଆମେ କିଛି ନା କିଛି ପାଉଥିବା, ଶିଖୁଥିବା ଏବଂ କିଛି ନା କିଛି ଭଲ କରୁଥିବା।

ମୋର ପ୍ରିୟ ଦେଶବାସୀଗଣ, ବିକାଶ ଜନଆନ୍ଦୋଳନରେ ପରିଣତ ହେଲେ କେତେ ବଡ଼ ପରିବର୍ତ୍ତନ ହୁଏ। ଜନଶକ୍ତିକୁ ଈଶ୍ୱରଙ୍କ ରୂପ ଭାବେ ବିବେଚନା କରାଯାଏ। ବିଗତ ଦିନରେ ଭାରତ ସରକାର 5 ରାଜ୍ୟ ସରକାରଙ୍କ ସହଯୋଗରେ ସ୍ୱଚ୍ଛ ଗଙ୍ଗା ପାଇଁ, ଗଙ୍ଗାର ସଫେଇ ପାଇଁ ଲୋକମାନଙ୍କୁ ଏକାଠି କରିବାର ଗୋଟିଏ ସଫଳ ପ୍ରୟାସ କରିଛନ୍ତି। ଚଳିତ ମାସ 20 ତାରିଖ ଦିନ ଗଙ୍ଗାକୂଳରେ ଥିବା ଗାଁମାନଙ୍କର ମୁଖିଆମାନଙ୍କ ଆହ୍ଲାବାଦକୁ ନିମନ୍ତ୍ରଣ କରାଯାଇଥିଲା। ସେଥିରେ ପୁରୁଷମାନେ ବି ଥିଲେ, ମହିଳାମାନେ ବି ଥିଲେ। ସେମାନେ ଆହ୍ଲାବାଦ ଆସିଲେ ଏବଂ ମାତା ଗଙ୍ଗାଙ୍କୁ ସାକ୍ଷୀ ରଖି ଶପଥ କଲେ ଯେ ସେମାନେ ଗଙ୍ଗାନଦୀ କୂଳରେ ଥିବା ସେମାନଙ୍କ ଗାଁମାନଙ୍କରେ ମୁକ୍ତାକାଶ ତଳେ ଶୌଚକ୍ରିୟାର ପରମ୍ପରାକୁ ତତକ୍ଷଣାତ ବନ୍ଦ କରାଇବେ, ଶୌଚାଳୟ ନିର୍ମାଣ ପାଇଁ ଅଭିଯାନ ଆରମ୍ଭ କରିବେ ଏବଂ ଗଙ୍ଗା ସଫେଇରେ ସେହି ଗ୍ରାମବାସୀ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିବେ ଏବଂ ଗଙ୍ଗାନଦୀକୁ ପ୍ରଦୂଷିତ ହେବାକୁ ଦେବେ ନାହିଁ। ଏହି ମୁଖିଆମାନଙ୍କ ମଧ୍ୟରୁ କିଏ ଉତ୍ତରାଖଣ୍ଡରୁ ଆସିଥିଲା ତ କିଏ ଉତ୍ତରପ୍ରଦେଶରୁ କେହି ବିହାରରୁ ତ କେହି ଝାଡଖଣ୍ଡରୁ ତ କେହି ପଶ୍ଚିମବଙ୍ଗରୁ। ମୁଁ ଏହି ମୁଖିଆମାନଙ୍କୁ ଆହ୍ଲାବାଦ ଆସିବା ଏବଂ ଏଭଳି ସଂକଳ୍ପ ଗ୍ରହଣ କରିବା ପାଇଁ ଅଭିନନ୍ଦନ ଜଣାଉଛି। ମୁଁ ଭାରତ ସରକାରଙ୍କ ସେହି ସମସ୍ତ ମନ୍ତ୍ରଣାଳୟକୁ ମଧ୍ୟ ଅଭିନନ୍ଦନ ଜଣାଉଛି। ସେହି ମନ୍ତ୍ରୀମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି ଯେଉଁମାନେ ଏହି କଳ୍ପନାକୁ ବାସ୍ତବତାର ରୂପ ପ୍ରଦାନ କରଛନ୍ତି। ମୁଁ ସେହି ସମସ୍ତ 5ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି ଯେ, ସେମାନେ ଜନଶକ୍ତିକୁ ଏକତ୍ର କରି ଗଙ୍ଗାକୁ ପ୍ରଦୂଷଣମୁକ୍ତ କରିବା କାର୍ଯ୍ୟରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କଲେ। ମୋର ପ୍ରିୟ ଦେଶବାସୀଗଣ, କିଛି କଥା ମୋତେ ବେଳେବେଳେ ଖୁବ୍ ଛୁଇଁଯାଏ ଆଉ ଯେଉଁମାନେ ଏକଥା ସବୁ କଳ୍ପନା କରିଥିଲେ ସେହି ଲୋକମାନଙ୍କ ପ୍ରତି ମୋ ମନରେ ଏକ ପ୍ରକାର ବିଶେଷ ଆଦର ଭାବ ଜନ୍ମିଥାଏ। ଜୁଲାଇ 15 ତାରିଖରେ ଛତିଶଗଡ଼ର କବୀରଧାମ ଜିଲ୍ଲାରେ ପ୍ରାୟ ସତରଶହରୁ ଅଧିକ ସ୍କୁଲର ଲକ୍ଷେ 25 ହଜାରରୁ ଅଧିକ ଛାତ୍ରଛାତ୍ରୀ ନିଜ ନିଜ ବାପା ମାଆଙ୍କୁ ଚିଠି ଲେଖିଛନ୍ତି। କିଏ ଇଂରାଜୀରେ ଲେଖିଛି ତ କିଏ ହିନ୍ଦୀରେ, ପୁଣି କିଏ ଛତିଶଗଡ଼ିରେ, ଏମାନେ କିନ୍ତୁ ସମସ୍ତେ ନିଜ ବାପା- ମାଆଙ୍କୁ ଅନୁରୋଧ କରି ଲେଖିଛନ୍ତି ଯେ – ଆମ ଘରେ Toilet ବା ପାଇଖାନା ରହିବା ଆବଶ୍ୟକ। ପାଇଖାନା ତିଆରି କରିବା ପାଇଁ ଦାବି କଲାବେଳେ କେତେକ ଛାତ୍ର ଏମିତି ବି ଲେଖିଛନ୍ତି ଯେ – ଏ ବର୍ଷ ମୋ ଜନ୍ମଦିନ ପଛେ ପାଳନ ନ କର, କିନ୍ତୁ ପାଇଖାନାଟିଏ ନିଶ୍ଚୟ ତିଆରି କର।” ସାତରୁ 17 ବର୍ଷ ବୟସ୍କ ଛାତ୍ରଛାତ୍ରୀ ଏଇ କାମ କରିଛନ୍ତି। ଆଉ ଏହାର ଏଭଳି ପ୍ରଭାବ ସୃଷ୍ଟି ହୋଇଛି ଯେ ଚିଠି ପାଇବା ପରେ ଯେତେବେଳେ ପିଲାମାନେ ସ୍କୁଲ ଆସିଛନ୍ତି, ସେତେବେଳେ ସେମାନଙ୍କ ବାପା-ମା’ ସେମାନଙ୍କ ହାତରେ ଗୋଟିଏ ଗୋଟିଏ ଚିଠି ଧରେଇ ଦେଇ କହିଛନ୍ତି ସ୍କୁଲରେ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ଦେବାପାଇଁ – ଯେଉଁଥିରେ କି ମା-ବାପାମାନେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଅମୁକ ତାରିଖ ସୁଦ୍ଧା ପାଇଖାନା କରିଦେବେ। ଏକଥା ଯାହାଙ୍କର କଳ୍ପନା – ତାଙ୍କୁ ଅଭିନନ୍ଦନ, ଯୋଉ ବିଦ୍ୟାର୍ଥୀମାନେ ଏ ପ୍ରୟାସରେ ସାମିଲ ହେଲେ ସେମାନଙ୍କୁ ଅଭିନନ୍ଦନ, ଆଉ ସେହି ବାପା-ମାଆଙ୍କୁ ବିଶେଷ ଅଭିନନ୍ଦନ ଯୋଉମାନେ ନିଜ ପିଲାଙ୍କ ଚିଠିକୁ ଗୁରୁତ୍ୱ ଦେଇ ପାଇଖାନା ତିଆରି କରିବାର ନିଣ୍ଣୟ ନେଇଛନ୍ତି। ଏଇସବୁ କଥା ଆମକୁ ଖୁବ୍ ପ୍ରେରଣା ଦିଏ। କର୍ଣ୍ଣାଟକର କୋପ୍ପାଲ ଜିଲ୍ଲା। ଏଇ ଜିଲ୍ଲାର 16 ବର୍ଷର ଜଣେ ବାଳିକା ମଲ୍ଲମ୍ମା – ଏଇ ଝିଅଟି ନିଜ ପରିବାର ବିରୁଦ୍ଧରେ ସତ୍ୟାଗ୍ରହ କରିଛି। ଲୋକେ କହନ୍ତି – ଯେ ମଲ୍ଲମ୍ମା ଖାଇବା ପିଇବା ଛାଡ଼ି ଦେଇ ସତ୍ୟାଗ୍ରହ କରିଥିଲା। ଭଲ ଲୁଗାପଟା ଆଣିବା ପାଇଁ କି ମିଠାଇ ଖାଇବାକୁ ନୁହେଁ, ନିଜ ଘରେ ପାଇଖାନା ତିଆରି କରିବା ଜିଦ୍ ରେ ସେ ସତ୍ୟାଗ୍ରହ କରିଥିଲା। ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବାକୁ, ଏଣେ ଝିଅ ଜିଦ୍ଦି ଛାଡ଼ିବାକୁ ନାରାଜ ଆଉ ସତ୍ୟାଗ୍ରହ ଭାଙ୍ଗିବାକୁ ବି ନାରାଜ। ଏକଥା ସେ ଗାଁର ମୁଖିଆ ମହମ୍ମଦ ସଫିକଙ୍କ କାନକୁ ଗଲା, ଆଉ ମହମ୍ମଦ ସଫିକଙ୍କ ବିଶେଷତା ବି ଦେଖନ୍ତୁ – ସିଏ 18 ହଜାର ଟଙ୍କା ଯୋଗାଡ କରି ଗୋଟିଏ ସପ୍ତାହ ଭିତରେ ମଲ୍ଲମ୍ମା ପାଇଁ ପାଇଖାନାଟିଏ ତିଆରି କରାଇଦେଲେ। ଏ ଝିଅ ମଲ୍ଲମ୍ମାର ଜିଦ୍ ର ଶକ୍ତିକୁ ଦେଖନ୍ତୁ ଆଉ ମହମ୍ମଦ ସଫିକଙ୍କ ଭଳି ଗାଁ ମୁଖିଆଙ୍କ ସେବାକୁ ଦେଖନ୍ତୁ। ସମସ୍ୟାଗୁଡ଼ିକର ସମାଧାନ ପାଇଁ କେମିତି ବାଟ ଫିଟିଯାଏ, ଏଇ ତ ଜନଶକ୍ତି।

ମୋର ପ୍ରିୟ ଦେଶବାସୀଗଣ, “ସ୍ୱଚ୍ଛ-ଭାରତ” ପ୍ରତ୍ୟେକ ଭାରତୀୟଙ୍କ ସ୍ୱପ୍ନ ପାଲଟିଛି ଏବେ। କେତେକ ଭାରତୀୟଙ୍କ ପାଇଁ ଇଏ ଏକ ସଂକଳ୍ପ ପାଲଟିଛି। କେତେକ ତ ପୁଣି ୟା’କୁ ସେମାନଙ୍କ ଉଦ୍ଦେଶ୍ୟ ବୋଲି ଧରିନେଇଛନ୍ତି। ପ୍ରତ୍ୟେକ ବ୍ୟକ୍ତି କୌଣସି ନା କୌଣସି ରୂପରେ ଏଥିସହିତ ଯୋଡ଼ି ହେଇଛନ୍ତି, ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ଯୋଗଦାନ ବି କରୁଛନ୍ତି। ନୂଆ ନୂଆ ପ୍ରୟାସ ସମ୍ପର୍କରେ ପ୍ରତ୍ୟେକ ଦିନ ଖବର ଆସିବାରେ ଲାଗିଛି। ଭାରତ ସରକାର ଚିନ୍ତା କରିଛନ୍ତି ଲୋକଙ୍କୁ ଆହ୍ୱାନ କରାଯିବ ସ୍ୱଚ୍ଛତା ପ୍ରସଙ୍ଗରେ ଦୁଇ କିମ୍ବା ତିନି ମିନିଟ୍ ର Short Film ବା ଛୋଟ ଚିତ୍ର ପ୍ରସ୍ତୁତ କରିବା ପାଇଁ, ଆଉ ଏଇ Short Film କୁ ଭାରତ ସରକାରଙ୍କୁ ପଠାଇ ଦେବାପାଇଁ। Website ରେ ଏ ସମ୍ପର୍କରେ ସବିସ୍ତୃତ ବିବରଣୀ ମିଳିପାରିବ। ଏସବୁ Short Film କୁ ବଛାଯାଇ ସର୍ବୋତ୍କୃଷ୍ଟ Filmକୁ ଅକ୍ଟୋବର 2 ତାରିଖ, ଗାନ୍ଧି ଜୟନ୍ତୀ ଅବସରରେ ପୁରଷ୍କୃତ କରାଯିବ। ମୁଁ ତ TV ଚାନେଲବାଲାଙ୍କୁ କହୁଛି ଯେ ଆପଣ ବି ଏଭଳି ଫିଲ୍ମ ନିର୍ମାଣ ପାଇଁ ଆହ୍ୱାନ କରି ଦେଶର ସ୍ୱଚ୍ଛତା ପାଇଁ ଯୋଗଦାନ ଦିଅନ୍ତୁ। ପ୍ରତ୍ୟୁତ୍ପନ୍ନମତି(Creativity) ବି ସ୍ୱଚ୍ଛତା ଅଭିଯାନକୁ ଶକ୍ତି ଦେଇପାରେ, ନୂଆ ସ୍ଲୋଗାନ୍ ମିଳିବ, ନୂଆ ନୂଆ ଶୈଳୀ ଜାଣିବାକୁ ମିଳିବ, ନୂଆ ପ୍ରେରଣା ମିଳିବ ଆଉ ଏସବୁ ଜନତା – ଜନାର୍ଦ୍ଦନଙ୍କ ସହଭାଗିତାରେ ସୁବିଧାରେ ହେଇପାରିବ। ଛୋଟ ଛୋଟ କଳାକାରଙ୍କ ଦ୍ୱାରା, ମୋବାଇଲ ଫୋନ୍ କ୍ୟାମେରା ଦ୍ୱାରା ବି ଏ ଛୋଟ ଫିଲ୍ମ ହେଇପାରିବ। ବଡ଼ କ୍ୟାମେରା, ବଡ଼ ଷ୍ଟୁଡ଼ିଓ ଏତେ ଜରୁରୀ ନୁହେଁ। ଆସନ୍ତୁ, ଆଗକୁ ବଢ଼ିବା, ଆପଣଙ୍କୁ ମୋର ଏଥିପାଇଁ ନିମନ୍ତ୍ରଣ ରହିଲା।

ମୋର ପ୍ରିୟ ଦେଶବାସୀଗଣ, ପଡ଼ୋଶୀ ରାଷ୍ଟ୍ରଙ୍କ ସହ ଆମର ସମ୍ବନ୍ଧ ସହଜ, ଜୀବନ୍ତ ଆଉ ଦୃଢ଼ ହେବାପାଇଁ ଭାରତର ନିରନ୍ତର ପ୍ରଚେଷ୍ଟା ଜାରି ରହିଆସିଛି। ବିଗତ ଦିନରେ ଗୋଟିଏ ବଡ଼ ମହତ୍ଵପୂର୍ଣ୍ଣ ଘଟଣା ଘଟିଛି। ଆମର ଆଦରଣୀୟ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କୋଲକାତାରେ ଆକାଶବାଣୀର ଗୋଟିଏ ନୂଆ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି – “ଆକାଶବାଣୀ ମୈତ୍ରୀ ଚ୍ୟାନେଲ”। ଏବେ କେତେକ ଲୋକଙ୍କୁ ମନେହେବ ଯେ ଗୋଟାଏ ରେଡ଼ିଓ ଚାନେଲକୁ ରାଷ୍ଟ୍ରପତିଙ୍କ ଭଳି ଦେଶର ସର୍ବୋଚ୍ଚ ନାଗରିକ ଉଦ୍ଘାଟନ କରିବା କ’ଣ ଯୁକ୍ତିସଙ୍ଗତ ? କିନ୍ତୁ ବନ୍ଧୁମାନେ! ଇଏ ଏକ ସାମାନ୍ୟ ରେଡ଼ିଓ ଚାନେଲ ନୁହେଁ, ପଡ଼ୋଶୀ ରାଷ୍ଟ୍ରଙ୍କ ସହ ସମ୍ପର୍କ ଦୃଢ଼ କରିବାର ଇଏ ଏକ ମହତ୍ଵପୂର୍ଣ୍ଣ ପଦକ୍ଷେପ। ବଙ୍ଗଳାଦେଶ ଆମର ଏ ପଡ଼ୋଶୀ ରାଷ୍ଟ୍ର। ଆମେ ଜାଣିଛେ ଯେ ବଙ୍ଗଳା ଦେଶ ଆଉ ପଶ୍ଚିମବଙ୍ଗଳା ଗୋଟିଏ ସାଂସ୍କୃତିକ ପରମ୍ପରାକୁ ନେଇ ଆଜି ବି ବଞ୍ଚୁଛନ୍ତି। ତେଣୁ ଏପଟେ “ଆକାଶବାଣୀ ମୈତ୍ରୀ” ଆଉ ସେପଟେ “ବାଙ୍ଗଲାଦେଶ ବେତାର”। ଏ ଦୁଇ ସଂସ୍ଥା ନିଜ ନିଜ ମଧ୍ୟରେ କାର୍ଯ୍ୟକ୍ରମ ଆଦାନ-ପ୍ରଦାନ କରିବେ । ଦୁଇପଟରେ ଥିବା ବଙ୍ଗଳାଭାଷା ଲୋକ “ଆକାଶବାଣୀ”ର ମଜ୍ଜା ନେବେ। ବ୍ୟକ୍ତିଠୁ ବ୍ୟକ୍ତି ସଂଯୋଗ – ଆକାଶବାଣୀର ଏକ ବହୁତ ବଡ଼ ଅବଦାନ। ରାଷ୍ଟ୍ରପତି ମହୋଦୟ ଏ କାର୍ଯ୍ୟକ୍ରମକୁ ଲୋକାର୍ପଣ କରିଛନ୍ତି। ମୁଁ ବଙ୍ଗଳାଦେଶକୁ ବି ଏଥିପାଇଁ ଧନ୍ୟବାଦ ଦେଉଛି ଯେ ଏ କାର୍ଯ୍ୟଟି ପାଇଁ ଆମ ସହ ସିଏ ସଂଯୋଜିତ ହୋଇ ରହିଛନ୍ତି। ମୁଁ ଆକାଶବାଣୀର ବନ୍ଧୁମାନଙ୍କୁ ବି ଅଭିନନ୍ଦନ ଜଣାଉଛି ଯେ ଦେଶର ବୈଦେଶିକ ନୀତିରେ ବି ସେମାନେ ନିଜର ଅବଦାନ ରଖିଛନ୍ତି।

ମୋର ପ୍ରିୟ ଦେଶବାସୀଗଣ, ଆପଣମାନେ ମତେ ପ୍ରଧାନମନ୍ତ୍ରୀର ଦାୟିତ୍ୱ ଦେଇଥିଲେ ବି ମୁଁ ଆପଣଙ୍କ ଭଳି ଜଣେ ମଣିଷ। ସେଇଥିପାଇଁ ବେଳେବେଳେ କିଛି ସମ୍ବେଦନଶୀଳ ଘଟଣା ମୋତେ ଖୁବ୍ ଭାବପ୍ରବଣ କରିଦିଏ। ଏମିତି ଆବେଗପୂର୍ଣ୍ଣ ଘଟଣା ସବୁ ନୂଆ ନୂଆ ଶକ୍ତି ଦିଏ, ନୂଆ ପ୍ରେରଣା ବି ଦିଏ, ଆଉ ଖାସ୍ ଏଥିପାଇଁ ଭାରତର ଲୋକମାନଙ୍କ ପାଇଁ କିଛି କରିବାର ପ୍ରେରଣା ଆସେ। ପ୍ରାୟ 84 ବର୍ଷୀୟା ମାଆ ଜଣେ, ସିଏ ଅବସର ନେଇଥିବା ଶିକ୍ଷୟିତ୍ରୀ। ମୋତେ ଚିଠିଟିଏ ଲେଖିଛନ୍ତି। ଯଦି ସିଏ ତାଙ୍କ ଚିଠିରେ ତାଙ୍କ ନାଁ ଘୋଷଣା କରିବାକୁ ବାରଣ କରିନଥାନ୍ତେ, ମୁଁ ତ ତାଙ୍କ ନାଁ ନେଇ ଆପଣମାନଙ୍କୁ ତାଙ୍କ ଚିଠିର କଥା କହିଥାନ୍ତି। ତେବେ ସିଏ ଚିଠିରେ ଲେଖିଛନ୍ତି – ଆପଣ ତ ଗ୍ୟାସ୍ ସବସିଡି ଛାଡ଼ିବା ପାଇଁ ଅନୁରୋଧ କରିଥିଲେ, ମୁଁ ତେଣୁ ସବ୍ସିଡି ଛାଡ଼ିଦେଇଥିଲି ଆଉ ସେ କଥା ଭୁଲିଯାଇଥିଲି। କିନ୍ତୁ ଗତ କିଛିଦିନ ତଳେ ଆପଣଙ୍କର କେହି ଜଣେ ବ୍ୟକ୍ତି ଆସି ମୋତେ ଆପଣଙ୍କର ଗୋଟିଏ ଚିଠି ଦେଇଗଲେ। “Give It Up” ବା ସବ୍ସିଡି ଛାଡ଼ିଦେବା ଯୋଗୁଁ ଆପଣଙ୍କଠୁଁ ଗୋଟିଏ ଧନ୍ୟବାଦଭରା ପତ୍ର ମୋତେ ମିଳିଲା। ମୋ ପାଇଁ ଭାରତର ପ୍ରଧାନମନ୍ତ୍ରୀଙ୍କଠୁ ଏଭଳି ଏକ ଚିଠି ପଦ୍ମଶ୍ରୀ ସମ୍ମାନଠୁ କିଛି କମ୍ ନୁହେଁ।

ଦେଶବାସୀଗଣ, ଆପଣଙ୍କୁ ଜଣାଥିବ ଯେ ମୁଁ ଚେଷ୍ଟା କରିଛି ଯୋଉ ଯୋଉ ଲୋକ ଗ୍ୟାସ୍ ସବ୍ସିଡି ଛାଡ଼ିଦେଇଛନ୍ତି, ସେମାନଙ୍କ ପାଖକୁ ଚିଠି ପଠାଏ ଆଉ ଆମର କେହି ନା କେହି ପ୍ରତିନିଧି ଯେମିତି ତାଙ୍କ ଘରକୁ ଯାଇ ଚିଠିଟି ଦିଅନ୍ତୁ! କୋଟିଏ ଲୋକଙ୍କୁ ଚିଠି ଲେଖିବାର ପ୍ରଚେଷ୍ଟା ମୋର ଜାରି ରହିଛି। ସେହି ଯୋଜନା ଅନ୍ତର୍ଗତ ମୋର ଏ ଚିଠିଟି ଏଇ 84 ବର୍ଷୀୟା ମାଆଙ୍କ ପାଖରେ ପହଞ୍ଚିଛି। ଇଏ ମତେ ଚିଠି ଲେଖିଛନ୍ତି ଯେ ଆପଣ ଭଲ କାମ କରୁଛନ୍ତି। ଗରିବ ମାଆମାନଙ୍କୁ ଚୁଲି ଧୂଆଁରୁ ମୁକ୍ତି ଦେବାପାଇଁ ଆପଣଙ୍କ ଅଭିଯାନକୁ ସମର୍ଥନ ଜଣାଇ ମୁଁ ଆପଣଙ୍କ ପାଖକୁ ମୋ ଅବସରକାଳୀନ ଭତ୍ତାରୁ 50 ହଜାର ଟଙ୍କା ଦାନ ଆକାରରେ ପଠାଉଛି। ଆଉ କିଛିଦିନ ପରେ ମୋତେ 90 ବର୍ଷ ହୋଇଯିବ – ଏ ଟଙ୍କାରେ ଆପଣ ଗରିବ ମାଆମାନଙ୍କୁ ଧୂଆଁମୁକ୍ତ ଜୀବନ ବଞ୍ଚିବାରେ ସହାୟତା ଦେବେ।” ଆପଣ କଳ୍ପନା କରିପାରୁଛନ୍ତି – ଜଣେ ସାଧାରଣ ଶିକ୍ଷୟତ୍ରୀ, ପେନସନ୍ ଟଙ୍କାରେ ଚଳୁଥିବା ବୟସ୍କା ମହିଳା, ଗରିବ ମାଆମାନଙ୍କୁ ଚୁଲି ଧୂଆଁରୁ ମୁକ୍ତି ଦେବାର କାମନାରେ ଏବଂ ଗ୍ୟାସ୍ କନେକସନ୍ ଦେବାପାଇଁ 50 ହଜାର ଟଙ୍କା ଦାନ କରୁଛନ୍ତି, ଇଏ କିଛି ଛୋଟ କଥା ନୁହେଁ। 50 ହଜାର ଟଙ୍କା ବଡ଼ ନୁହେଁ, ବଡ଼ ହେଉଛି ସେଇ ମାଆର ଭାବନା। ଏଇଭଳି କୋଟି କୋଟି ମାଆ-ଭଉଣୀଙ୍କର ଆଶୀର୍ବାଦରୁ ହଁ ମୋ ଦେଶର ଭବିଷ୍ୟତ ପାଇଁ ଭରସା ଆଉ ଶକ୍ତି ଉତ୍ପନ୍ନ ହେଉଛି। ଆଉ ସିଏ ମୋତେ ଚିଠି ବି ପ୍ରଧାନମନ୍ତ୍ରୀ ରୂପରେ ସମ୍ବୋଧନ କରି ଲେଖିନାହାନ୍ତି। ସିଧା ସିଧା ଲେଖିଛନ୍ତି – “ମୋଦି ଭାଇ!” ସେହି ମାଆଙ୍କୁ ମୁଁ ପ୍ରଣାମ କରିବା ସଙ୍ଗେ ସଙ୍ଗେ ନିଜେ କଷ୍ଟ ସହି ସବୁବେଳେ ଅନ୍ୟର କିଛି ନା କିଛି ମଙ୍ଗଳ କାମନା କରୁଥିବା ଭାରତର କୋଟି କୋଟି ମାଆଙ୍କୁ ବି ପ୍ରଣାମ କରୁଛି।

ମୋର ପ୍ରିୟ ଦେଶବାସୀଗଣ, ଗତବର୍ଷ ମରୁଡ଼ି ଯୋଗୁଁ ଆମେ ଚିନ୍ତିତ ଥିଲେ, କିନ୍ତୁ ଏ ବର୍ଷ ଏ ଅଗଷ୍ଟ ମାସ ଲଗାତାର ବନ୍ୟା ଯୋଗୁଁ ବହୁ ଅସୁବିଧା ସୃଷ୍ଟି କରିଛି। ଦେଶର କେତେକ ଅବଳରେ ବାରମ୍ବାର ବନ୍ୟା ଆସିଛି। ରାଜ୍ୟ ସରକାର, କେନ୍ଦ୍ର ସରକାର, ସ୍ଥାନୀୟ ପ୍ରଶାସନ, ସାମାଜିକ ସଂଗଠନ, ସାଧାରଣ ନାଗରିକ, ପାରୁ ପର୍ଯ୍ୟନ୍ତ ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟ କରିବାର ପ୍ରୟାସ କରିଛନ୍ତି। କିନ୍ତୁ ଏଥର ବନ୍ୟା ସମୟର ବିଭିନ୍ନ ଖବର ଭିତରେ ସବୁଠୁ ସ୍ମରଣୀୟ ଖବର ହେଲା ସମସ୍ତେ ମିଳିମିଶି ଏକତାର ସୂତ୍ରରେ ବାନ୍ଧି ହେଇ କଠିନ ପରିସ୍ଥିତିର ମୁକାବିଲା କରିବାର ଖବର। ଏ ବର୍ଷର ଅଗଷ୍ଟ ମାସ ଏକତାର ବଳକୁ ପ୍ରଦର୍ଶନ କରିଥିବାରୁ ମନେ ରହିବ। ଅଗଷ୍ଟ 2016ରେ ଘୋର ରାଜନୀତିକ ବିରୋଧ ରଖୁଥିବା ଦଳ, ଜଣେ-ଅନ୍ୟ ଜଣକ ବିରୋଧରେ କୌଣସି ସୁଯୋଗ ଛାଡ଼ୁନଥିବା ଦଳ, ଆଉ ପୁରା ଦେଶରେ ପାଖାପାଖି 90 ଦଳ, ସଂସଦର ବହୁତ ଦଳ – ଏସବୁ ଦଳ ମିଶି GST Bill ବା ବସ୍ତୁ ଓ ସେବା କର ବିଲକୁ ପାସ୍ କଲେ। ଏହାର ଶ୍ରେୟ ସବୁ ଦଳକୁ ଯିବ। ଯଦି ସବୁ ଦଳ ମିଶି ଗୋଟିଏ ଲକ୍ଷ୍ୟରେ ଚାଲନ୍ତି, ତା’ହେଲେ କେତେ ବଡ଼ କାମ ସୁରୁଖୁରୁରେ ହେଇଯାଏ, ଇଏ ତା’ର ଉଦାହରଣ ।

ସେହିଭଳି କାଶ୍ମୀରରେ ଯାହା କିଛି ବି ହେଇଛି, କାଶ୍ମୀରର ସ୍ଥିତି ସମ୍ପର୍କରେ ଦେଶର ସମସ୍ତ ରାଜନୀତିକ ଦଳ ମିଳିତ ଭାବେ ଏକ ସ୍ୱରରେ କାଶ୍ମୀର କଥା କହିଛନ୍ତି। ଦୁନିଆକୁ ବାର୍ତ୍ତା ଦେଲେ, ବିଚ୍ଛିନ୍ନତାବାଦୀ ତତ୍ତ୍ଵଙ୍କୁ ସଙ୍କେତ ଦେଲେ ଆଉ କାଶ୍ମୀରବାସୀଙ୍କ ପ୍ରତି ସମବେଦନା ବି ବ୍ୟକ୍ତ କଲେ। କାଶ୍ମୀର ପ୍ରସଙ୍ଗରେ ସବୁ ଦଳ ସହ ମୋର ଯେତିକି ଆଲୋଚନା ଓ ମତବିନିମୟ ହେଲା, ପ୍ରତ୍ୟେକଙ୍କ କଥାରୁ ଗୋଟିଏ କଥା ନିଶ୍ଚିତ ହେଇଥିଲା। ଏହାକୁ ସଂକ୍ଷେପରେ କହିବାକୁ ହେଲେ ମୁଁ କହିବି ଯେ – ଏକତା ଏବଂ ମମତା ଏହି ଦୁଇଟି ମୂଳମନ୍ତ୍ର। ଏହା ଆମ ସମସ୍ତଙ୍କର ମତ। ଶହେ ପଚିଶ କୋଟି ଦେଶବାସୀଙ୍କ ମତ। ଗାଁର ମୁଖିଆଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ମତ ଯେ, କାଶ୍ମୀରରେ ଯଦି କିଛି ଜନହାନୀ ହୁଏ, କୌଣସି ଯୁବକର ମୃତ୍ୟୁ ହେଉ କିମ୍ବା କୌଣସି ସୁରକ୍ଷାକର୍ମୀର ମୃତ୍ୟୁ ହେଉ, ଏହା ଆମରି କ୍ଷତି, ଆମ ନିଜ ଲୋକଙ୍କ କ୍ଷତି, ଆମ ଦେଶର କ୍ଷତି। ଯେଉଁ ଲୋକ ଏହି ଛୋଟ ଛୋଟ ପିଲାଙ୍କୁ ଆଗକୁ ଠେଲିଦେଇ କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବାର ପ୍ରୟାସ କରୁଛନ୍ତି, ତାଙ୍କୁ କେବେ ନା କେବେ ଏହି ନିରୀହ ପିଲାଙ୍କ ଆଗରେ ଉତ୍ତରଦାୟୀ ହେବାକୁ ପଡ଼ିବ।

ମୋର ପ୍ରିୟ ଦେଶବାସୀଗଣ, ଦେଶ ବହୁତ ବଡ଼। ବିବିଧତାରେ ପରିପୂର୍ଣ୍ଣ। ବିବିଧତା ଭରା ଏହି ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ ନାଗରିକ ହିସାବରେ, ସମାଜ ହିସାବରେ, ସରକାର ହିସାବରେ ଏହା ଆମ ସମସ୍ତଙ୍କର ଦାୟିତ୍ୱ ଯେ, ଆମେ ଏକତା ଉପରେ ଗୁରୁତ୍ୱ ଦେଉଥିବା ବିଷୟକୁ ଅଧିକ ଶକ୍ତିଶାଳୀ କରିବା, ଅଧିକ ଉଜାଗର କରିବା, ତେବେଯାଇ ଦେଶ ନିଜର ଭବିଷ୍ୟତକୁ ଉଜ୍ଜ୍ୱଳ କରିପାରିବ ଏବଂ କରିବ। ଶହେ ପଚିଶ କୋଟି ଦେଶବାସୀଙ୍କ ଶକ୍ତି ଉପରେ ମୋର ବିଶ୍ୱାସ ରହିଛି। ଆଜି ଏତିକି, ବହୁତ ବହୁତ ଧନ୍ୟବାଦ।